Unknown

 

 

 

 

 

 

 

 

 

ଗୃହଶିଳ୍ପ

ପ୍ରଥମ ଖଣ୍ଡ

ରାୟବାହାଦୁର ଭିକାରୀଚରଣ ପଟ୍ଟନାୟକ

 

ଭୂମିକା

 

ପ୍ରଥମରୁ ସ୍ମରଣ ରଖିବା ଉଚିତ ଯେ, ପୁସ୍ତକପାଠ ଦ୍ୱାରା ଶିଳ୍ପଶିକ୍ଷା ହୋଇ ନ ପାରେ କେବଳ କାର୍ଯ୍ୟ କରିବା ଦ୍ୱାରା ଶିଳ୍ପ ଶିକ୍ଷା କରିବାକୁ ହୁଏ । ଶିଳ୍ପଶିକ୍ଷା ନିମନ୍ତେ ହସ୍ତ, ପଦ ଓ ନେତ୍ର, ଏହି ତିନି ଗୋଟି ଅଙ୍ଗର ବିଶେଷ ପରିଚାଳନା ଆବଶ୍ୟକ । ପ୍ରତ୍ୟେକ ଶିଳ୍ପରେ ହାତ ଓ ଆଖିର ବିଚକ୍ଷଣତା ଏବଂ କେତେକ ଶିଳ୍ପରେ ଗୋଡ଼ର ସାହାଯ୍ୟ ମଧ୍ୟ ଦରକାର; ତେଣୁ ପ୍ରଥମେ ହାତ, ବିଶେଷତଃ ଅଙ୍ଗୁଳିଗୁଡ଼ିକ ଯେତେ ଶୀଘ୍ର ଇଚ୍ଛାକ୍ରମେ ପରିଚାଳନ କରିବାକୁ ଅଭ୍ୟାସ କରିବ, ଶିଳ୍ପରେ ତେତେ ଶୀଘ୍ର ଉନ୍ନତି ଲାଭ କରି ପାରିବ । ବାଲ୍ୟକାଳରୁ ଏହି ଅଭ୍ୟାସ ଆରମ୍ଭ ନ କଲେ ପଛକୁ ବିଶେଷ ସୁବିଧା ହୁଏ ନାହିଁ । ସବୁ ସମୟରେ ବୁଦ୍ଧିର ଓ ବିବେଚନାର ବିଶେଷ ପ୍ରୟୋଜନ । ଅଙ୍ଗପ୍ରତ୍ୟଙ୍ଗର ପରିଚାଳନା ସଙ୍ଗେ ସଙ୍ଗେ ବୁଦ୍ଧିର ପରିଚାଳନା ଆବଶ୍ୟକ । ଅଙ୍ଗ ପରିଚାଳନା ଆରମ୍ଭ କଲେ ବୁଦ୍ଧିର ପରିଚାଳନା ଆପେ ଆପେ ହୋଇଥାଏ ।

 

ବର୍ତ୍ତମାନ ସ୍କୁଲମାନଙ୍କରେ ହସ୍ତକର୍ମ ଶିକ୍ଷା ପ୍ରତି ସମସ୍ତଙ୍କର ଦୃଷ୍ଟି ପଡ଼ିଅଛି । ଏପର୍ଯ୍ୟନ୍ତ କେବଳ ଲେଖା ପଢ଼ା ଶିକ୍ଷା ଦ୍ୱାରା ମସ୍ତିଷ୍କ ପରିଚାଳନାର ବ୍ୟବସ୍ଥା ଥିଲା । ମସ୍ତିଷ୍କ ପରିଚାଳନା ସଙ୍ଗେ ସଙ୍ଗେ ଅନ୍ୟାନ୍ୟ ଅଙ୍ଗପ୍ରତ୍ୟଙ୍ଗ ପରିଚାଳନାର ଆବଶ୍ୟକତା ବର୍ତ୍ତମାନ ସମସ୍ତେ ଉପଲବ୍‌ଧି କଲେଣି । ଲେଖାପଢ଼ା ଦ୍ୱାରା ଯେଉଁ ଜ୍ଞାନ ଜନ୍ମେ, ତାହା କାର୍ଯ୍ୟରେ ପ୍ରୟୋଗ କଲେ ତହିଁରୁ ଅନୁଭୂତି ଲାଭ ହୁଏ । ସେହି ଅନୁଭୂତି ନାନା ପ୍ରକାରର ହୋଇ ପାରେ । ତହିଁ ମଧ୍ୟରୁ ଗୋଟିଏ ପ୍ରକାରର ଅନୁଭୂତିକୁ ବିଭିନ୍ନ ଦିଗରେ ପ୍ରୟୋଗ କରିବାହିଁ ଶିଳ୍ପ ।

 

ଅଙ୍ଗପ୍ରତ୍ୟଙ୍ଗ ପରିଚାଳନା ସମୟରେ ଶିଳ୍ପ ପ୍ରତି ଦୃଷ୍ଟି ରଖି ଯେବେ ହସ୍ତ, ପଦ ଓ ନେତ୍ର ପରିଚାଳନାର ଶିକ୍ଷା ଦିଆଯିବ, ତେବେ ଅନେକଙ୍କର ଭବିଷ୍ୟତ୍ ଜୀବନରେ ଶିଳ୍ପକାର୍ଯ୍ୟରେ ସହଜରେ ଦକ୍ଷତା ଜନ୍ମି ପାରିବ ଓ ଶିଳ୍ପ ପ୍ରତି ଅନେକଙ୍କର ପ୍ରବୃତ୍ତି ଓ ଶ୍ରଦ୍ଧା ଜାତ ହେବ । ତାହା ହେଲେ ଶିଳ୍ପର ତଥା ଦେଶର ଯେ ବିଶେଷ ଉନ୍ନତି ସାଧିତ ହୋଇ ପାରିବ, ଏଥିରେ ସନ୍ଦେହ ନାହିଁ-

 

ପୂର୍ବେ ଅନେକ ନିରକ୍ଷର ବ୍ୟକ୍ତି ଶିଳ୍ପକୌଶଳର ଯେଉଁ ସବୁ ଉଦାହରଣ ଦେଖାଇ ଯାଇଅଛନ୍ତି, ତାହା ଦେଖି କାହାରି ମନେ କରିବା ଉଚିତ ନୁହେଁ ଯେ, ସେମାନେ ମୂର୍ଖ ଥିବାରୁ ଅନ୍ୟ କୌଣସି କାର୍ଯ୍ୟ କରି ନ ପାରି ଶିଳ୍ପରେ ଦକ୍ଷତା ପ୍ରକାଶ କରି ପାରିଥିଲେ । ଏପରି ଭାବିବା ସମ୍ପୂର୍ଣ୍ଣ ଭୁଲ । ସେମାନେ ଅକ୍ଷର ପରିଚୟରେ ସମୟ କଟାଇ ନ ଥିଲେହେଁ ପାରିପାର୍ଶ୍ୱିକ ପଦାର୍ଥମାନଙ୍କର ପର୍ଯ୍ୟବେକ୍ଷଣରେ ସେମାନଙ୍କର ଶକ୍ତି ଏତେ ଅଧିକ ଉନ୍ନତିଲାଭ କରିଥିଲା ଯେ, ସେମାନେ ସେମାନଙ୍କର ଅନୁଭୂତିକୁ ଅକ୍ଷରରେ ପ୍ରକାଶ କରିବାକୁ ଶିକ୍ଷା ନ କରିଥିଲେହେଁ ନାନାପ୍ରକାର ପଦାର୍ଥର ଅଙ୍ଗରେ ନିଜ ନିଜର ବିଚାରଶକ୍ତି, ନେତ୍ରର ରୁଚି ଓ ହସ୍ତକୌଶଳର ସମାବେଶ ଅଧିକ ପ୍ରଜ୍ଜ୍ୱଳିତ ଭାବରେ ପ୍ରସ୍ଫୁଟିତ କରି ପାରୁଥିଲେ ।

 

ଏହି ପୁସ୍ତକର ପ୍ରଥମରେ କେତେଗୁଡ଼ିଏ ସାଧାରଣ ଓ ଛୋଟ ଛୋଟ ହସ୍ତକର୍ମ ବର୍ଣ୍ଣିତ ହେଲା । ଏହିଗୁଡ଼ିକ ପ୍ରଥମେ ଅଭ୍ୟାସ କଲେ ପିଲାମାନଙ୍କର ଅଙ୍ଗୁଳି ପରିଚାଳନା ସହଜରେ ହୋଇ ପାରିବ । ଯେଉଁ ପଦାର୍ଥମାନ ଓଡ଼ିଶାର ଗ୍ରାମମାନଙ୍କରେ ସହଜରେ ମିଳେ ଏବଂ ଯେଉଁ ସବୁ ପଦାର୍ଥ ବ୍ୟବହାର ଅଭାବରେ ସାଧାରଣତଃ ନଷ୍ଟ ହେଉଅଛି, ସେହି ସବୁ ପଦାର୍ଥଦ୍ୱାରା କି କି ଶିଳ୍ପ ହୋଇ ପାରେ, ତାହାହିଁ ଏହି ପୁସ୍ତକରେ ଅଧିକ ପରିମାଣରେ ଦେଖାଇ ଦିଆଯାଇଅଛି ।

 

ଏହି ପ୍ରଦେଶର ଗ୍ରାମମାନଙ୍କରେ ଯେଉଁ ଯେଉଁ ପଦାର୍ଥ ସହଜରେ ଓ ବିନା ମୂଲ୍ୟରେ ମିଳି ପାରିବ, କେବଳ ସେହି ପଦାର୍ଥମାନଙ୍କ ସାହାଯ୍ୟରେ ଅଙ୍ଗୁଳି ପରିଚାଳନା ଶିକ୍ଷା ଦେବା ବାଞ୍ଛନୀୟ ।

 

ଗ୍ରାମମାନଙ୍କରେ ଯେଉଁ ସବୁ ଶିଳ୍ପ ଉପଯୋଗୀ ପଦାର୍ଥ ମିଳେ, ସେମାନଙ୍କ ମଧ୍ୟରୁ–

(୧)

କେତେକ ବଣ ବୁଦା ଓ ପତିତ ଜମିରେ ଉଠିଥିବା ବୃକ୍ଷ ଓ ଲତାମାନଙ୍କରୁ ସଂଗ୍ରହ କରିବାକୁ ହେବ । ଏହି ସବୁ ବୃକ୍ଷ ବା ଲତାକୁ କେହି କେବେ ଲଗାନ୍ତି ନାହିଁ । ସେମାନେ ଆପେ ଆପେ ଉଠି ଥାଆନ୍ତି ।

(୨)

ଆଉ କେତେଗୁଡ଼ିଏ ପଦାର୍ଥ ଚାଷୀମାନଙ୍କର ଚାଷରୁ ଉତ୍ପନ୍ନ ହୁଏ ।

(୩)

ଆଉ କେତେକ ପଦାର୍ଥ ଅଛି, ସେଗୁଡ଼ିକ କୌଣସି କୌଣସି ସ୍ଥାନରେ କେହି କେହି ଲଗାନ୍ତି ବା ଚାଷ କରନ୍ତି ଏବଂ କୌଣସି କୌଣସି ସ୍ଥାନରେ ସେ ସବୁ ଆପେ ବଣ ବୁଦାରେ ଉଠିଥାଆନ୍ତି ।

ନିମ୍ନରେ ସେହିରୂପ ଭିନ୍ନ ଭିନ୍ନ ଶ୍ରେଣୀର କେତେଗୁଡ଼ିଏ ପଦାର୍ଥର ନାମ ଉଲ୍ଲେଖ କରାଗଲା :-

୧. ବଣ ବୁଦା ଓ ପତିତ ଜମିରେ ଉଠିଥିବା ବୃକ୍ଷ ଓ ଲତା :–

ଖଜୁରି– ଏ ଦେଶରେ ଏହାକୁ କେହି ଲଗାନ୍ତି ନାହିଁ । ବଣ ବୁଦା ଓ ପଡ଼ିଆ ଜମିରେ ଖଜୁରି ଗଛ ମନକୁ ଉଠେ । ଆଫଗାନିସ୍ଥାନ ଓ ଆରବ ପ୍ରଭୃତି ଅଞ୍ଚଳରେ ଏହାର ବିଧିମତେ ଚାଷ କରାଯାଏ । ସେ ଦେଶରେ ଏହାର ଫଳ ବଡ଼ ବଡ଼ ଏବଂ ସୁସ୍ୱାଦୁ ହୁଏ । ସେ ଦେଶର ଖଜୁରିଫଳ ଗୋଟିଏ ଉପାଦେୟ ଖାଦ୍ୟ । ସେହି ଫଳ ଏ ଦେଶରେ ମଧ୍ୟ ଆସି ବିକ୍ରୟ ହେଉଅଛି । ଆମ ଦେଶର ଖଜୁରିକୋଳି କିନ୍ତୁ ସେପରି ହୁଏ ନାହିଁ ।

 

ଖଜୁରିଗଛର କନ୍ଦାରୁ ଯେଉଁ ରସ ବାହାରେ, ତାହା ଖୁବ୍ ସୁସ୍ୱାଦୁ ଏବଂ ଖାଦ୍ୟ ଦୃଷ୍ଟିରେ ହିତକର । ମାତ୍ର ତାହାର ଯଥେଷ୍ଟ ସଦ୍‌ବ୍ୟବହାର ଏପର୍ଯ୍ୟନ୍ତ ଏ ଦେଶରେ ହୋଇ ପାରି ନାହିଁ । ଖଜୁରିରସ କିଛି ସମୟ ରହିଗଲେ ତହିଁରେ ପବନ ଲାଗି ତାହା ଆମ୍ବିଳା ହୋଇଯାଏ । ଆମ୍ବିଳା ହେଲେ ତାହା ଗୋଟିଏ ମାଦକ ଦ୍ରବ୍ୟରେ ପରିଣତ ହୁଏ । ଏହି ପ୍ରଦେଶର ଚମାରମାନେ ସେହି ଆମ୍ବିଳା ରସକୁ ତାଡ଼ିରୂପେ ବିକ୍ରୟ କରନ୍ତି ।

 

ଖଜୁରିରସକୁ ପ୍ରତ୍ୟୁଷରୁ ସଂଗ୍ରହ କରି ଅଧିକ ସମୟ ନ ରଖି, ଅର୍ଥାତ୍ ଆମ୍ବିଳା ହେବାକୁ ଅବସର ନ ଦେଇ ତାହାକୁ ନିଆଁରେ ବସାଇ ରାନ୍ଧିଲେ ତହିଁରୁ ଉତ୍ତମ ଗୁଡ଼ ପ୍ରସ୍ତୁତ ହୁଏ । ଅନ୍ୟାନ୍ୟ ପ୍ରଦେଶରେ ଏହି ଗୁଡ଼ ଯଥେଷ୍ଟ ପରିମାଣରେ ପ୍ରସ୍ତୁତ ହେଉଅଛି । ଓଡ଼ିଶା ପ୍ରଦେଶର ବାଲେଶ୍ୱର ଜିଲ୍ଲାର କେତେକ ସ୍ଥାନରେ କେହି କେହି ଏହି ଗୁଡ଼ ଅନେକ ଦିନରୁ କରୁଥିଲେ । ବର୍ତ୍ତମାନ କଟକ ଜିଲ୍ଲାର ବରି କେନ୍ଦ୍ରରେ ଶ୍ରୀଯୁକ୍ତ ଗୋପବନ୍ଧୁ ଚଉଧୁରୀଙ୍କ ଉଦ୍ୟମରେ ପରୀକ୍ଷା କରାଯାଇ ଦେଖା ଯାଇଅଛି ଯେ, ଏଥିରୁ ସୁନ୍ଦର ଗୁଡ଼ ହୋଇ ପାରେ । ଅନ୍ୟ ସ୍ଥାନମାନଙ୍କରେ ଏହି ଗୁଡ଼ ପ୍ରସ୍ତୁତ କରିବାର ଉଦ୍ୟମ ହେଉଅଛି । କଟକ ଜିଲ୍ଲାର ସାଲେପୁର ଥାନା ଅନ୍ତର୍ଗତ ସିଙ୍ଗମାପୁର ଗ୍ରାମରେ ଶ୍ରୀ ବାବୁ କୃଷ୍ଣବଲ୍ଲଭ ଘୋଷଙ୍କ ଉଦ୍ୟମରେ ଅତି ଉତ୍କୃଷ୍ଟ ଖଜୁରିଗୁଡ଼ ଓ ତାଳଗୁଡ଼ ପ୍ରସ୍ତୁତ ହେଲାଣି ।

 

ଖଜୁରିଗଛର ପତ୍ରରେ ନାନା ପ୍ରକାର ଝାଡ଼ୁ, ବଡ଼ ବଡ଼ ଚଟେଇ, ଛୋଟ ଛୋଟ ଆସନ, ହାତ ବାଗ୍, ଟୋପି ପ୍ରଭୃତି ନାନାବିଧ ପଦାର୍ଥ ପ୍ରସ୍ତୁତ ହୋଇ ପାରେ ।

 

ବେଣା ଓ କାଇଁଚ– ବେଣା ଏକ ପ୍ରକାର ଘାସ । ଏ ଦେଶରେ ଯଥେଷ୍ଟ ବେଣା ଜନ୍ମେ । ଅନେକ ସ୍ଥଳରେ ବେଣାର ଗୋଟିଏ ଗୋଟିଏ ବିସ୍ତୃତ ପଡ଼ିଆ ଜମି ପଡ଼ି ରହିଅଛି । ତାହାକୁ ବେଣାପାଟ କହନ୍ତି । ଏହି ବେଣାର ଚେର ଗୋଟିଏ ସୁଗନ୍ଧ ପଦାର୍ଥ । ଏହାକୁ ଖସ୍‌ଖସ୍‌ କହନ୍ତି । ଖସ୍‌ଖସ୍‌ ତାଟି ଗୋଟିଏ ମୂଲ୍ୟବାନ୍ ପଦାର୍ଥ । ବେଣାଚେରରୁ ମଧ୍ୟ ମୂଲ୍ୟବାନ୍ ଖସ୍‌ଖସ୍‌ ଅତର ପ୍ରସ୍ତୁତ ହୁଏ ।

 

ଠିକ୍ ଏହି ବେଣାଜାତୀୟ ଆଉ ଗୋଟିଏ ଘାସ ଅଛି । ତହିଁରୁ ବର୍ଷାକାଳରେ ଗୋଟିଏ ଗୋଟିଏ ଫୁଲ ବାହାରେ । ସେହି ଫୁଲର କାଣ୍ଡଟି କାଇଁଚ କହନ୍ତି । ଅନେକ ସ୍ଥଳରେ ଗୋଟିଏ ଗୋଟିଏ ବିସ୍ତୃତ କ୍ଷେତ୍ରରେ ବହୁ ପରିମାଣରେ କାଇଁଚ ଜନ୍ମିଥିବା ଦେଖାଯାଏ । ତାହା ଛଡ଼ା ବୁଦା ବୁଦା ହୋଇ ଏହା ସବୁ ଅଞ୍ଚଳରେ ଧାନବିଲମାନଙ୍କରେ ଦେଖାଯାଏ ।

 

କାଇଁଚର ଡାଲା, ପାଛିଆ ଓ ପେଡ଼ି ଆଦି ବୁଣିବା ଓଡ଼ିଶାର ଗୋଟିଏ ବହୁ ପୁରାତନ ଗୃହଶିଳ୍ପ । କରଣଜାତିର ବୋହୂ ଓ ଝିଅମାନେ ସେମାନଙ୍କର ହସ୍ତକୌଶଳ ଓ ଶିଳ୍ପକଳା ପ୍ରତିଫଳିତ କରିବା କାରଣ ଯେତେପ୍ରକାର ସାମଗ୍ରୀ ନିର୍ମାଣ କରୁଥିଲେ, ତହିଁ ମଧ୍ୟରେ କାଇଁଚର ପଦାର୍ଥ ଥିଲା ସର୍ବଶ୍ରେଷ୍ଠ । ବର୍ତ୍ତମାନ ଏହି କାଇଁଚନିର୍ମିତ ପଦାର୍ଥମାନ ବିଲାତ ପ୍ରଭୃତି ପାଶ୍ଚାତ୍ୟ ଦେଶମାନଙ୍କରେ ଆଦୃତ ହେଉଅଛି । ଏଥିରେ ନାନାପ୍ରକାର କାରୁକାର୍ଯ୍ୟ ବିଶିଷ୍ଟ ପଦାର୍ଥମାନ କରାଯାଇ ପାରେ ।

 

ଖରି– ନଈପଠାମାନଙ୍କରେ ଏହା ଆପେ ଆପେ ଜନ୍ମେ । ଏହାର ଛାଲରେ ବାଗ୍, ଟୋପି ଓ ନାନା ପଦାର୍ଥ ବୁଣାଯାଇ ପାରେ । ପାରଳାଖେମୁଣ୍ଡିରେ ଏହାର ଯଥେଷ୍ଟ ବ୍ୟବହାର ହେଉଅଛି । ସେ ଅଞ୍ଚଳରେ ଏହା ଜାଇକାଠି ନାମରେ ପରିଚିତ ।

 

ସୁଆଁଲଇ– ଏହା ବଣବୁଦାରେ ଆପେ ଆପେ ଉଠିଥାଏ । ଏଥିରେ ପାଛିଆ, ଟୋକେଇ, ଚୌକି, ସୁଟ୍‌କେସ୍‌ ପ୍ରଭୃତି ବୁଣା ହୋଇ ପାରେ ।

 

ଜୁଣ, ବେରୁଁହା, କାଣ୍ଡକାଣ୍ଡିଆ, କେଉଟି, ତଣ୍ଡି– ଏଗୁଡ଼ିକ ମଧ୍ୟ ଜାତିଏ ଜାତିଏ ଘାସ । ଏ ସବୁ ଆପେ ଆପେ ଉଠିଥାନ୍ତି । ଏଥିରେ ଲୋକେ ହେଁସ, ମସିଣା ପ୍ରଭୃତି ବୁଣି ବ୍ୟବହାର କରନ୍ତି ।

 

ନାଳିଆ– ସମୁଦ୍ର ଉପକୂଳର କେତେକ ଅଞ୍ଚଳରେ ନାଳିଆ ଆପେ ଆପେ ଉଠି ମାଡ଼ି ଥାଏ । ଏହାଦ୍ୱାରା ସ୍ଥାନୀୟ ଲୋକେ ଟୋକେଇ, ପାଛିଆ ପ୍ରଭୃତି ନିର୍ମାଣ କରୁଅଛନ୍ତି । ଏହା ଅତି ସୁନ୍ଦର ଓ ଶକ୍ତ ପଦାର୍ଥ । ଏହାଦ୍ୱାରା ନାନାପ୍ରକାର ମୂଲ୍ୟବାନ୍ ପଦାର୍ଥ ନିର୍ମିତ ହୋଇ ପାରେ ।

 

ବହୁମୁର୍ଗା– ଏହା ମଧ୍ୟ ସମୁଦ୍ର ଉପକୂଳର କେତେକ ସ୍ଥାନରେ ବହୁ ପରିମାଣରେ ଆପେ ଆପେ ଉଠିଥାଏ । ଲୋକେ ଏଥିରେ ଟୋକେଇ ବୁଣନ୍ତି । ଏହା ବେତ ପରି ଦେଖାଯାଏ । ମାତ୍ର ଏଥିରେ ବହୁ ପରିମାଣରେ ଗଣ୍ଠି ଥାଏ । ଏହା ବେତଠାରୁ ନିକୃଷ୍ଟ ।

 

ଏହିପରି ଆହୁରି ନାନା ପଦାର୍ଥ ଅଛି, ଯାହା ଆପେ ଆପେ ବଣବୁଦାରେ ଜନ୍ମି ନଷ୍ଟ ହେଉଅଛି । ବ୍ୟବହାର କରି ପାରିଲେ ସେଗୁଡ଼ିକ ନାନା ଶିଳ୍ପର ଉପଯୋଗୀ ହେବ, ସନ୍ଦେହ ନାହିଁ-

 

ବେଣ୍ଟଖଣ୍ଡିକର ଅବଶିଷ୍ଟ କାଠଅଂଶ ଉପରେ ଲାଖ-ପାଲିସ୍‌ ବା ବାର୍ଣ୍ଣିସ୍ ଦେଲେ ଏ ଡଷ୍ଟର୍ ଆହୁରି ସୁନ୍ଦର ଦେଖାଯିବ । ୭ ନମ୍ବର ଚିତ୍ର ଦେଖ ।

 

ଏ ପ୍ରକାର ଡଷ୍ଟର୍ ଟେବଲ୍‌, ଆଲମାରି, ବହି, ସିନ୍ଧୁକ ଓ ବାକ୍ସ ଆଦି ଝାଡ଼ିବା ପାଇଁ ଅତ୍ୟନ୍ତ ଉପଯୋଗୀ ।

ବାରବରଷିଆ ବା ମୃର୍ଗାରୁ ବାହାରୁଥିବା ତନ୍ତୁଦ୍ୱାରା ଏହି ଡଷ୍ଟର୍ ତିଆରି କଲେ ଆହୁରି ଅଧିକ ସୁନ୍ଦର ହେବ । ତାହା ବାନ୍ଧିବାର ପ୍ରଣାଳୀ ବାରବରଷିଆର ଅନ୍ୟ କାର୍ଯ୍ୟ ସଙ୍ଗେ ବର୍ଣ୍ଣିତ ହେବ ।

•••

 

ଫୁଲଝାଡ଼ୁ

 

ନଈପଠାମାନଙ୍କରେ ଯେଉଁ ପରି ଖରି ଓ କୌଣସି କୌଣସି ଗ୍ରାମରେ କାଣ୍ଡଶର ଜନ୍ମେ, କେତେକ ଜଙ୍ଗଲରେ ସେହି ଜାତୀୟ ଗୋଟିଏ ଶର ଜନ୍ମେ । ସେହି ଶରର ଫୁଲ କେଣ୍ଡାମାନଙ୍କୁ କାଟି ଆଣି ଫୁଲଝାଡ଼ୁ କରନ୍ତି । ସହରମାନଙ୍କରେ ଏବଂ ଗ୍ରାମର ଦେଉଳ ଓ ଅନ୍ୟ ପକ୍କା ଘରମାନଙ୍କରେ ଏହି ଝାଡ଼ୁର ଯଥେଷ୍ଟ ବ୍ୟବହାର ହୁଏ ।

ଏପର୍ଯ୍ୟନ୍ତ ଯେତେ ଫୁଲଝାଡ଼ୁ ବଜାରରେ ବିକ୍ରି ହେଉଅଛି, ସେଗୁଡ଼ିକରେ କେବଳ କେତେଗୁଡ଼ିଏ ଫୁଲର କେଣ୍ଡାକୁ ଗୋଛା କରି ଧରି ଖଣ୍ଡିଏ ସରୁଆ ଲଇ ଗୁଡ଼ାଇ ଗୋଟିକେତେ ଗଣ୍ଠି ବାନ୍ଧିଦେଇ ଅଥବା ବେଣ୍ଟଟିକୁ ସିଆଳି ଲଇଦ୍ୱାରା ଛନ୍ଦି କରି ବୁଣି ଦେଇ ଝାଡ଼ୁ ପ୍ରସ୍ତୁତ ହେଉଅଛି । ୧ ନମ୍ବର ଚିତ୍ର ଦେଖ ।

Image

(୧ ନମ୍ବର ଚିତ୍ର)

ସେହି ଝାଡ଼ୁର ଆକାର ଆଉ ଟିକିଏ ପରିବର୍ତ୍ତନ କରିଦେଲେ ତାହା ଅଧିକ ବ୍ୟବହାରର ଉପଯୋଗୀ ହେବ । ୩ ନମ୍ବର ଚିତ୍ର ଦେଖ ।

୩ ନମ୍ବର ଚିତ୍ର ଅନୁସାରେ ଫୁଲଝାଡ଼ୁ ତିଆରି କରିବା ପାଇଁ ପ୍ରଥମେ ଫୁଲ ଲାଗିଥିବା ଫୁଲର କେଣ୍ଡାଗୁଡ଼ିକ ମୂଳରୁ ବା ଅଧିକ ଲମ୍ବା ରଖି କଟାଇ ଆଣିବାକୁ ହେବ । ଫୁଲ ଏବଂ କାଣ୍ଡଗୁଡ଼ିକ ଉତ୍ତମରୂପେ ଶୁଖିଗଲେ ସେଗୁଡ଼ିକ ଭୂଇଁରେ ପିଟି ତହିଁରୁ ଧୂସଗୁଡ଼ିକ ଝାଡ଼ି ସଫା କରିଦେବ । ତତ୍ପରେ କାଣ୍ଡଗୁଡ଼ିକ ଏକ ଗଜ ପର୍ଯ୍ୟନ୍ତ ଲମ୍ବା ରଖି ଅବଶିଷ୍ଟ ଅଂଶ କାଟିଦେବ । ଏହି କାଣ୍ଡଗୁଡ଼ିକୁ ହତା ବା ବେଣ୍ଟ କରି ଝାଡ଼ୁଟି ବାନ୍ଧିବାକୁ ହେବ ।

Image

(୨ ନମ୍ବର ଚିତ୍ର)

(୩ ନମ୍ବର ଚିତ୍ର)

ଏ ଝାଡ଼ୁକୁ ବାନ୍ଧିବା ସମୟରେ ଫୁଲ ଥିବା କାଣ୍ଡ ୩।୪ ଗୋଟି ଏକତ୍ର ଧରି ତହିଁର ଅଗ୍ରଭାଗ ଅର୍ଥାତ୍ ଫୁଲ ଥିବା ଅଂଶକୁ କ୍ରମେ ବଙ୍କା କରି ବାନ୍ଧିବାକୁ ଆରମ୍ଭ କରିବ; ଆବଶ୍ୟକ ହେଲେ ଖଣ୍ଡେ ବେତ ବା ବତାର ଅଗ ସରୁକରି ଯୋଗ କରିବ । ବେତ ପାତିଆ ବା କୋରଟ ପାତିଆଦ୍ୱାରା ବାନ୍ଧିଲେ ସୁନ୍ଦର ଏବଂ ଶକ୍ତ ହେବ । ଫୁଲଗୁଡ଼ିକ ଉପର ପାଖକୁ ରଖୁଥିବ । ୨ ନମ୍ବର ଚିତ୍ର ଦେଖ । ଆବଶ୍ୟକତା ଅନୁସାରେ ଥରେ ଥରେ କାଣ୍ଡରୁ ଫୁଲର କେଣ୍ଡାକୁ ଛିଣ୍ଡାଇ ନେଇ କେବଳ ଫୁଲ ଯୋଗ କରିବ । କେତେବେଳେ ଅବା କାଣ୍ଡ ସହିତ ଫୁଲକେଣ୍ଡା ମିଶାଉଥିବ । ପ୍ରତିଥର ଫୁଲର କେଣ୍ଡାକୁ ଯୋଗ କରି ତହିଁର ମୂଳଉପରେ ବେତ ବା କୋରଟ ପାତିଆକୁ ୪।୫ଥର ଗୁଡ଼ାଇ ଦେଉଥିବ । ଏ ଝାଡ଼ୁ ଆବଶ୍ୟକୀୟ ଆକାର ପର୍ଯ୍ୟନ୍ତ ହୋଇଗଲେ ବନ୍ଧାଯାଉଥିବା ପାତିଆକୁ ସେହିଠାରେ ଶେଷ କରି ଗଣ୍ଠିଦେଇ ଅଟକାଇ ଦେବ ।

ବନ୍ଧା ହେବା ପରେ ନିମ୍ନକୁ ବାହାରି ପଡ଼ିଥିବା କାଣ୍ଡଗୁଡ଼ିକୁ ବର୍ତ୍ତମାନ ହତା ବା ବେଣ୍ଟ ହେବା ନିମନ୍ତେ ଉତ୍ତମରୂପେ ସଜାଡ଼ି ଦେବ । ବେଣ୍ଟକୁ ଗୋଲ କରିବା ପାଇଁ ଆବଶ୍ୟକ ହେଲେ ଆଉ ଗୋଟିକେତେ ଫୁଲ ନ ଥିବା ଖାଲି ଶର ଏ ମୁଠାରେ ପୂରାଇ ଦେଇ ହାତ ମୁଠିଦ୍ୱାରା ବଳିଦେଇ ଗୋଲ କରି ଧରିବ । ବେଣ୍ଟକୁ ଏକଗଜ ଲମ୍ବା ରଖି ତହିଁ ଉପରେ ୪।୫ ସ୍ଥାନରେ ବେତ ବା କୋରଟ ପାତିଆ ଦ୍ୱାରା ୪।୫ ଗୋଟି ମୁଠା ବାନ୍ଧିଦେବ । ଶେଷରେ ବନ୍ଧା ହେବା ମୁଠାକୁ ଅନ୍ୟ ମୁଠାମାନଙ୍କଠାରୁ କିଛି ଅଧିକ ଚଉଡ଼ା କରିବ । ଶେଷ ମୁଠାଠାରୁ ଏକ ଇଞ୍ଚ ଛାଡ଼ି ହତାର ମୁଣ୍ଡକୁ ସମତୁଲ କରି କାଟିଦେବ । ଗୁଡ଼ା ହୋଇଥିବା ବେତ ବା କୋରଟ ପାତିଆଗୁଡ଼ିକ ନାଲି, ନୀଳ, ସାବଜା ଆଦି ଭିନ୍ନ ଭିନ୍ନ ରଙ୍ଗରେ ରଙ୍ଗାଇ କରି ବ୍ୟବହାର କଲେ ଏ ଝାଡ଼ୁ ଆହୁରି ସୁନ୍ଦର ଦେଖାଯିବ ।

•••

 

ତାଳପତ୍ର

 

ସହଜରେ ସବୁଠାରେ ତାଳପତ୍ର ମିଳି ପାରେ । ତାଳପତ୍ରରେ ନାନା ପଦାର୍ଥ ବୁଣାଯାଇ ପାରେ; ତାହା ଛଡ଼ା ଅନ୍ୟାନ୍ୟ ମୂଲ୍ୟବାନ୍ ଉପକରଣଦ୍ୱାରା ଯାହା ଯାହା ବୁଣାଯାଇ ପାରିବ, ସେହି ସବୁ ପଦାର୍ଥର ବୁଣିବାର ପ୍ରଣାଳୀ ମଧ୍ୟ ତାଳପତ୍ରଦ୍ୱାରା ନୂଆ ଶିଖାଳିଙ୍କୁ ଶିକ୍ଷା ଦିଆଯାଇ ପାରିବ; ତେଣୁ ଏଠାରେ ତାଳପତ୍ରପଙ୍ଖା ବାନ୍ଧିବା ଓ ତାଳପତ୍ରଦ୍ୱାରା କେତେଗୁଡ଼ିଏ ବୁଣିବାର ପ୍ରଣାଳୀ ପ୍ରଦତ୍ତ ହେଲା ।

 

ପଙ୍ଖା– ତାଳପତ୍ରର ପଙ୍ଖା ଓ ବିଞ୍ଚଣା ଅନେକ ପ୍ରକାରର ହୋଇଥାଏ । ଗୋଟିଏ ତାଳବାହୁଙ୍ଗା କାଟିଆଣି ତାହାକୁ ଏକ ସମତଳ ସ୍ଥାନରେ ରଖିବ । ତହିଁର ପତ୍ରକୁ ଏପରି ଭାବରେ ଆସ୍ତେ ଆସ୍ତେ ମେଲାଇବ, ଯେପରି କି, ପତ୍ରଟି କୌଣସି ସ୍ଥାନରେ ଫାଟିଯିବ ନାହିଁ । ଆବଶ୍ୟକ ହେଲେ କୌଣସି ଏକ ପାଖରୁ ପତ୍ରର କେତେକ ଅଂଶ କାଟି ବାହାର କରି ଦେଇ ପାର । ବେଣ୍ଟକୁ କ୍ରମେ ଏକ ପାଖର ପତ୍ର ଉପରକୁ ମଡ଼ାଇ କରି ରଖିବ । ଏହି ଅବସ୍ଥାରେ ବେଣ୍ଟ ଓ ପତ୍ରକୁ ମିଶାଇ ତହିଁ ଉପରେ ଗୋଟିଏ ପଥରର ଚକି ବା ଅନ୍ୟ କିଛି ଗୋଲାକାର ଭାରି ପଦାର୍ଥ ମଡ଼ାଇ ଦେଇ ରଖିବ । ୧୦।୧୨ ଘଣ୍ଟା ପରେ ସେହି ଭାରି ପଦାର୍ଥକୁ କାଢ଼ିନେଲେ ଦେଖି ପାରିବ ଯେ, ପତ୍ରଟି ବିସ୍ତାରିତ ହୋଇ ରହି ଯାଇଥିବ ।

 

ବର୍ତ୍ତମାନ ପଙ୍ଖା ନିମନ୍ତେ ଯେଉଁ ଅଂଶ ଆବଶ୍ୟକ, ପତ୍ରର ସେହି ଅଂଶରେ ଗୋଟିଏ ପେନ୍‌ସିଲଦ୍ୱାରା ଦାଗ୍‌ ଦେଇ ତାହାକୁ ଚିହ୍ନିତ କରିବ । ଅବଶିଷ୍ଟ ଅଂଶକୁ କତୁରିରେ କାଟି ଦେବ । ଚିତ୍ର ଅନୁକରଣରେ ଏହାର ଦାଢ଼ରେ ଦୁଇ ପାଖରେ ଦୁଇଗୋଟି ଖଡ଼ିକା ବସାଇ ଛୁଞ୍ଚିଦ୍ୱାରା ଫୋଡ଼ି କେତେକ ସ୍ଥାନରେ ସୂତା ଦେଇ ବାନ୍ଧି ଦେଲେ ଗୋଟିଏ ସୁନ୍ଦର ପଙ୍ଖା ହେବ ।

Image

(୧ ନମ୍ବର ଚିତ୍ର)

ପଙ୍ଖାକୁ ସୁନ୍ଦର କରିବା ପାଇଁ ତହିଁରେ କେତେଗୁଡ଼ିଏ କଲୀ ଦିଆଯାଇ ପାରେ । କଲୀ ଦେବାକୁ ହେଲେ ପ୍ରଥମେ ତହିଁରେ ଦୁଇ ପାଖରେ ଖଡ଼ିକା ଖଞ୍ଜି ସ୍ଥାନେ ସ୍ଥାନେ ସୂତାଦ୍ୱାରା ବାନ୍ଧି ଦେବ; ତତ୍ପରେ ଖଣ୍ଡିଏ ସରୁ ଓ କଅଁଳ ତାଳପତ୍ର ନେବ । ଏହି ପତ୍ର ଖଣ୍ଡିକର ଏକ ପାର୍ଶ୍ୱରେ ‘୧’ ଓ ଅନ୍ୟ ପାର୍ଶ୍ୱରେ ‘୨’ ଚିହ୍ନ ଦେବ । ‘୧’ ଚିହ୍ନିତ ପାର୍ଶ୍ୱ ତଳକୁ ଓ ‘୨’ ଚିହ୍ନିତ ପାର୍ଶ୍ୱ ଉପରକୁ ରଖି ତହିଁରେ ଏକପ୍ରାନ୍ତ ପଙ୍ଖାରେ ଖଞ୍ଜା ହୋଇଥିବା ଖଡ଼ିକାର କୌଣସି ସ୍ଥାନରେ ସେହି ଖଡ଼ିକାର ତଳେ ଭର୍ତ୍ତି କରିଦେବ । ତାହାକୁ ସେହି ସ୍ଥାନରେ ଟିପି ଧରିବ । ପତ୍ରଟିର ଅପର ପ୍ରାନ୍ତ ଠିକ ପୂର୍ବପରି ‘୧’ ଚିହ୍ନିତ ପାର୍ଶ୍ୱକୁ ତଳକୁ ଓ ‘୨’ ଚିହ୍ନିତ ପାର୍ଶ୍ୱକୁ ଉପରକୁ ରଖି ସେହି ଖଡ଼ିକା ତଳେ ଅନ୍ୟ ପାଖରୁ ପୂରାଇ ତାହାକୁ ଟାଣିନେଲେ ଖଡ଼ିକାର ଦେହକୁ ଲାଗି ତହିଁର ଏକ ପାର୍ଶ୍ୱରେ ଗୋଟିଏ କଲୀ ହୋଇଯିବ । ୨ ନମ୍ବର ଚିତ୍ର ଦେଖ ।

Image

(୨ ନମ୍ବର ଚିତ୍ର)

ପୁନଶ୍ଚ ପତ୍ରଟିର ସେହି ଦ୍ୱିତୀୟ ପ୍ରାନ୍ତକୁ ପୂର୍ବପରି ‘୧’ ଚିହ୍ନିତ ପାର୍ଶ୍ୱକୁ ତଳକୁ ‘୨’ ଚିହ୍ନିତ ପାର୍ଶ୍ୱକୁ ଉପରକୁ ରଖି ସେହି ଖଡ଼ିକା ତଳେ ପୂରାଇ ଟାଣିନେଲେ ପ୍ରଥମ କଲୀର ବିପରୀତ ପାର୍ଶ୍ୱରେ ଆଉ ଗୋଟିଏ କଲୀ ହୋଇଯିବ । ଏହିପରି କ୍ରମାଗତ ଯେତେଥର ପତ୍ରଟି ପୂରାଇ ଟାଣି ନେଉଥିବ ସେତେଥର ଗୋଟିଏ ଗୋଟିଏ କଲୀ ଏପାଖରେ ଓ ସେପାଖରେ ପଡ଼ିଯାଉଥିବ । ପ୍ରଥମ ପତ୍ରଖଣ୍ଡି ଶେଷ ହେବା ପୂର୍ବରୁ ଆଉ ଖଣ୍ଡିଏ ଠିକ ସେହିପରି ପତ୍ର ଯୋଡ଼ି ସେହି ଖଡ଼ିକାର ଦୁଇପାର୍ଶ୍ୱରେ କଲୀ ପକାଇ ଯିବ । ଏହିପରି ପଙ୍ଖାରେ ଯେତେ ଧାଡ଼ି କଲୀ ପକାଇ ତାହା ଚିତ୍ରିତ କରିବାକୁ ଇଚ୍ଛା କରିବ, ତେତେ ଧାଡ଼ି ଖଡ଼ିକା ଖଞ୍ଜି ଉପଲିଖିତ ପ୍ରଣାଳୀରେ କଲୀ ପକାଇ ତାହା ଚିତ୍ରିତ କରି ପାରିବ ।

Image

(୩ ନମ୍ବର ଚିତ୍ର)

ବିଞ୍ଚଣା– ପ୍ରଥମେ କେତେଗୁଡ଼ିଏ ତାଳପତ୍ର ନେଇ ତାହାକୁ ସମାନ ସମାନ କରି ଚିରିବ-। ତାଳପତ୍ରକୁ ସହଜରେ ସମାନ କରି ଚିରିବାର ପ୍ରଣାଳୀ ପରେ ଦିଆଯାଇଅଛି ।

 

ବିଞ୍ଚଣାଟି ଯେତେ ଚୌଡ଼ାର କରିବାକୁ ଇଚ୍ଛା କରିବ, ସେହି ଚୌଡ଼ାର ଗୋଟିଏ ସମତଳ ସ୍ଥାନରେ ପତ୍ରଗୁଡ଼ିକ ଗୋଟିକ ପରେ ଗୋଟିଏ ବିଛାଇ ଦେବ । ତହିଁର ଏକ ପ୍ରାନ୍ତରେ ତହିଁ ଉପରେ ଖଣ୍ଡିଏ ପଟା ବା ବତା ରଖି ତାହାକୁ ଗୋଡ଼ ଆଙ୍ଗୁଳିଦ୍ୱାରା ମାଡ଼ି ଧରିବ ।

 

ବର୍ତ୍ତମାନ ବାମ ପାର୍ଶ୍ୱରୁ ବୁଣିବାକୁ ଆରମ୍ଭ କରି ଗୋଟିଏ ଛଡ଼ା ଗୋଟିଏ ପତ୍ର ଉପରକୁ ଉଠାଇବ । ଏହି ବ୍ୟବଧାନରେ ଆଡ଼ବାଗରେ ଗୋଟିଏ ପତ୍ର ଗୁଞ୍ଜି ଦେବ । ତତ୍‌ପରେ ତଳକୁ ରଖିଥିବା ପତ୍ରଗୁଡ଼ିକୁ ଉପରକୁ ଉଠାଇ ଦେଲେ ପୂର୍ବ ଥର ଉପରକୁ ଉଠିଥିବା ପତ୍ରଗୁଡ଼ିକ ତଳକୁ ରହିଯିବ । ଏହି ବ୍ୟବଧାନରେ ଆଉ ଗୋଟିଏ ପତ୍ର ଗୁଞ୍ଜି ଦେବ । ପୁନଶ୍ଚ ତଳକୁ ରହିଥିବା ପତ୍ରଗୁଡ଼ିକ ଉପରକୁ ଏବଂ ଉପରକୁ ଉଠିଥିବା ପତ୍ରଗୁଡ଼ିକ ତଳକୁ ଦେଇ ପୁଣି ଗୋଟିଏ ପତ୍ର ଗୁଞ୍ଜି ଦେବ । ଏହିପରି ଗୋଟିକ ପରେ ଗୋଟିଏ ଲେଖାଏଁ ପତ୍ର ଖଞ୍ଜୁ ଖଞ୍ଜୁ ଯେତିକି ଚୌଡ଼ାରେ ପତ୍ର ପାରିଥିବ ସେହି ପରିମାଣର ଲମ୍ବା ହୋଇଗଲେ ବୁଣିବା ବନ୍ଦ କରିବ ।

Image

(୧ ନମ୍ବର ଚିତ୍ର)

ବର୍ତ୍ତମାନ ବୁଣା ହୋଇଥିବା ଅଂଶର ବାହାରକୁ ଚାରିପାଖରେ ବାହାରିଥିବା ପତ୍ରର ଅଂଶକୁ ଯେ ଯେଉଁ ଆଡ଼କୁ ମୁହିଁଥିବ ତାହା ସେହି ଆଡ଼କୁ ମୋଡ଼ି ବୁଣା ହୋଇଥିବା ଅଂଶରେ ଗୁଞ୍ଜି ଦେବ । ତହିଁ ମଧ୍ୟରେ ଚାରିପାଖରେ ଗୋଟିଏ ତାଳପତ୍ରର ଶିର ବା ଖଡ଼ିକା ଖଞ୍ଜି ସେହି ଖଡ଼ିକା ଉପରେ ବୁଲାଇ ପତ୍ରଗୁଡ଼ିକ ମୋଡ଼ିଦେଲେ ବିଞ୍ଚଣାଟି ଶକ୍ତ ହେବ ଏବଂ ମୋଡ଼ାହେବା ପତ୍ରଗୁଡ଼ିକ ସମାନଭାବରେ ମୋଡ଼ି ହୋଇ ରହି ସୁନ୍ଦର ଦେଖାଯିବ ।

Image

(୨ ନମ୍ବର ଚିତ୍ର)

ଏହି ବିଞ୍ଚଣାଟିରେ ଖଣ୍ଡିଏ ବେଣ୍ଟ ଲଗାଇବା ଆବଶ୍ୟକ । ବେଣ୍ଟ ନିମନ୍ତେ ଖଣ୍ଡିଏ ବାଉଁଶ କଣି କିମ୍ବା ଖଣ୍ଡିଏ ସରୁ ବତା ଆଣିବ । ତାହା ବିଞ୍ଚଣାଠାରୁ ୮।୯ ଇଞ୍ଚ ଅଧିକ ଲମ୍ବା ହେବା ଆବଶ୍ୟକ । ବାଉଁଶକଣିର ଏକ ପ୍ରାନ୍ତରେ ଗୋଟିଏ ଗଣ୍ଠି ଉଚ୍ଚ କରି ରଖିବ । ବତା ହୋଇଥିଲେ ବତାର ଏକପ୍ରାନ୍ତରେ ଗଣ୍ଠି ରଖି ଅବଶିଷ୍ଟ ଅଂଶକୁ ଚାଞ୍ଛି କରି ଗୋଲ କରିଦେବ ।

Image

(୩ ନମ୍ବର ଚିତ୍ର)

୩ ନମ୍ବର ଚିତ୍ରପରି ୪।୫ ଇଞ୍ଚ ଲମ୍ବା ଖଣ୍ଡିଏ ବାଉଁଶ ନଳ କାଟି ସେହି ନଳ ମଧ୍ୟରେ ସେହି କାଠିର ଗଣ୍ଠି ନ ଥିବା ପାଖକୁ ଏପରି ଭାବରେ ପୂରାଇଦେବ, ଯେପରି ନଳଟି ଯାଇ ତହିଁର ଅନ୍ୟ ପ୍ରାନ୍ତରେ ଥିବା ଗଣ୍ଠିରେ ଅଟକି ରହିବ ଏବଂ କାଠିଟି ନଳ ମଧ୍ୟରେ ସରଳ ଭାବରେ ବୁଲି ପାରିବ । ନଳ ବାଦ୍ ବେଣ୍ଟର ଅବଶିଷ୍ଟ ଅଂଶକୁ ସମାନ ଦୁଇ ଭାଗରେ ଚିରି ତହିଁ ମଧ୍ୟରେ ବିଞ୍ଚଣାଟିର ଏକପାର୍ଶ୍ୱକୁ ପୂରାଇ ଦେବ ଏବଂ ବିଞ୍ଚଣାର ଚିରା ପାତିଆ ମିଶା ପାର୍ଶ୍ୱକୁ ତାଳକୋରଟ ପାତିଆଦ୍ୱାରା ଭିଡ଼ି ବାନ୍ଧି ଦେବ । ଏହିପରି ବାନ୍ଧିବାକୁ ହେଲେ ବିଞ୍ଚଣାକୁ ଗୋଟିଏ ଡାମ୍ଫଣଦ୍ୱାରା ଫୋଡ଼ିଦେବା ଆବଶ୍ୟକ ହେବ । ୪ ନମ୍ବର ଚିତ୍ର ଦେଖ ।

Image

(୪ ନମ୍ବର ଚିତ୍ର)

୪ ନମ୍ବର ଚିତ୍ରରେ ସରଳଭାବରେ ବିଞ୍ଚଣା ବାନ୍ଧିବାର ପ୍ରଣାଳୀ ଦେଖାଇ ଦିଆଯାଇଅଛି-। ଏହି ବେଣ୍ଟ ପାଖରେ ସମାନ୍ତରାଳ କରି ଆଉ ଖଣ୍ଡିଏ ଖଡ଼ିକା ଧରି ପ୍ରତିଥର କୋରଟ ସେହି ଖଡ଼ିକା ଉପରେ ଥରେ ଲେଖାଏଁ ବୁଲାଇଆଣି ଗୁନ୍ଥିଲେ ସେହି ବନ୍ଧା ଅଧିକ ସୁନ୍ଦର ଓ ଅଧିକ ଶକ୍ତ ହେବ । ୫ ନମ୍ବର ଚିତ୍ର ଦେଖ ।

 

Image

(୫ ନମ୍ବର ଚିତ୍ର)

ଉପରେ ଚାରିକୋଣିଆ ବିଞ୍ଚଣା ବୁଣିବାର ପ୍ରଣାଳୀ ଦିଆଗଲା । ଯେବେ ବିଞ୍ଚଣାଟିରେ ଅଧିକଗୁଡ଼ିଏ କୋଣ ରଖିବାକୁ ଇଚ୍ଛା କରିବ, ତେବେ ଯେଉଁ ଯେଉଁ ସ୍ଥାନରେ କୋଣ ରଖିବ, କେବଳ ସେହି ସେହି ସ୍ଥାନ ପର୍ଯ୍ୟନ୍ତ ବୁଣି ଅବଶିଷ୍ଟ ଅଂଶ ଛାଡ଼ିଦେବ । ଶେଷକୁ ସେହି ସେହି ସ୍ଥାନରେ ବାହାରିଥିବା ପତ୍ରଗୁଡ଼ିକୁ ମୋଡ଼ି ବୁଣା ହୋଇଥିବା ଅଂଶରେ ଖଞ୍ଜି ବୁଣି ଦେଲେ ସେହି ସେହି ସ୍ଥାନରେ ଗୋଟିଏ ଗୋଟିଏ କୋଣ ବାହାରି ପଡ଼ିବ । ବିଞ୍ଚଣାରେ ଭିନ୍ନ ଭିନ୍ନ ରଙ୍ଗର ପତ୍ର ବ୍ୟବହାର କଲେ ଆହୁରି ସୁନ୍ଦର ହେବ । ପାର୍ଶ୍ୱର ୬ ନମ୍ବରରେ ଦୁଇଗୋଟି ରଙ୍ଗର ତାଳ ପତ୍ରରେ ବୁଣା ଯାଇଥିବା ଗୋଟିଏ ବିଞ୍ଚଣାର ଚିତ୍ର ଦିଆଗଲା । ତହିଁରେ ଅନେକଗୁଡ଼ିଏ କୋଣ ରଖାଯାଇଅଛି ।

Image

(୬ ନମ୍ବର ଚିତ୍ର)

ପଙ୍ଖାରେ ଯେପରି କଲୀ ପକାଇ ତାହାକୁ ଚିତ୍ରିତ କରିବାର ପ୍ରଣାଳୀ ପୂର୍ବେ ବର୍ଣ୍ଣିତ ହୋଇଅଛି, ବିଞ୍ଚଣାରେ ମଧ୍ୟ ଠିକ୍ ସେହିପରି ଓ ଠିକ୍ ସେହି ପ୍ରଣାଳୀରେ କଲୀ ପକାଇ ବିଞ୍ଚଣାକୁ ନାନାପ୍ରକାରରେ ଚିତ୍ରିତ କରି ପାରିବ ।

 

ପଙ୍ଖା ହେଉ ବା ବିଞ୍ଚଣା ହେଉ, ତହିଁରେ ଯେଉଁପରି ଚିତ୍ର ଉଠାଇବାକୁ ଇଚ୍ଛା କରିବ ପ୍ରଥମେ ସେହିପରି ଖଡ଼ିକା ବାନ୍ଧିଯିବ । ତତ୍‌ପରେ ତହିଁରେ କଲୀ ପକାଇବ ।

 

ପଙ୍ଖା ବା ବିଞ୍ଚଣାର ଧଡ଼ିରେ କନାର ଝାଲର ଲଗାଇବାକୁ ଇଚ୍ଛା କଲେ ପ୍ରଥମେ ଛୁଞ୍ଚି ଓ ସୂତା ସାହାଯ୍ୟରେ ଖଣ୍ଡିଏ କନା ତହିଁର ଧଡ଼ିରେ ସିଲାଇ କରି ଲଗାଇ ଦେବ । ଆଉ ଖଣ୍ଡିଏ କନାକୁ କୁଞ୍ଚ କରି ସେହି କନା ସଙ୍ଗେ ଲଗାଇକରି ସିଲାଇ କରିଦେବ ।

•••

 

ପତ୍ରକଟା ଯନ୍ତ୍ର

 

ଏହାପରେ ତାଳପତ୍ରଦ୍ୱାରା କେତେକଗୁଡ଼ିଏ ପଦାର୍ଥ ବୁଣିବାର ପ୍ରଣାଳୀ ବର୍ଣ୍ଣିତ ହେବ । ତହିଁପାଇଁ ପତ୍ରଗୁଡ଼ିକ ସରୁ ସରୁ ଓ ସମାନ ସମାନ କରି ଚିରିବା ଆବଶ୍ୟକ । ତାଳପତ୍ର ଦ୍ୱାରା ଯେ କୌଣସି ପଦାର୍ଥ ବୁଣିବ, ସେଥିନିମନ୍ତେ ଯେବେ ପ୍ରଥମରୁ ପତ୍ରଗୁଡ଼ିକ ସମାନ ସମାନ କରି ଚିରି ନ ରଖିବ ତେବେ କୌଣସି ପଦାର୍ଥ ସୁନ୍ଦର ଦେଖାଯିବ ନାହିଁ ।

Image

(୧ ନମ୍ବର ଚିତ୍ର)

ପତ୍ରଗୁଡ଼ିକ ସମାନ ସମାନ କରି ଚିରିବା ଲାଗି ଆମ୍ଭେମାନେ ଗୋଟିଏ ସରଳ ଯନ୍ତ୍ର ବାହାର କରିଅଛୁଁ । ତାହା କେବଳ ୨ ଇଞ୍ଚ ଚଉଡ଼ା ୨ ଇଞ୍ଚ ମୋଟ ୩ ଇଞ୍ଚ ଲମ୍ବ ଖଣ୍ଡିଏ କ୍ଷୁଦ୍ର କାଠ ଏହାର ଚାରିପାଖ ରନ୍ଦାମାରି ସମାନ କରା ଯାଇଅଛି । ଏହା ଉପରେ କରତଦ୍ୱାରା କେତୋଟି ଭିନ୍ନ ଭିନ୍ନ ମାପର ଘାଇ କଟା ହୋଇଅଛି । ସେହି ଘାଇଗୁଡ଼ିକର ଉପରେ ଖଣ୍ଡିଏ ରଦି ଖୁର ପାତିଆ । (Safetyrazor Blade) ପାରି ଦିଆ ଯାଇଅଛି । ସେହି ଖୁର ପାତିଆ ଉପରେ ଏବଂ ଘାଇଗୁଡ଼ିକ ବାଦ୍‌ଦେଲେ ଦୁଇଟି ଘାଇ ମଧ୍ୟରେ ଏବଂ ଦୁଇ ପାଖରେ କାଠର ଯେଉଁ ଅଂଶ ବାକୀ ରହିଅଛି, ଠିକ ସେହି ଅଂଶଗୁଡ଼ିକ ଉପରେ ଏବଂ ସେହି ସେହି ଅଂଶର ସରି ସମାନ ଖଣ୍ଡିଏ ଖଣ୍ଡିଏ ଛୋଟ ଛୋଟ କାଠର ଢାଙ୍କୁଣି ଚାଞ୍ଚି ତହିଁ ଉପରେ ବସାଇ ଦିଆଯାଇଅଛି । ଏହି କାଠ ଖଣ୍ଡିକ ଆଉ ଖଣ୍ଡିଏ ୬ ଇଞ୍ଚ ଲମ୍ବ ୩ ଇଞ୍ଚ ଚଉଡ଼ା କ୍ଷୁଦ୍ର ପଟାଉପରେ କଣ୍ଟାଦ୍ୱାରା ବସାଇ ଦିଆଯାଇଅଛି । ଯନ୍ତ୍ରଟି ବ୍ୟବହାର କଲାବେଳେ ତାହାକୁ ଗୋଡ଼ରେ ମାଡ଼ି ଧରିବାକୁ ତହିଁର ତଳେ ଆଉ ଖଣ୍ଡିଏ ପ୍ରାୟ ଦେଢ଼ ଫୁଟ ଲମ୍ବା ଓ ୩ ଇଞ୍ଚ ଚଉଡ଼ାର ପଟା ଲାଗିଅଛି । ନ୧ମ୍ବର ଚିତ୍ର ଦେଖ ।

ତାଳପତ୍ର ଚିରିବାକୁ ହେଲେ ପ୍ରଥମେ ପତ୍ରରୁ ଶିରାଗୁଡ଼ିକ ଛୁରୀ ବା ପନିକିଦ୍ୱାରା ବାହାର କରିଦେବ ଏବଂ ପତ୍ରର ଏକ ମୁଣ୍ଡକୁ ସରଳ ଭାବରେ କାଟି ରଖିବ ।

Image

(୨ ନମ୍ବର ଚିତ୍ର)

ପରିବା କାଟିବା ପାଇଁ ପନିକିରେ ବସିଲା ପରି ପଟା ଖଣ୍ଡିକ ଗୋଡ଼ରେ ମାଡ଼ି ବସିବ । ଗୋଟିଏ ତାଳପତ୍ର ନେଇ ତହିଁର କଟା ହୋଇଥିବା ମୁଣ୍ଡକୁ ଗୋଟିଏ ଘାଇରେ ଏକ ପାଖରୁ ପୂରାଇ ତାହାକୁ ଦୁଇ ହାତଦ୍ୱାରା ଆସ୍ତେ ଆସ୍ତେ ଚଳାଇ ଅନ୍ୟ ପାଖରେ ବାହାର କରିନେବ । ୨ନମ୍ବର ଚିତ୍ର ଦେଖ । ସେହି ଘାଇରେ ଯେତେ ପତ୍ର କାଟିବ ତାହାସବୁ ସମାନ ଚଉଡ଼ା ହେବ । ଭିନ୍ନ ଭିନ୍ନ ଘାଇରୁ ସେହିପରି ଭିନ୍ନ ଭିନ୍ନ ଚଉଡ଼ାର ପତ୍ର ସହଜରେ ଅଳ୍ପ ସମୟ ମଧ୍ୟରେ ଏହି ଯନ୍ତ୍ରଦ୍ୱାରା କାଟିନେଇ ପାରିବ ।

•••

 

ତାଳପତ୍ରକୁ ରଙ୍ଗାଇବାର ପ୍ରଣାଳୀ

 

ରଙ୍ଗ– ତାଳପତ୍ର, କୋରଟ, କାଇଞ୍ଚ, ବେତ, ନାଳିଆ, ଖରି, ଆଖୁଗଛରୁ ବାହାର ପଡ଼ିଥିବା କାଣ୍ଡ ଓ କିଆପତ୍ର ଆଦିକୁ ରଙ୍ଗାଇବା ପାଇଁ ମେଜେଣ୍ଡର୍ ଜାତୀୟ ରଙ୍ଗ (Basic colour) ଉପଯୁକ୍ତ ରଙ୍ଗ ଅଟେ । ଏସିଡ୍‌ କଲ୍‌ର ନାମକ ରଙ୍ଗ ଦ୍ୱାରା ମଧ୍ୟ ଏହା ରଙ୍ଗା ଯାଇପାରିବ । ମାତ୍ର ଏସିଡ୍‌ ରଙ୍ଗର ମୂଲ୍ୟ ଅଧିକ, ତେଣୁ ଅଧିକ ଖରଚ ପଡ଼ିବ ।

ବଜାରରେ ନାନା ପ୍ରକାର ରଙ୍ଗ ବିକ୍ରୟ ହୁଏ । ଯେଉଁ ରଙ୍ଗ ଯାହାପାଇଁ ଉପଯୁକ୍ତ ତାହା ଚିହ୍ନି କରି ନ ଆଣିଲେ ଭ୍ରମରେ ପଡ଼ି ହଇରାଣ ହେବାକୁ ପଡ଼ିବ ।

ଉପରୋକ୍ତ ପଦାର୍ଥମାନଙ୍କ ନିମନ୍ତେ ଶସ୍ତା ଓ ଉଜ୍ଜ୍ୱଳ ରଙ୍ଗ ମଧ୍ୟରେ (Basic) ମେଜେଣ୍ଡର ଜାତୀୟ ରଙ୍ଗହିଁ ସର୍ବୋତ୍କୃଷ୍ଟ । ମେଜେଣ୍ଡର ରଙ୍ଗ ଦେଖିବାକୁ ଦାନା ଦାନା ପରି, ମାତ୍ର ଅନ୍ୟ କେତେକ ରଙ୍ଗ ଅଛି, ତାହା ମଧ୍ୟ ଦେଖିବାକୁ ଦାନା ଦାନା ପରି । ପୁଣି କେତେକ ମେଜେଣ୍ଡର ଜାତୀୟ ରଙ୍ଗ (Basic colour) ଅଛି ତାହା ଦାନା ଦାନା ନ ହୋଇ କେବଳ ଚୂନା-। ଏହି ସବୁ କାରଣରୁ ରଙ୍ଗ ଚିହ୍ନିବାରେ ସାଧାରଣ ଲୋକଙ୍କ ପକ୍ଷରେ ଭ୍ରମ ଘଟିବା ସ୍ୱାଭାବିକ-

ତେଣୁ ଉପରୋକ୍ତ ପଦାର୍ଥମାନ ରଙ୍ଗ କରିବାକୁ ହେଲେ ବଜାରରୁ ରଙ୍ଗ କିଣିବା ବେଳେ ରଙ୍ଗ ଡବା ଉପରେ ଯାହା ଲେଖାଥାଏ, ତାହାକୁ ପଢ଼ି ନିମ୍ନଲିଖିତ ଲେଖାର ରଙ୍ଗ ଚିହ୍ନି ଆଣିଲେ ଆଉ ସନ୍ଦେହର କାରଣ ନ ଥିବ ।

 

କଳା

-

Jute black B.N.

ଲାଲ

-

Red megenta

ଗୋଲାପି

-

Rodhamine G. extra.

ହଳଦିଆ

-

Oramine O.

ସାବଜା

-

(i)

Royal Green L.C.

 

 

(ii)

Mel kait green

ନୀଳ (ବ୍ଲୁ)

 

(i)

Methyline Blue B.

 

 

(ii)

Methyline Blue 2. B.

 

 

(iii)

Do Do 6. B.

ବାଇଙ୍ଗଣି

 

(i)

Methyline violet B.B.

 

 

(ii)

Cristol violet 10. B.

 

ଏହା ଛଡ଼ା ଅନ୍ୟ କୌଣସି ପ୍ରକାର ରଙ୍ଗ କରିବାକୁ ଇଚ୍ଛା କଲେ ଉପରୋକ୍ତ ରଙ୍ଗମାନଙ୍କ ମଧ୍ୟରୁ ବିବେଚନା କରି ଆବଶ୍ୟକ ପରିମାଣର ଭିନ୍ନ ଭିନ୍ନ ଦୁଇ ବା ତତୋଽଧିକ ରଙ୍ଗ ମିଶାଇଲେ ନାନା ପ୍ରକାର ଭିନ୍ନ ଭିନ୍ନ ରଙ୍ଗ ପାଇ ପାରିବ ।

•••

 

ରଙ୍ଗାଇବା ପ୍ରଣାଳୀ

 

ପ୍ରଥମେ ତାଳପତ୍ରକୁ ଦରକାରୀ ଆକାରରେ ଚିରି ସେଗୁଡ଼ିକୁ ମୋଡ଼ିକରି ଚେକା-କରିବ-। ତାହାକୁ ଢିଲା ରଖି ଦୁଇ ତିନି ସ୍ଥାନରେ ବାନ୍ଧି ଦେବ, ଯେପରି କି ଫିଟି ନ ଯାଏ । ମାତ୍ର ଅଧିକ ଶକ୍ତ କରି ବାନ୍ଧିବ ନାହିଁ । ଶକ୍ତ କରି ବାନ୍ଧିଲେ ମୋଡ଼ା ଭିତରେ ରଙ୍ଗ ପ୍ରବେଶ କରିବାକୁ ଅସୁବିଧା ହେବ ।

 

ତହିଁପୂର୍ବରୁ ୧୦ ସେର ପରିମିତ ପାଣିରେ ଅଧସେର ହରିଡ଼ାକୁ ଛେଚି ୧୨।୧୪ ଘଣ୍ଟା ଆଗରୁ ଗୋଟିଏ ମାଟି ହାଣ୍ଡିରେ ବତୁରାଇ ରଖି ଦେଇଥିବ । ସେହି ପାଣି ଓ ହରିଡ଼ାକୁ ନିଆଁରେ ବସାଇ ଉତ୍ତମରୂପେ ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ସିଝାଇବ । ଏକ ଘଣ୍ଟା ପରେ ହରିଡ଼ାଗୁଡ଼ିକୁ ଫୁଟିଲା ପାଣିରୁ ଛାଣି ପକାଇବ ।

 

ସେହି ପାଣିକୁ ପୁନରାୟ ନିଆଁରେ ବସାଇ ତାହା ଫୁଟୁଥିବା ଅବସ୍ଥାରେ ଯେତେ ତାଳପତ୍ର ବା ଉପରି ଲିଖିତ ପଦାର୍ଥ ମଧ୍ୟରୁ ଅନ୍ୟ ଯାହାକୁ ରଙ୍ଗାଇବ, ତାହାକୁ ସେହି ପାଣିରେ ବୁଡ଼ାଇ ଦେଇ ଅଧଘଣ୍ଟା କାଳ ସିଝାଇବ । ତତ୍ପରେ ତାହାକୁ ନିଆଁରୁ ଓହ୍ଳାଇ ଆଣିବ ।

 

ହରିଡ଼ା କସପାଣିରେ ସିଦ୍ଧ କରିବାଦ୍ୱାରା ତାଳପତ୍ର ବା ଉପରୋକ୍ତ ଅନ୍ୟ ପଦାର୍ଥର ରଙ୍ଗ ଗ୍ରହଣ କରିବାର ଶକ୍ତି ବୃଦ୍ଧି ହେବ ଏବଂ ଯେଉଁ ରଙ୍ଗ ଧରିବ ତାହା ମଧ୍ୟ ସ୍ଥାୟୀ ହୋଇ ରହି ପାରିବ, ଅର୍ଥାତ୍ ରଙ୍ଗଟି ପକ୍କା ରଙ୍ଗ ହେବ ।

 

ହରିଡ଼ା ଅଧିକ ସମୟ ବତୁରିଲେ କ୍ଷତି ନାହିଁ । କିନ୍ତୁ ହରିଡ଼ା ବତୁରିବାର ସମୟ, ସିଝା ହେବାର ସମୟ ଓ ହରିଡ଼ାର ପରିମାଣ ଆଦି ଉପରେ ରଙ୍ଗର ଜ୍ୟୋତି ନିର୍ଭର କରେ । ତେଣୁ ପୂର୍ବରୁ ରଙ୍ଗା ଯାଇଥିବା କୌଣସି ରଙ୍ଗ ପଦାର୍ଥର ରଙ୍ଗ ସଙ୍ଗେ ମିଶିବାଭଳି କିଛି ରଙ୍ଗ କରିବାକୁ ହେଲେ ପୂର୍ବ ପଦାର୍ଥଟି ରଙ୍ଗ କରିବା ବେଳେ ଯହିଁରେ ଯେତେ ସମୟ ଦିଆ ଯାଇଥିବ ଓ ଯେତେ ପରିମାଣର ଯେଉଁ ପଦାର୍ଥ ବ୍ୟବହୃତ ହୋଇଥିବ ତତ୍‌ପ୍ରତି ବିଶେଷ ଦୃଷ୍ଟି ରଖିବାକୁ ପଡ଼ିବ । ତାହା ନ ହେଲେ ରଙ୍ଗର ପ୍ରଭେଦ ଘଟିବ ।

•••

 

ଉପକରଣର ପରିମାଣ

 

ତାଳପତ୍ର ବା ଅନ୍ୟ ଯେଉଁ ପଦାର୍ଥ ରଙ୍ଗାଇବ ସେହି ପଦାର୍ଥର ପରିମାଣ ୧ ସେର ହେଲେ ସେଥିନିମନ୍ତେ ୨୦ ସେର ପାଣି ଆବଶ୍ୟକ । ୨୦ ସେର ପାଣିରେ ଆବଶ୍ୟକ ମତେ ଅଧ ଭରିରୁ ଏକ ଭରି ପର୍ଯ୍ୟନ୍ତ ରଙ୍ଗ ଓ ରଙ୍ଗର ଦୁଇ ଗୁଣ ଫିଟିକିରି ଓ ଦୁଇଗୁଣ ଜଡ଼ାତେଲ ଆବଶ୍ୟକ ।

 

ହାଲୁକା ରଙ୍ଗ (Light colour) କରିବାକୁ ହେଲେ ରଙ୍ଗର ପରିମାଣ କିଛି କମ୍, ଏବଂ ଅଧିକ ଗାଢ଼ କରିବାକୁ ହେଲେ ରଙ୍ଗର ପରିମାଣ କିଛି ଅଧିକ ଦେବାକୁ ପଡ଼ିବ ।

 

ଜଡ଼ାତେଲ ଅଭାବରେ ସୋରିଷ, ମହୁଲ, ବାଦାମ, କରଞ୍ଜ, ପୁନାଙ୍ଗ ଆଦି ତେଲ ବ୍ୟବହାର କରାଯାଇ ପାରେ । ମାତ୍ର ଅନ୍ୟ ତେଲର ପରିମାଣ କିଛି ଅଧିକ ନେବାକୁ ପଡ଼ିବ ।

 

ପ୍ରଥମେ ପାଣିକୁ ଉତ୍ତମରୂପେ ଗରମ କରିବ । ପାଣି ଫୁଟିଲେ ତହିଁରେ ଫିଟିକିରି ଓ ରଙ୍ଗ ପକାଇ ତାହାକୁ ଖଣ୍ଡିଏ ବାଉଁଶର ବା କାଠର ଚଟୁଦ୍ୱାରା ଗୋଳାଇବ ।

 

ଲୁହାର ବା ଟିଣର ପାତ୍ର ବା ଲୁହାର ବା ଟିଣର ଚଟୁ ଆଦି ବ୍ୟବହାର କରିବ ନାହିଁ । ଏରୂପ ପଦାର୍ଥ ବ୍ୟବହାର କଲେ ସମସ୍ତ ରଙ୍ଗ କଳା ହୋଇଯିବ ।

 

ରଙ୍ଗ ଉତ୍ତମରୂପେ ଗୋଳି ହୋଇଗଲେ ରଙ୍ଗାଇବା ପଦାର୍ଥକୁ ତହିଁରେ ବୁଡ଼ାଇ ଚଟୁଦ୍ୱାରା ତାହାକୁ କ୍ରମାଗତ ଓଲଟ ପାଲଟ ଓ ତଳ ଉପର କରୁଥିବ । ଏହିପରି ଅଧ ଘଣ୍ଟା ପର୍ଯ୍ୟନ୍ତ କଲା ପରେ ରଙ୍ଗା ଯାଉଥିବା ପଦାର୍ଥକୁ ଚଟୁଦ୍ୱାରା ଉଠାଇ ଧରି ସେହି ପାଣିରେ ତେଲ ଢାଳି ତାହାକୁ ଉତ୍ତମରୂପେ ଘାଣ୍ଟିବ ।

 

ତତ୍ପରେ ରଙ୍ଗା ଯାଉଥିବା ପଦାର୍ଥକୁ ପକାଇ ଆଉ ଅଧଘଣ୍ଟା ପର୍ଯ୍ୟନ୍ତ ପୁନରାୟ ଓଲଟପାଲଟ କରିବ ।

 

ଅଧଘଣ୍ଟା ପରେ ହାଣ୍ଡିକୁ ନିଆଁରୁ ଓହ୍ଳାଇ ଏକ ଘଣ୍ଟାରୁ ଦୁଇ ଘଣ୍ଟା କାଳ ପଦାର୍ଥଗୁଡ଼ିକୁ ସେହି ହାଣ୍ଡିରେ ସେହିପରି ପକାଇ ରଖିବ ।

 

ତତ୍ପରେ ସେ ପଦାର୍ଥଗୁଡ଼ିକୁ ବାହାର କରି ଉତ୍ତମରୂପେ ଦୁଇ ତିନି ଥର ପାଣିରେ ଧୋଇ ଛାଇରେ ଶୁଖାଇ ଦେବ । ଆବଶ୍ୟକ ମନେ କଲେ ସାବୁନ ବା ସୋଡ଼ାପାଣିରେ ଧୋଇ ଦେଇ ପାରିବ । ଏହି ରଙ୍ଗ ପକ୍କା ଏବଂ ତୋଫା ହେବ ।

•••

 

୩ ଶାଖାରେ ପଟି

 

ଯେଉଁପରି ଝୋଟ, ସୂତା ବା ଅନ୍ୟ କୌଣସି ତନ୍ତୁର ୩ କେରା ନେଇ ବେଣୀ ବଳାଯାଏ, ସେହିପରି ତାଳପତ୍ର, ଖଜୁରିପତ୍ର, କୁଟା ବା ନାଳିଆ ପ୍ରଭୃତି ଯେ କୌଣସି ପଦାର୍ଥର ୩ ଗୋଟି ଶାଖା ନେଇ ପଟି ବୁଣାଯାଇ ପାରେ ।

Image

(୧ ନମ୍ବର ଚିତ୍ର)

(୨ ନମ୍ବର ଚିତ୍ର)

 

ପ୍ରଥମେ ସମାନ ଚଉଡ଼ାର କେତେଗୁଡ଼ିଏ ତାଳପତ୍ର ଚିରି ପକାଇବ । ତହିଁରୁ ୩ଖଣ୍ଡି ପତ୍ର ନେଇ (୧ ନମ୍ବର ଚିତ୍ର) ଅନୁସାରେ ସଜାଇ ରଖିବ । ବାମ ପାଖରୁ ଆରମ୍ଭ କରି ପତ୍ର ୩ ଖଣ୍ଡିରେ ଯଥାକ୍ରମେ ଉପରେ ୧,୨ ଓ ୩ ଚିହ୍ନ ଦେବ । ଚିହ୍ନିବା କାରଣ ସେହି ପତ୍ରଗୁଡ଼ିକରେ ନିମ୍ନଭାଗରେ ମଧ୍ୟ ସେହିପରି ଚିହ୍ନ ଦେବ । ଠିକ୍ ବେଣୀ କଲା ପରି ଏହି ୩ ଗୋଟି ଶାଖାରେ ପଟି ବୁଣିବାକୁ ହେବ ।

Image

(୩ ନମ୍ବର ଚିତ୍ର)

୩ ନମ୍ବର ଶାଖାକୁ ୨ ନମ୍ବର ଶାଖା ତଳେ ମୋଡ଼ିଦେଇ ୧ ନମ୍ବର ଶାଖା ସଙ୍ଗେ ସମାନ୍ତରାଳ କରି ରଖିବ ।

ପୁଣି ୧ ନମ୍ବର ଶାଖାକୁ ୩ ନମ୍ବର ଶାଖା ତଳେ ମୋଡ଼ିଦେଇ ୨ ନମ୍ବର ଶାଖା ସଙ୍ଗେ ସମାନ୍ତରାଳ କରି ରଖିବ ।

ପୁଣି ୨ ନମ୍ବର ଶାଖାକୁ ୧ ନମ୍ବର ଶାଖା ତଳେ ମୋଡ଼ିଦେଇ ୩ ନମ୍ବର ଶାଖା ସଙ୍ଗେ ସମାନ୍ତରାଳ କରି ରଖିବ ।

ପୁଣି ୩ ନମ୍ବର ଶାଖାକୁ ୨ ନମ୍ବର ଶାଖା ତଳେ ମୋଡ଼ିଦେଇ ୧ ନମ୍ବର ଶାଖା ସଙ୍ଗେ ସମାନ୍ତରାଳ କରି ରଖିବ ।

ପୁଣି ୧ ନମ୍ବର ଶାଖାକୁ ୩ ନମ୍ବର ଶାଖା ତଳେ ମୋଡ଼ିଦେଇ ୨ ନମ୍ବର ଶାଖା ସଙ୍ଗେ ସମାନ୍ତରାଳ କରି ରଖିବ ।

ପୁଣି ୨ ନମ୍ବର ଶାଖାକୁ ୧ ନମ୍ବର ଶାଖା ତଳେ ମୋଡ଼ିଦେଇ ୩ ନମ୍ବର ଶାଖା ସଙ୍ଗେ ସମାନ୍ତରାଳ କରି ରଖିବ ।

ଏହିପରି କ୍ରମାଗତ ବୁଣିଗଲେ ସୁନ୍ଦର ପଟି ଗୋଟିଏ ହେବ ।

•••

 

୪ ଶାଖାରେ ପଟି

 

ପ୍ରଥମେ ଦୁଇଗୋଟି ଶାଖା ନେଇ ୧ ନମ୍ବର ଚିତ୍ର ପରି ଗୋଟିକୁ ଅନ୍ୟଟି ଉପରେ ଧରିବ । ଉପରର ଶାଖାଟିକୁ ୨ ନମ୍ବର ଚିତ୍ର ପରି ମୋଡ଼ି ଆଣିଲେ ୪ ଗୋଟି ଶାଖା ହେବ । ସେହି ୪ ଗୋଟି ଶାଖାରେ ବାମ ଦିଗରୁ ଆରମ୍ଭ କରି ୧, ୨, ୩ ଓ ୪ ଚିହ୍ନ ଦେବ । ତାପରେ ବୁଣିବାକୁ ଆରମ୍ଭ କରିବ : –

Image

(୧ ନମ୍ବର ଚିତ୍ର)

(୨ ନମ୍ବର ଚିତ୍ର)

(୩ ନମ୍ବର ଚିତ୍ର)

 

(୧)

୧ ଚିହ୍ନିତ ଶାଖାକୁ ୨ ଚିହ୍ନିତ ଶାଖା ଉପରେ ମୋଡ଼ି ନେଇ ୩ ଚିହ୍ନିତ ଶାଖା ସଙ୍ଗେ ସମାନ୍ତରାଳ କରି ରଖିବ

(୨)

୦ ଚିହ୍ନିତ ଶାଖାକୁ ୩ ତଳେ ମୋଡ଼ି ନେଇ ୧ ଶାଖା ଉପରେ ୨ ସଙ୍ଗେ ସମାନ୍ତରାଳ କରି ରଖିବ

(୩)

୨ ଚିହ୍ନିତ ଶାଖାକୁ ୪ ଉପରେ ମୋଡ଼ି ନେଇ ୧ ସଙ୍ଗେ ସମାନ୍ତରାଳ କରି ରଖିବ

(୪)

୩ ଚିହ୍ନିତ ଶାଖାକୁ ୧ ତଳେ ମୋଡ଼ି ନେଇ ୨ ଉପରେ ୪ସଙ୍ଗେ ସମାନ୍ତରାଳ କରି ରଖିବ

(୫)

୪ ଚିହ୍ନିତ ଶାଖାକୁ ୩ ଉପରେ ମୋଡ଼ି ନେଇ ୨ ସଙ୍ଗେ ସମାନ୍ତରାଳ କରି ରଖିବ

(୬)

୧ ଚିହ୍ନିତ ଶାଖାକୁ ୨ ତଳେ ମୋଡ଼ି ନେଇ ୪ ଉପରେ ୩ ସଙ୍ଗେ ସମାନ୍ତରାଳ କରି ରଖିବ

(୭)

୩ ଚିହ୍ନିତ ଶାଖାକୁ ୧ ଉପରେ ମୋଡ଼ି ନେଇ ୪ ସଙ୍ଗେ ସମାନ୍ତରାଳ କରି ରଖିବ

(୮)

୨ ଚିହ୍ନିତ ଶାଖାକୁ ୪ ଚିହ୍ନିତ ଶାଖା ତଳବାଟେ ମୋଡ଼ି ନେଇ ୩ ଚିହ୍ନିତ ଶାଖା ଉପରେ ୧ ଚିହ୍ନିତ ଶାଖା ସଙ୍ଗେ ସମାନ୍ତରାଳ କରି ରଖିବ ।

 

ଏହା ପରେ ପୁନଶ୍ଚ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଯେପରି ବୁଣାଯାଇଅଛି, ଠିକ୍ ସେହିପରି ବୁଣିବ । ଏଣିକି ଯେତେ ବୁଣିବ, ଠିକ୍ ସେହିପରି ପୁନରାବୃତ୍ତି କରିଯିବ ।

•••

 

୪ ଶାଖାରେ କଲୀଭଙ୍ଗା ପଟି

 

ଉପରେ ୪ ଶାଖାରେ ସରଳ ପଟି ବୁଣିବା ନିମନ୍ତେ ଯେପରି ଗୋଟିଏ ଶାଖାକୁ ଆଉ ଗୋଟିଏ ଶାଖା ଉପରେ ଧରା ଯାଇଥିଲା, ଏଥିପାଇଁ ମଧ୍ୟ ସେହିପରି ଗୋଟିଏ ଶାଖାକୁ ଆଉ ଗୋଟିଏ ଶାଖା ଉପରେ ଧରିବ ଏବଂ ଠିକ୍ ସେହିପରି ଶାଖାଟିକୁ ମୋଡ଼ିଆଣି ୪ ଗୋଟି ଶାଖା କରିବ । ଶାଖାଗୁଡ଼ିକରେ ବାମରୁ ଆରମ୍ଭ କରି ୧,୨, ୩ ଓ ୪ ଚିହ୍ନ ଦେବ । ତହିଁପରେ ବୁଣିବାକୁ ଆରମ୍ଭ କରିବ

Image

(୧ ନମ୍ବର ଚିତ୍ର)

(୨ ନମ୍ବର ଚିତ୍ର)

(୩ ନମ୍ବର ଚିତ୍ର)

 

(୧)

୧ ଚିହ୍ନିତ ଶାଖାକୁ ୨ ଚିହ୍ନିତ ଶାଖା ଉପରବାଟେ ମୋଡ଼ି ନେଇ ୩ ଚିହ୍ନିତ ଶାଖା ସଙ୍ଗେ ସମାନ୍ତରାଳ କରି ରଖିବ । ୧ ନମ୍ବର ଚିତ୍ର ଦେଖ ।

(୨)

୪ ଚିହ୍ନିତ ଶାଖାକୁ ୩ ଶାଖା ତଳବାଟେ ମୋଡ଼ି ୧ ଚିହ୍ନିତ ଶାଖା ଉପରେ ୨ ଚିହ୍ନିତ ଶାଖା ସଙ୍ଗେ ସମାନ୍ତରାଳ କରି ରଖିବ । ୨ ନମ୍ବର ଚିତ୍ର ଦେଖ ।

(୩)

୩ ଚିହ୍ନିତ ଶାଖାକୁ ୧ ଓ ୪ ଚିହ୍ନିତ ଶାଖାମାନଙ୍କ ତଳବାଟେ ମୋଡ଼ିନେଇ ୨ ଚିହ୍ନିତ ଶାଖା ଉପରେ ଚଢ଼ାଇ ଦେବ । ୩ ନମ୍ବର ଚିତ୍ର ଦେଖ ।

Image

(୪ ନମ୍ବର ଚିତ୍ର)

(୫ ନମ୍ବର ଚିତ୍ର)

(୬ ନମ୍ବର ଚିତ୍ର)

 

(୪)

୩ ଚିହ୍ନିତ ଶାଖାକୁ ୨ ଚିହ୍ନିତ ଶାଖା ତଳବାଟେ ଓ ୪ ଚିହ୍ନିତ ଶାଖା ଉପରେ ନେଇ ୧ ଚିହ୍ନିତ ଶାଖା ସଙ୍ଗେ ସମାନ୍ତରାଳ କରି ରଖିବ । ୪ ନମ୍ବର ଚିତ୍ର ଦେଖ ।

(୫)

୨ ଚିହ୍ନିତ ଶାଖାକୁ ୪ ଓ ୩ ଚିହ୍ନିତ ଶାଖାମାନଙ୍କ ତଳବାଟେ ନେଇ ୧ ଚିହ୍ନିତ ଶାଖା ଉପରେ ଚଢ଼ାଇ ଦେବ । ୫ ନମ୍ବର ଚିତ୍ର ଦେଖ ।

(୬)

୨ ଚିହ୍ନିତ ଶାଖାକୁ ୧ ଚିହ୍ନିତ ଶାଖା ତଳେ ୩ ଚିହ୍ନିତ ଶାଖା ଉପରବାଟେ ନେଇ ୪ ଚିହ୍ନିତ ଶାଖା ସଙ୍ଗେ ସମାନ୍ତରାଳ କରି ରଖିବ । ୬ ନମ୍ବର ଚିତ୍ର ଦେଖ ।

(୭)

୧ ଚିହ୍ନିତ ଶାଖାକୁ ୩ ଓ ୨ ଚିହ୍ନିତ ଶାଖାମାନଙ୍କ ତଳବାଟେ ନେଇ ୪ ଚିହ୍ନିତ ଶାଖା ଉପରେ ଚଢ଼ାଇ ଦେବ । ୭ ନମ୍ବର ଚିତ୍ର ଦେଖ ।

(୮)

୧ ଚିହ୍ନିତ ଶାଖାକୁ ୪ ଚିହ୍ନିତ ଶାଖା ତଳବାଟେ ନେଇ ୨ ଚିହ୍ନିତ ଶାଖା ଉପରେ ୩ ଚିହ୍ନିତ ଶାଖା ସଙ୍ଗେ ସମାନ୍ତରାଳ କରି ରଖିବ ।

Image

(୭ ନମ୍ବର ଚିତ୍ର)

(୯)

୪ ଚିହ୍ନିତ ଶାଖାକୁ ୨ ଓ ୧ ଚିହ୍ନିତ ଶାଖାମାନଙ୍କ ତଳବାଟେ ନେଇ ୩ ଚିହ୍ନିତ ଶାଖା ଉପରେ ଚଢ଼ାଇ ଦେବ ।

(୧୦)

୪ ଚିହ୍ନିତ ଶାଖାକୁ ୩ ଚିହ୍ନିତ ଶାଖା ତଳବାଟେ ନେଇ ୧ ଚିହ୍ନିତ ଶାଖା ଉପରେ ୨ ଚିହ୍ନିତ ଶାଖା ସଙ୍ଗେ ସମାନ୍ତରାଳ କରି ରଖିବ ।

(୧୧)

୩ ଚିହ୍ନିତ ଶାଖାକୁ ୧ ଓ ୪ ଚିହ୍ନିତ ଶାଖାମାନଙ୍କ ତଳବାଟେ ନେଇ ୨ ଚିହ୍ନିତ ଶାଖା ଉପରେ ଚଢ଼ାଇ ଦେବ ।

(୧୨)

୩ ଚିହ୍ନିତ ଶାଖାକୁ ୨ ଚିହ୍ନିତ ଶାଖା ତଳବାଟେ ଓ ୪ ଚିହ୍ନିତ ଶାଖା ଉପରେ ନେଇ ୧ ଚିହ୍ନିତ ଶାଖା ସଙ୍ଗେ ସମାନ୍ତରାଳ କରି ରଖିବ ।

(୧୩)

୨ ଚିହ୍ନିତ ଶାଖାକୁ ୪ ଓ ୩ ଚିହ୍ନିତ ଶାଖାମାନଙ୍କ ତଳବାଟେ ନେଇ ୧ ଚିହ୍ନିତ ଶାଖା ଉପରେ ଚଢ଼ାଇ ଦେବ ।

(୧୪)

୨ ଚିହ୍ନିତ ଶାଖାକୁ ୧ ଚିହ୍ନିତ ଶାଖା ତଳବାଟେ ନେଇ ୩ ଚିହ୍ନିତ ଶାଖା ଉପରବାଟେ ନେଇ ୪ ଚିହ୍ନିତ ଶାଖା ସଙ୍ଗେ ସମାନ୍ତରାଳ କରି ରଖିବ ।

Image

(୮ ନମ୍ବର ଚିତ୍ର)

ଏହା ପରେ ଆଉ ଯେତେ ଅଧିକ ବୁଣିବ ତାହା ଉପରର ବୁଣାକୁ ଲକ୍ଷ୍ୟ କରି କ୍ରମାଗତ ବୁଣିଯିବ ।

•••

 

୫ ଶାଖାର ପଟି

 

୫ ଗୋଟି ଶାଖା ନେଇ ୧ ନମ୍ବର ଚିତ୍ର ପରି ସଜାଇ ରଖିବ । ଶାଖାଗୁଡ଼ିକୁ ୧, ୨, ୩, ୪ ଓ ୫ ଅଙ୍କଦ୍ୱାରା ଚିହ୍ନିତ କରିବ । ଚିତ୍ରରେ ୧, ୨ ଓ ୩ ଚିହ୍ନିତ ଶାଖା ବାମକୁ ଏବଂ ୪ ଓ ୫ ଚିହ୍ନିତ ଶାଖା ଡାହାଣକୁ ରଖାଯାଇଅଛି । ମୂଳରେ ୪ ଚିହ୍ନିତ ଶାଖାଟି ୧ ଓ ୩ ଚିହ୍ନିତ ଶାଖାମାନଙ୍କ ଉପରେ ଏବଂ ୨ ଚିହ୍ନିତ ଶାଖାର ତଳେ ରହିଅଛି ଏବଂ ୫ ଚିହ୍ନିତ ଶାଖା ୧ ଓ ୩ ଚିହ୍ନିତ ଶାଖାମାନଙ୍କ ତଳେ ଏବଂ ୨ ଚିହ୍ନିତ ଶାଖାର ଉପରେ ରହିଅଛି ।

Image

(୧ ନମ୍ବର ଚିତ୍ର)

ଯେବେ ଏହିଠାରେ ୪ ଚିହ୍ନିତ ଶାଖାକୁ ୧ ଓ ୩ ଚିହ୍ନିତ ଶାଖାମାନଙ୍କ ତଳେ ଏବଂ ୨ ଚିହ୍ନିତ ଶାଖାର ଉପରେ ରଖାଯାଏ ଏବଂ ୫ ଚିହ୍ନିତ ଶାଖାକୁ ୧ ଓ ୩ ଚିହ୍ନିତ ଶାଖାମାନଙ୍କ ଉପରେ ଏବଂ ୨ ଚିହ୍ନିତ ଶାଖାର ତଳେ ରଖାଯାଏ, ତାହା ହେଲେ ବର୍ତ୍ତମାନ ଯେପରି ବୁଣାଯିବ, ସେତେବେଳେ ଠିକ୍ ତାହାର ବିପରୀତ ଭାବରେ ବୁଣିବାକୁ ହେବ । ଚିତ୍ରରେ ଯେପରି ଅଛି ସେହିପରି ରଖି ବୁଣିବାର ପ୍ରଣାଳୀ ନିମ୍ନରେ ଦିଆଗଲା :

Image

(୪ ନମ୍ବର ଚିତ୍ର)

(୫ ନମ୍ବର ଚିତ୍ର)

 

(୧)

ବାମରୁ ୧ ଚିହ୍ନିତ ଶାଖାକୁ ମୋଡ଼ି ୨ ଚିହ୍ନିତ ଶାଖା ଉପରବାଟେ ଏବଂ ୩ ଚିହ୍ନିତ ଶାଖା ତଳବାଟେ ନେଇ ତହିଁର ଦକ୍ଷିଣରେ ୪ ଚିହ୍ନିତ ଶାଖା ସଙ୍ଗେ ସମାନ୍ତରାଳ କରି ରଖିବ ।

(୨)

ଦକ୍ଷିଣରୁ ୫ ଚିହ୍ନିତ ଶାଖାକୁ ମୋଡ଼ି ୪ ଚିହ୍ନିତ ଶାଖା ଉପରେ ଓ ୧ ଚିହ୍ନିତ ଶାଖା ତଳବାଟେ ନେଇ ତହିଁର ବାମରେ ୩ ଚିହ୍ନିତ ଶାଖା ସଙ୍ଗେ ସମାନ୍ତରାଳ କରି ରଖିବ ।

(୩)

ବାମରୁ ୨ ଚିହ୍ନିତ ଶାଖାକୁ ମୋଡ଼ି ୩ ଚିହ୍ନିତ ଶାଖା ଉପରେ ଓ ୫ ଚିହ୍ନିତ ଶାଖା ତଳବାଟେ ନେଇ ତହିଁର ଦକ୍ଷିଣରେ ୧ ଚିହ୍ନିତ ଶାଖା ସଙ୍ଗେ ସମାନ୍ତରାଳ କରି ରଖିବ ।

(୪)

ଦକ୍ଷିଣରୁ ୪ ଚିହ୍ନିତ ଶାଖାକୁ ମୋଡ଼ି ୧ ଚିହ୍ନିତ ଶାଖା ଉପରେ ଓ ୨ ଚିହ୍ନିତ ଶାଖା ତଳବାଟେ ନେଇ ତହିଁର ବାମରେ ୫ ଚିହ୍ନିତ ଶାଖା ସଙ୍ଗେ ସମାନ୍ତରାଳ କରି ରଖିବ ।

(୫)

ବାମରୁ ୩ ଚିହ୍ନିତ ଶାଖାକୁ ମୋଡ଼ି ୫ ଚିହ୍ନିତ ଶାଖା ଉପରେ ଓ ୪ ଚିହ୍ନିତ ଶାଖା ତଳବାଟେ ନେଇ ତହିଁର ଦକ୍ଷିଣରେ ୨ଚିହ୍ନିତ ଶାଖା ସଙ୍ଗେ ସମାନ୍ତରାଳ କରି ରଖିବ ।

(୬)

ଦକ୍ଷିଣରୁ ୧ ଚିହ୍ନିତ ଶାଖାକୁ ମୋଡ଼ି ୨ ଚିହ୍ନିତ ଶାଖା ଉପରେ ଓ ୩ ଚିହ୍ନିତ ଶାଖା ତଳବାଟେ ନେଇ ତହିଁର ବାମରେ ୪ ଚିହ୍ନିତ ଶାଖା ସଙ୍ଗେ ସମାନ୍ତରାଳ କରି ରଖିବ ।

 

ଏହିରୂପେ ଥରେ ବାମଆଡ଼ୁ ଏବଂ ଥରେ ଡାହାଣ ଆଡ଼ୁ ବୁଣି, ଯେତେ ବଡ଼ କରିବାକୁ ଇଚ୍ଛା କରିବ, ତେତେ ବଡ଼ ହେବା ପର୍ଯ୍ୟନ୍ତ ବୁଣିଯିବ ।

•••

 

୬ ଶାଖାର ପଟି

 

୬ ଗୋଟି ଶାଖା ନେଇ ୧ ନମ୍ବର ଚିତ୍ର ପରି ସଜାଇ ଧରିବ । ଶାଖାଗୁଡ଼ିକୁ ୧, ୨, ୩, ୪, ୫ ଓ ୬ ଅଙ୍କ ଦ୍ୱାରା ଚିହ୍ନିତ କରିବ ।

Image

(୧ ନମ୍ବର ଚିତ୍ର)

(୨ ନମ୍ବର ଚିତ୍ର)

 

୧ ନମ୍ବର ଚିତ୍ରରେ ୪ ଚିହ୍ନିତ ଶାଖା ୧ ଓ ୩ ଚିହ୍ନିତ ଶାଖାମାନଙ୍କ ତଳେ ଏବଂ ୨ ଚିହ୍ନିତ ଶାଖାର ଉପରେ ରହିଅଛି । ୫ ଚିହ୍ନିତ ଶାଖା ୧ ଓ ୩ ଚିହ୍ନିତ ଶାଖାମାନଙ୍କ ଉପରେ ଓ ୨ ଚିହ୍ନିତ ଶାଖାର ତଳେ ରହିଅଛି ଏବଂ ୬ ଚିହ୍ନିତ ଶାଖା ୧ ଓ ୩ ଚିହ୍ନିତ ଶାଖାମାନଙ୍କ ତଳେ ରହିଅଛି ଏବଂ ୬ ଚିହ୍ନିତ ଶାଖା ୧ ଓ ୩ ଚିହ୍ନିତ ଶାଖାମାନଙ୍କ ତଳେ ଏବଂ ୨ ଚିହ୍ନିତ ଶାଖାର ଉପରେ ରହିଅଛି । ବାମ ପାଖରୁ ବୁଣିବାକୁ ଆରମ୍ଭ କରିବ ।

Image

(୩ ନମ୍ବର ଚିତ୍ର)

(୧)

ବାମରୁ ୧ ଚିହ୍ନିତ ଶାଖାକୁ ମୋଡ଼ି ୨ ଚିହ୍ନିତ ଶାଖା ତଳବାଟେ ଓ ୩ ଚିହ୍ନିତ ଶାଖା ଉପରବାଟେ ନେଇ ତହିଁର ଡାହାଣରେ ୪ ଚିହ୍ନିତ ଶାଖା ସଙ୍ଗେ ସମାନ୍ତରାଳ କରି ରଖିବ-

(୨)

ଦକ୍ଷିଣରୁ ୬ ଚିହ୍ନିତ ଶାଖାକୁ ମୋଡ଼ି ୫ ଚିହ୍ନିତ ଶାଖା ଉପରବାଟେ ୪ ଚିହ୍ନିତ ଶାଖା ତଳେ ଓ ୧ ଚିହ୍ନିତ ଶାଖା ଉପରବାଟେ ନେଇ ତହିଁର ବାମରେ ୩ ଚିହ୍ନିତ ଶାଖା ସଙ୍ଗେ ସମାନ୍ତରାଳ କରି ରଖିବ ।

(୩)

ବାମରୁ ୨ ଚିହ୍ନିତ ଶାଖାକୁ ମୋଡ଼ି ୩ ଚିହ୍ନିତ ଶାଖା ତଳବାଟେ ୬ ଚିହ୍ନିତ ଶାଖା ଉପରବାଟେ ନେଇ ତହିଁର ଡାହାଣରେ ୧ ଚିହ୍ନିତ ଶାଖା ସଙ୍ଗେ ସମାନ୍ତରାଳ କରି ରଖିବ-

(୪)

ଦକ୍ଷିଣରୁ ୫ ଚିହ୍ନିତ ଶାଖାକୁ ମୋଡ଼ି ୪ ଚିହ୍ନିତ ଶାଖା ଉପରବାଟେ ୧ ଚିହ୍ନିତ ଶାଖା ତଳବାଟେ ଓ ୨ ଚିହ୍ନିତ ଶାଖା ଉପରେ ନେଇ ତହିଁର ବାମରେ ୬ ଚିହ୍ନିତ ଶାଖା ସଙ୍ଗେ ସମାନ୍ତରାଳ କରି ରଖିବ ।

(୫)

ବାମରୁ ୩ ଚିହ୍ନିତ ଶାଖାକୁ ମୋଡ଼ି ୬ ଚିହ୍ନିତ ଶାଖା ତଳବାଟେ ୫ ଚିହ୍ନିତ ଶାଖା ଉପରବାଟେ ନେଇ ତହିଁର ଡାହାଣରେ ୨ ଚିହ୍ନିତ ଶାଖା ସଙ୍ଗେ ସମାନ୍ତରାଳ କରି ରଖିବ-

(୬)

ଦକ୍ଷିଣରୁ ୪ ଚିହ୍ନିତ ଶାଖାକୁ ମୋଡ଼ି ୧ ଚିହ୍ନିତ ଶାଖା ଉପରବାଟେ ୨ ଚିହ୍ନିତ ଶାଖା ତଳବାଟେ ଓ ୩ ଚିହ୍ନିତ ଶାଖା ଉପରବାଟେ ନେଇ ତହିଁର ବାମରେ ୫ ଚିହ୍ନିତ ଶାଖା ସଙ୍ଗେ ସମାନ୍ତରାଳ କରି ରଖିବ ।

(୭)

ବାମରୁ ୬ ଚିହ୍ନିତ ଶାଖାକୁ ମୋଡ଼ି ୫ ଚିହ୍ନିତ ଶାଖା ତଳବାଟେ ୪ ଚିହ୍ନିତ ଶାଖା ଉପରବାଟେ ନେଇ ତହିଁର ଡାହାଣରେ ୩ ଚହ୍ନିତ ଶାଖା ସଙ୍ଗେ ସମାନ୍ତରାଳ କରି ରଖିବ-

(୮)

ଦକ୍ଷିଣରୁ ୧ ଚିହ୍ନିତ ଶାଖାକୁ ମୋଡ଼ି ୨ ଚିହ୍ନିତ ଶାଖା ଉପରବାଟେ ୩ ଚିହ୍ନିତ ଶାଖା ତଳବାଟେ ଓ ୬ ଚିହ୍ନିତ ଶାଖା ଉପରବାଟେ ନେଇ ତହିଁର ବାମରେ ୪ ଚିହ୍ନିତ ଶାଖା ସଙ୍ଗେ ସମାନ୍ତରାଳ କରି ରଖିବ । ଏହିରୂପ କ୍ରମ ଅନୁସରଣ କରି ବରାବର ବୁଣିଯାଇ ପାରିବ ।

 

ପ୍ରଥମେ ପତ୍ରଗୁଡ଼ିକ ସଜାଇବାରେ ଯେବେ ୪ ଚିହ୍ନିତ ଶାଖାକୁ ୧ ଓ ୩ ଚିହ୍ନିତ ଶାଖାମାନଙ୍କ ତଳେ ଏବଂ ୨ ଚିହ୍ନିତ ଶାଖାର ଉପରେ ନ ରଖି ୧ ଓ ୩ ଚିହ୍ନିତ ଶାଖାମାନଙ୍କ ଉପରେ ଏବଂ ୨ ଚିହ୍ନିତ ଶାଖା ତଳେ ରଖାଯାଇ ଥାଆନ୍ତା ଏବଂ ୫ ଚିହ୍ନିତ ଶାଖାକୁ ୧ ଓ ୩ ଚିହ୍ନିତ ଶାଖାମାନଙ୍କ ଉପରେ ଏବଂ ୨ ଚିହ୍ନିତ ଶାଖାର ତଳେ ନ ରଖି ୧ ଓ ୩ ଚିହ୍ନିତ ଶାଖାମାନଙ୍କ ତଳେ ଏବଂ ୨ ଚିହ୍ନିତ ଶାଖାର ଉପରେ ରଖାଯାଇ ଥାଆନ୍ତା ଓ ୬ ଚିହ୍ନିତ ଶାଖାକୁ ୧ ଓ ୩ ଚିହ୍ନିତ ଶାଖାମାନଙ୍କ ତଳେ ଓ ୨ ଚିହ୍ନିତ ଶାଖାର ଉପରେ ରଖା ନ ଯାଇ ୧ ଓ ୩ ଚିହ୍ନିତ ଶାଖାମାନଙ୍କ ଉପରେ ଏବଂ ୨ ଚିହ୍ନିତ ଶାଖାର ତଳେ ରଖାଯାଇ ଥାଆନ୍ତା ତେବେ ବୁଣିବାବେଳେ ପ୍ରଥମେ ୧ ଚିହ୍ନିତ ଶାଖାକୁ ନିମ୍ନକୁ ନ ମୋଡ଼ି ଉପରକୁ ଓ ୬ ଚିହ୍ନିତ ଶାଖାକୁ ଉପରକୁ ନ ମୋଡ଼ି ତଳକୁ ମୋଡ଼ି ତଦନୁକ୍ରମେ ଅନ୍ୟ ଶାଖାଗୁଡ଼ିକ ମୋଡ଼ି ବୁଣାଯାଇ ଥାଆନ୍ତା ।

•••

 

୭ ଶାଖାର ଓ ତହିଁରୁ ଅଧିକ ଶାଖାର ପଟି

 

୭ ଗୋଟି ଶାଖାରେ ବା ତହିଁରୁ ଅଧିକ ଶାଖାରେ ପଟି ବୁଣିବାକୁ ଇଚ୍ଛା କଲେ ଠିକ୍ ପୂର୍ବବର୍ଣ୍ଣିତ ପ୍ରଣାଳୀରେ ତାହା ବୁଣାଯାଇ ପାରିବ । କେବଳ ସ୍ମରଣ ରଖିବାକୁ ହେବ ଯେ–

Image

୧.

ବୁଣିବାବେଳେ ପ୍ରଥମେ ବାମରୁ ବୁଣିବାକୁ ଆରମ୍ଭ କରିବ ।

୨.

ଶାଖାଗୁଡ଼ିକ ବିଯୋଡ଼ ସଂଖ୍ୟାର ଥିଲେ ସେଗୁଡ଼ିକ ବୁଣିବାପାଇଁ ପ୍ରଥମେ ସଜାଇବା ବେଳେ ଯୋଡ଼ରୁ ଅଧିକା ଥିବା ଗୋଟିକୁ ବାମକୁ ରଖିବ; ଅର୍ଥାତ୍ ୭ ଗୋଟି ଶାଖା ଥିଲେ ୪ ଗୋଟି ଶାଖା ବାମକୁ ଏବଂ ୩ ଗୋଟି ଶାଖା ଡାହାଣକୁ ରଖିବାକୁ ହେବ । ସେହିପରି ଶାଖାର ସଂଖ୍ୟା ୯, ୧୧, ୧୩ ବା ୧୫ ହେଲେ ବାମକୁ ୫, ୬, ୭ ଓ ୮ ଗୋଟି ଶାଖା ଏବଂ ଡାହାଣକୁ ୪, ୫, ୬, ୭ ଗୋଟି ଶାଖା ଯଥାକ୍ରମେ ରଖିବାକୁ ହେବ ।

୩.

ଶାଖା ଗୁଡ଼ିକର ବିଯୋଡ଼ ସଂଖ୍ୟା ଥିଲେ ଦୁଇ ପାଖର ଶେଷ ଶାଖା ଦୁଇଟିଯାକ ଉପରକୁ ବା ତଳକୁ ଏକ ଆଡ଼କୁ ମୋଡ଼ି ବୁଣା ଆରମ୍ଭ କରିବାକୁ ହେବ । ମାତ୍ର ଶାଖାଗୁଡ଼ିକର ସଂଖ୍ୟା ଦୁଇ ପାଖରେ ସମାନ ଥିଲେ ଦୁଇ ପାଖର ଶେଷ ଶାଖା ଦୁଇଟି ମଧ୍ୟରୁ ଗୋଟିଏ ତଳକୁ ଓ ଅନ୍ୟଟି ଉପରକୁ ମୋଡ଼ି ବୁଣିବା ଆରମ୍ଭ କରିବାକୁ ହେବ । କେଉଁ ଶାଖା ତଳକୁ ବା କେଉଁ ଶାଖା ଉପରକୁ ମୋଡ଼ାଯିବ, ତାହା ଶାଖା ସଜାଇବା ଅନୁସାରେ ଆପେ ଜଣା ପଡ଼ିଯିବ । ଏତିକି ସ୍ମରଣ ରଖି ବୁଣିବାକୁ ଆରମ୍ଭ କଲେ ଅନ୍ୟ ଶାଖାଗୁଡ଼ିକ ଯେ ଯେଉଁ ଆଡ଼କୁ ବୁଣାଯିବାର ତାହା ମଧ୍ୟ ଆପେ ଜଣା ପଡ଼ିଯିବ ।

 

ଖଜୁରିପତ୍ରର ଚଉଡ଼ା ପଟିଆ ବୁଣିବା ପାଇଁ ଏକାବେଳକେ ଅନେକଗୁଡ଼ିଏ ଶାଖା ନେବାକୁ ପଡ଼େ । ତାହା ଠିକ୍ ଏହି ପ୍ରଣାଳୀରେ ବୁଣିବାକୁ ହୁଏ । ପ୍ରଥମେ ଗୋଟିଏ ଗୋଟିଏ ଲମ୍ବା ପଟି ବୁଣି ପରେ ସେହି ପଟିଗୁଡ଼ିକ ପରସ୍ପର ସଙ୍ଗେ ଯୋଡ଼ି ବଡ଼ ବଡ଼ ଚଉଡ଼ା ପଟିଆ କରାଯାଏ ।

 

Image

 

ପଟି ଦୁଇ ଗୋଟି ଯୋଡ଼ିବାକୁ ହେଲେ ଦୁଇ ଗୋଟି ପଟିକୁ ଏକାଠି ଲଗାଲଗି କରି ଧରିବ । ଗୋଟିଏ ପତ୍ର ନେଇ ଏକ ପଟିର ଧଡ଼ିରେ ବକ୍ରଭାଗରେ ମୋଡ଼ି ହୋଇ ରହିଥିବା ଅଧା ଘର ଆକାରର ଗୋଟିଏ ଫାନ୍ଦ ମଧ୍ୟରେ ପୂରାଇ ତାହାକୁ ଟାଣି ଦେବ । ସେହିଠାରେ ଲାଗିଥିବା ଅନ୍ୟ ପଟିର ସେହିପରି ଅଧା ଘରର ଫାନ୍ଦ ଗୋଟିକ ମଧ୍ୟରେ ସେହି ପତ୍ରଟି ପୂରାଇ ଟାଣି ଦେଲେ ପଟି ଦୁଇ ଗୋଟିର ସେହି ଅଧା ଘର ଦୁଇଟି ଏକାଠି ମିଶି ଗୋଟିଏ ପୂର୍ଣ୍ଣ ଘର ହୋଇଯିବ ।

 

ସେହିପରି ପଟି ଦୁଇଟିର ଧଡ଼ିରେ ଯେତେଗୁଡ଼ିଏ ଅଧା ଘର ଥିବ, ସେଗୁଡ଼ିକ ମଧ୍ୟରେ ପତ୍ର ପୂରାଇ ବୁଣିଗଲେ ପତ୍ରଟି ଭିତରେ ଲୁଚି ରହିଯିବ ଏବଂ ପଟି ଦୁଇଟି ଏକାଠି ମିଶି ଗୋଟିଏ ଅଧିକ ଚୌଡ଼ା ପଟିଆ ହୋଇଯିବ । ପାର୍ଶ୍ୱବର୍ତ୍ତୀ ଚିତ୍ରରୁ ଏହା ବୁଝି ପାରିବ ।

•••

 

ଚଟେଇ ବୁଣା

 

ଚଟେଇ ନାନାପ୍ରକାରରେ ବୁଣାଯାଏ । ଯଥା :– ସରଳ ବୁଣା, ଟୁଇଲ୍ ବୁଣା, କଲୀ ଟୁଇଲ୍, ଡାଇମଣ୍ଡ ଇତ୍ୟାଦି ।

 

ଭିନ୍ନ ଭିନ୍ନ ପ୍ରକାରରେ ପତ୍ର ବିଭାଗ କରି ତହିଁ ମଧ୍ୟରେ ଗୋଟିଏ ଗୋଟିଏ ପତ୍ର ଖଞ୍ଜି ବୁଣିବାଦ୍ୱାରା ଭିନ୍ନ ଭିନ୍ନ ପ୍ରକାର ବୁଣା ହୁଏ । ସେହି ଭିନ୍ନ ଭିନ୍ନ ପ୍ରକାରର ବୁଣିବାର ପ୍ରଣାଳୀ ଗୋଟି ଗୋଟି କରି ନିମ୍ନରେ ପ୍ରଦତ୍ତ ହେଲା ।

Image

 

ସରଳ ବୁଣା :– ଯେ କୌଣସି ପ୍ରଣାଳୀରେ ଚଟେଇ ବୁଣିବାକୁ ହେଲେ ପ୍ରଥମେ ପତ୍ରଗୁଡ଼ିକ ସମାନ ସମାନ କରି ଚିରି ତହିଁପରେ ବୁଣିବାକୁ ଆରମ୍ଭ କରିବ । ପତ୍ରଗୁଡ଼ିକ ମଧ୍ୟରୁ ଅଧେ ସାଧା ରଖି ଆଉ ଅଧେ ରଙ୍ଗାଇ ନେଲେ ଚଟେଇ ଖଣ୍ଡିକରେ ଦୁଇଟି ରଙ୍ଗର ପତ୍ର ଥାଇ ଅଧିକ ସୁନ୍ଦର ଦେଖାଯିବ ।

 

ସରଳ ବୁଣା ପ୍ରଣାଳୀରେ ଚଟେଇ ବୁଣିବା ପାଇଁ ଗୋଟିଏ ସମତଳ ସ୍ଥଳରେ କେତେଗୁଡ଼ିଏ ପତ୍ରକୁ ଗୋଟିକ ପରେ ଗୋଟିଏ ଲଗାଲଗି କରି ପାରିଦେବ । ଚଟେଇ ଖଣ୍ଡିକ ଯେତେ ଚୌଡ଼ାର କରିବାକୁ ଇଚ୍ଛା କରିବ, ସେହି ଚୌଡ଼ାରେ ପତ୍ର ପାରିବ ।

 

୮ ପୃଷ୍ଠାରେ ବର୍ଣ୍ଣିତ ବିଞ୍ଚଣା ବୁଣିବା ପ୍ରଣାଳୀରେ ଗୋଟିକ ପରେ ଗୋଟିଏ ପତ୍ର ଉପରକୁ ଉଠାଇ ଓ ଗୋଟିଏ ପତ୍ର ତଳକୁ ରଖି ଗୋଟିଏ ଗୋଟିଏ ପତ୍ର ଗୁଞ୍ଜି ଦେବ । ପତ୍ରଗୁଡ଼ିକ ଦୁଇଟି ରଙ୍ଗର ହୋଇଥିଲେ ଗୋଟିଏ ରଙ୍ଗର ପତ୍ରଗୁଡ଼ିକ ପାରି ଅନ୍ୟ ରଙ୍ଗର ପତ୍ରଗୁଡ଼ିକ ବୁଣିବ ।

 

ଚଟେଇ ଖଣ୍ଡିକ ଚାରିକୋଣିଆ କରିବାକୁ ହେଲେ ଯେତେ ଚୌଡ଼ାରେ ପତ୍ର ପରା ଯାଇଥିବ ତେତିକି ଲମ୍ବା ହେବା ପର୍ଯ୍ୟନ୍ତ ବୁଣା ହୋଇଗଲେ ଆଉ ଅଧିକ ବୁଣିବା ବନ୍ଦ କରିବ ।

 

ଚାରିପାଖରେ ବାହାରିଥିବା ପତ୍ରଗୁଡ଼ିକୁ ୯ ପୃଷ୍ଠାରେ ବର୍ଣ୍ଣିତ ବିଞ୍ଚଣାର ପତ୍ରଗୁଡ଼ିକୁ ଭାଙ୍ଗି ବୁଣିବା ପ୍ରଣାଳୀରେ ବୁଣା ହୋଇଥିବା ଅଂଶ ସଙ୍ଗେ ବୁଣି ମିଶାଇ ଦେବ । ସେହିପରି ପତ୍ର ମୋଡ଼ିବା ସ୍ଥାନରେ ତାଳପତ୍ରର ଶିର ବା ଖଡ଼ିକା ଦେଇ ପତ୍ରଗୁଡ଼ିକ ମୋଡ଼ିଲେ ଚଟେଇ ଖଣ୍ଡିକ ଶକ୍ତ ଏବଂ ଦେଖିବାକୁ ସୁନ୍ଦର ହେବ ।

•••

 

୨. ଟୁଇଲ୍ ବୁଣା

 

ପତ୍ରଗୁଡ଼ିକ ସମାନ ସମାନ କରି ଚିରିବ । ସେଗୁଡ଼ିକ ଭିନ୍ନ ଭିନ୍ନ ରଙ୍ଗରେ ରଙ୍ଗାଇ ନେବ । ଏଠାରେ ଟାଣି * ପତ୍ରଗୁଡ଼ିକ ସାଧା ରଖି ଭରଣି * ପତ୍ରଗୁଡ଼ିକ ରଙ୍ଗା ଯାଇଅଛି ।

 

 

* ଟାଣି ଅର୍ଥରେ ଯେଉଁ ପତ୍ରଗୁଡ଼ିକୁ ପ୍ରଥମେ ପାରି ଦିଆଯାଏ ।

 

* ଭରଣି ଅର୍ଥରେ ଯେଉଁ ପତ୍ରଗୁଡ଼ିକୁ ଟାଣି ପତ୍ରର ଆଡ଼ବାଗରେ ଖଞ୍ଜି ବୁଣାଯାଏ ।

 

ଚଟେଇଟି ଯେତେ ଚୌଡ଼ା କରିବାକୁ ଇଚ୍ଛା କରିବ ସେହି ପରିମିତ ଗୋଟିଏ ସମତଳ ସ୍ଥାନରେ ସାଧା ପତ୍ରଗୁଡ଼ିକ ପାରିଦେବ । ତହିଁର ଏକପ୍ରାନ୍ତରେ ତାହା ଉପରେ ଖଣ୍ଡିଏ ପଟା ବା ବତା ପକାଇ ଗୋଡ଼ରେ ମାଡ଼ି ବସିବ । ତାହାହେଲେ ପତ୍ରଗୁଡ଼ିକ ହଲଚଲ ନ ହୋଇ ଯେ ଯେଉଁଠାରେ ଥିବ ସେ ସେହିଠାରେ ସ୍ଥିର ହୋଇ ରହିବ । ପ୍ରଥମେ ବାମ ଦିଗରୁ ବୁଣିବାକୁ ଆରମ୍ଭ କରିବ : –

 

Image

 

୧.

ପ୍ରଥମେ ଦୁଇଗୋଟି ପତ୍ର ଉପରକୁ ଉଠାଇ ଓ ଦୁଇଗୋଟି ପତ୍ର ତଳକୁ ରଖି ଯଥାକ୍ରମେ ସମସ୍ତ ପତ୍ର ଭାଗ କରି ତହିଁର ବ୍ୟବଧାନରେ ଗୋଟିଏ ରଙ୍ଗପତ୍ର ଖଞ୍ଜିଦେବ ।

୨.

ଦ୍ୱିତୀୟ ଥରକୁ କେବଳ ବାମ ପାର୍ଶ୍ୱର ପ୍ରଥମ ପତ୍ର ଗୋଟିକ ତଳକୁ ରଖି ଅବଶିଷ୍ଟ ପତ୍ରଗୁଡ଼ିକରୁ ଯଥାକ୍ରମେ ଦୁଇଗୋଟି ଉପରକୁ ଉଠାଇ ଓ ଦୁଇଗୋଟି ତଳକୁ ଦେଇ ତହିଁର ବ୍ୟବଧାନରେ ଆଉ ଗୋଟିଏ ରଙ୍ଗପତ୍ର ଖଞ୍ଜିଦେବ ।

୩.

ତୃତୀୟ ଥରକୁ ଯଥାକ୍ରମେ ଦୁଇଗୋଟି ପତ୍ର ତଳକୁ ରଖି ଓ ଦୁଇଗୋଟି ପତ୍ର ଉପରକୁ ଉଠାଇ ସବୁ ପତ୍ରଗୁଡ଼ିକ ଭାଗ କରି ଏହି ବ୍ୟବଧାନରେ ଆଉ ଗୋଟିଏ ରଙ୍ଗପତ୍ର ଖଞ୍ଜିଦେବ ।

୪.

ଚତୁର୍ଥ ଥରକୁ ପ୍ରଥମ ଗୋଟିକ ପତ୍ର ଉପରକୁ ଉଠାଇ ଅବଶିଷ୍ଟ ପତ୍ରଗୁଡ଼ିକ ଯଥାକ୍ରମେ ଦୁଇଗୋଟି ତଳକୁ ଓ ଦୁଇଗୋଟି ଉପରକୁ ଦେଇ ପୁଣି ଗୋଟିଏ ରଙ୍ଗପତ୍ର ଖଞ୍ଜିଦେବ ।

 

ଏହିପରି କ୍ରମ ଅନୁସରଣ କରି ଚଟେଇଟି ଯେତେ ବଡ଼ କରିବାକୁ ଥିବ ତେତେ ବଡ଼ ହେବା ପର୍ଯ୍ୟନ୍ତ ବୁଣି ଛାଡ଼ିଦେବ । ଶେଷକୁ ଚାରିପାଖରେ ମୁହଁ ବାନ୍ଧିଦେବ । ମୁହଁ ବାନ୍ଧିବାର ପ୍ରଣାଳୀ ସରଳ ବୁଣା ଚଟେଇରେ ଯେପରି ବର୍ଣ୍ଣିତ ହୋଇଅଛି ଏଥିରେ ମଧ୍ୟ ଠିକ୍ ସେହି ପ୍ରଣାଳୀରେ ବାନ୍ଧିବ ।

•••

 

୩. ଟୁଇଲ୍ ବୁଣା-୩ଗୋଟି ଶାଖାରେ

 

ଉପରେ ଦୁଇଗୋଟି ପତ୍ର ତଳକୁ ରଖି ଓ ଦୁଇଗୋଟି ପତ୍ର ଉପରକୁ ଉଠାଇ ଯେପରି ଟୁଇଲ୍ ବୁଣିବାର ପ୍ରଣାଳୀ ବର୍ଣ୍ଣିତ ହୋଇଅଛି, ସେହିପରି ୩ ଗୋଟି ପତ୍ର ତଳକୁ ରଖି ଏବଂ ୩ଗୋଟି ପତ୍ର ଉପରକୁ ଉଠାଇ ମଧ୍ୟ ଟୁଇଲ୍ ବୁଣାଯାଇ ପାରେ ।

Image

ପୂର୍ବ ପରି ପ୍ରଥମେ କେତେଗୁଡ଼ିଏ ପତ୍ର ସମାନ ସମାନ କରି ଚିରି ତାହାକୁ ଗୋଟିଏ ସମତଳ ସ୍ଥାନରେ ପାରିଦେବ । ତହିଁର ଏକପ୍ରାନ୍ତରେ ପଟାଖଣ୍ଡିଏ ବା ବତାଖଣ୍ଡିଏ ପକାଇ ଗୋଡ଼ରେ ମାଡ଼ି ବସିବ । ବାମ ପାଖରୁ ବୁଣିବାକୁ ଆରମ୍ଭ କରିବ ।

 

୧.

ପ୍ରଥମେ ୩ଗୋଟି ପତ୍ର ତଳକୁ ରଖି ଓ ୩ଗୋଟି ପତ୍ର ଉପରକୁ ଉଠାଇ ଏହି କ୍ରମରେ ଅବଶିଷ୍ଟ ପତ୍ରଗୁଡ଼ିକରୁ ୩ଗୋଟି ତଳକୁ ଓ ତିନିଗୋଟି ଉପରକୁ ଦେଇ ତହିଁର ବ୍ୟବଧାନରେ ଗୋଟିଏ ରଙ୍ଗପତ୍ର ଖଞ୍ଜିଦେବ ।

୨.

ଦ୍ୱିତୀୟ ଥରକୁ ପ୍ରଥମ ପତ୍ର ଗୋଟିକ ଉପରକୁ ଉଠାଇ ତହିଁ ପରର ପତ୍ରଗୁଡ଼ିକରୁ ଯଥାକ୍ରମେ ୩ଗୋଟି ପତ୍ର ତଳକୁ ରଖି ଏବଂ ୩ଗୋଟି ପତ୍ର ଉପରକୁ ଉଠାଇ ସେହି ବ୍ୟବଧାନରେ ଆଉ ଗୋଟିଏ ରଙ୍ଗପତ୍ର ଖଞ୍ଜିଦେବ ।

୩.

ତୃତୀୟ ଥରକୁ ପ୍ରଥମ ଦୁଇଗୋଟି ପତ୍ର ଉପରକୁ ଉଠାଇ ତହିଁ ପରର ପତ୍ରଗୁଡ଼ିକରୁ ଯଥାକ୍ରମେ ୩ଗୋଟି ତଳକୁ ରଖି ଓ ୩ଗୋଟି ଉପରକୁ ଉଠାଇ ଆଉ ଗୋଟିଏ ରଙ୍ଗପତ୍ର ଖଞ୍ଜିଦେବ ।

୪.

ଚତୁର୍ଥ ଥରକୁ ସମସ୍ତ ପତ୍ରଗୁଡ଼ିକରୁ ଯଥାକ୍ରମେ ୩ଗୋଟି ପତ୍ର ଉପରକୁ ଉଠାଇ ଏବଂ ୩ଗୋଟି ପତ୍ର ତଳକୁ ରଖି ସେହି ବ୍ୟବଧାନରେ ଆଉ ଗୋଟିଏ ରଙ୍ଗପତ୍ର ଖଞ୍ଜିଦେବ ।

୫.

ପଞ୍ଚମ ଥରକୁ ପ୍ରଥମ ଗୋଟିକ ପତ୍ର ତଳକୁ ରଖି ଅବଶିଷ୍ଟ ପତ୍ରଗୁଡ଼ିକରୁ ଯଥାକ୍ରମେ ୩ଗୋଟି ପତ୍ର ଉପରକୁ ଉଠାଇ ଏବଂ ୩ଗୋଟି ପତ୍ର ତଳକୁ ରଖି ପୁଣି ଗୋଟିଏ ରଙ୍ଗପତ୍ର ଖଞ୍ଜିଦେବ ।

୬.

ଷଷ୍ଠ ଥରକୁ ପ୍ରଥମ ଦୁଇଗୋଟି ପତ୍ର ତଳକୁ ରଖି ଅବଶିଷ୍ଟ ପତ୍ରଗୁଡ଼ିକରୁ ଯଥାକ୍ରମେ ୩ଗୋଟି ଉପରକୁ ଉଠାଇ ଏବଂ ୩ଗୋଟି ତଳକୁ ରଖି ପୁଣି ଗୋଟିଏ ରଙ୍ଗ ପତ୍ର ଖଞ୍ଜିବ-

୭.

ସପ୍ତମ ଥରକୁ ଠିକ୍ ପ୍ରଥମ ଥର ପରି ପତ୍ରଗୁଡ଼ିକୁ ଭାଗ କରି ଗୋଟିଏ ରଙ୍ଗପତ୍ର ଖଞ୍ଜିବ ।

 

ଏହି କ୍ରମରେ ବୁଣି ଯେତେ ବଡ଼ କରିବାକୁ ଇଚ୍ଛା କରିବ ତେତେ ବଡ଼ ହେବା ପର୍ଯ୍ୟନ୍ତ ବୁଣିବ । ଶେଷକୁ ପୂର୍ବବର୍ଣ୍ଣିତ ପ୍ରଣାଳୀରେ ଚାରିପାଖରେ ମୁହଁ ବାନ୍ଧିଦେବ ।

•••

 

୪. କଲୀ ଟୁଇଲ୍

 

ପତ୍ରଗୁଡ଼ିକ ସମାନ ସମାନ କରି ଚିରି ଗୋଟିଏ ସମତଳ ସ୍ଥାନରେ ପାରିଦେବ । ଏକପ୍ରାନ୍ତରେ ପଟା ବା ବତା ଖଣ୍ଡିଏ ଦେଇ ଗୋଡ଼ରେ ମାଡ଼ି ବସିବ ।

 

ପ୍ରତି ଭାଗରେ ୫ ଗୋଟି କରି ରଖି ସମସ୍ତ ପତ୍ରଗୁଡ଼ିକୁ ଭାଗ କରିବ । ଶେଷ ଭାଗରେ ଗୋଟିଏ ପତ୍ର କମ୍ କରି ୪ଗୋଟି ପତ୍ର ରଖିବ । ବାମରୁ ବୁଣିବାକୁ ଆରମ୍ଭ କରିବ ।

Image

୧.

ପ୍ରଥମ ୫ ଗୋଟି ପତ୍ର ମଧ୍ୟରୁ ୨ ଗୋଟି ତଳକୁ ୨ ଗୋଟି ଉପରକୁ ଏବଂ ୫ମ ପତ୍ରଟି ତଳକୁ ଓ ଦ୍ୱିତୀୟ ୫ ଗୋଟି ପତ୍ର ମଧ୍ୟରୁ ୨ ଗୋଟି ଉପରକୁ ୨ଗୋଟି ତଳକୁ ଏବଂ ୫ମ ଟି ଉପରକୁ, ଏହି ନିୟମରେ ଯଥାକ୍ରମେ ଧାଡ଼ି ଶେଷ ପର୍ଯ୍ୟନ୍ତ ପତ୍ରଗୁଡ଼ିକୁ ଭାଗକରି ତହିଁର ବ୍ୟବଧାନରେ ଗୋଟିଏ ରଙ୍ଗ ପତ୍ର ଖଞ୍ଜି ଦେବ । ଏଥିରେ ଶେଷ ଦୁଇ ଗୋଟି ପତ୍ର ତଳକୁ ରହିଯିବ ।

୨.

ଦ୍ୱିତୀୟ ଥରକୁ ପ୍ରଥମ ପତ୍ର ଗୋଟିକ ଉପରକୁ ଦେଇ ଅବଶିଷ୍ଟ ପତ୍ରଗୁଡ଼ିକ ୨ ଗୋଟି ତଳକୁ ଏବଂ ୩ଗୋଟି ଉପରକୁ ଏହି କ୍ରମରେ ଧାଡ଼ି ଶେଷ ପର୍ଯ୍ୟନ୍ତ ଭାଗ କରି ତହିଁର ବ୍ୟବଧାନରେ ଆଉ ଗୋଟିଏ ରଙ୍ଗ ପତ୍ର ଖଞ୍ଜିବ । ଏଥର ଶେଷର ଗୋଟିଏ ପତ୍ର ଉପରକୁ ରହିଯିବ ।

୩.

ତୃତୀୟ ଥରକୁ ୨ଗୋଟି ପତ୍ର ଉପରକୁ ୨ ଗୋଟି ପତ୍ର ତଳକୁ ଏବଂ ୫ମ ପତ୍ରଟି ଉପରକୁ, ପୁଣି ୨ ଗୋଟି ତଳକୁ ୨ ଗୋଟି ଉପରକୁ ଏବଂ ଗୋଟିଏ ତଳକୁ ଏହିପରି କ୍ରମରେ ଅବଶିଷ୍ଟ ପତ୍ରଗୁଡ଼ିକ ଭାଗ କରି ତହିଁର ବ୍ୟବଧାନରେ ପୁଣି ଗୋଟିଏ ରଙ୍ଗ ପତ୍ର ଖଞ୍ଜିବ । ଏଥର ଶେଷର ୨ ଗୋଟି ପତ୍ର ଉପରକୁ ରହିବ ।

୪.

ଚତୁର୍ଥ ଥରକୁ ପ୍ରଥମ ଗୋଟିକ ପତ୍ର ତଳକୁ ରଖି ଅବଶିଷ୍ଟ ପତ୍ରଗୁଡ଼ିକ ୨ ଗୋଟି ଉପରକୁ ଓ ୩ ଗୋଟି ତଳକୁ ଏହି କ୍ରମରେ ଧାଡ଼ି ଶେଷ ପର୍ଯ୍ୟନ୍ତ ଭାଗ କରି ତହିଁର ବ୍ୟବଧାନରେ ଆଉ ଗୋଟିଏ ରଙ୍ଗପତ୍ର ଖଞ୍ଜିବ । ଏଥର ଶେଷର ୧ ଗୋଟି ପତ୍ର ତଳକୁ ରହିବ ।

୫.

ପଞ୍ଚମ ଥରକୁ ଠିକ୍ ପ୍ରଥମ ପରି ଭାଗ କରି ଗୋଟିଏ ପତ୍ର ଖଞ୍ଜିବ ।

୬.

ଷଷ୍ଠ ଥରକୁ ଠିକ୍ ଦ୍ୱିତୀୟଥର ପରି ପତ୍ରଗୁଡ଼ିକ ଭାଗ କରି ଗୋଟିଏ ପତ୍ର ଖଞ୍ଜିବ ।

୭.

ସପ୍ତମ ଥରକୁ ଠିକ୍ ତୃତୀୟଥର ପରି ପତ୍ରଗୁଡ଼ିକ ଭାଗ କରି ଗୋଟିଏ ପତ୍ର ଖଞ୍ଜିବ ।

୮.

ଅଷ୍ଟମ ଥରକୁ ଠିକ୍ ଚତୁର୍ଥଥର ପରି ପତ୍ରଗୁଡ଼ିକ ଭାଗ କରି ଗୋଟିଏ ପତ୍ର ଖଞ୍ଜିବ ।

୯.

ନବମ ଥରକୁ ଠିକ୍ ପ୍ରଥମଥର ପରି ପତ୍ରଗୁଡ଼ିକ ଭାଗ କରି ଗୋଟିଏ ପତ୍ର ବୁଣିବ ।

 

ଏହି କ୍ରମରେ ବୁଣିଯିବ । ଏଥିରୁ ବୁଝିପାରିବ ଯେ କଲୀ ଟୁଇଲ୍ ବୁଣିବାରେ ପ୍ରତି ଧାଡ଼ିରେ ପ୍ରଥମ ପତ୍ରଟି ତଳକୁ ବା ଉପରକୁ ଯେପରି ରହିବ ଶେଷ ପତ୍ରଟି ମଧ୍ୟ ଠିକ୍ ସେହିପରି ତଳକୁ ବା ଉପରକୁ ରହୁଥିବ । ଚଟେଇ ଖଣ୍ଡିକର ବୁଣା ପୂର୍ଣ୍ଣ ହୋଇଗଲେ ପୂର୍ବ ବର୍ଣ୍ଣିତ ପ୍ରଣାଳୀରେ ତହିଁର ଚାରିପାଖର ଧଡ଼ି ବାନ୍ଧି ଦେବ ।

•••

 

୫. ଡାଇମଣ୍ଡ୍‌ ବୁଣା

 

ଲୁଗାରେ ଯେପରି ଡାଇମଣ୍ଡ୍ ବୁଣା ଯାଏ ସେହିପରି ଚଟେଇରେ ମଧ୍ୟ ଡାଇମଣ୍ଡ୍ ବୁଣାଯାଇ ପାରେ । ଏହାର ମଧ୍ୟଭାଗରେ ବରଫି ଆକାରର ଗୋଟିଏ ଚତୁଷ୍କୋଣ କ୍ଷେତ୍ର ଦେଖାଯିବ ।

 

ପୂର୍ବପରି ସାଧା ପତ୍ରଗୁଡ଼ିକ ଗୋଟିଏ ସମତଳ ସ୍ଥାନରେ ପାରିଦେବ । ଏକ ପ୍ରାନ୍ତରେ ଖଣ୍ଡିଏ ପଟା ବା ବତା ରଖି ଗୋଡ଼ରେ ମାଡ଼ି ବସିବ ।

 

ପତ୍ରଗୁଡ଼ିକ ଯୋଡ଼ା ଯୋଡ଼ା କରି ଗଣିଯିବ । ଯେତେ ଯୋଡ଼ା ହେବ ତହିଁରୁ ଗୋଟିଏ ପତ୍ର ଅଧିକ ରଖିବ । ଏଥିରେ ଠିକ୍ ମଝିରୁ ବୁଣିବାକୁ ଆରମ୍ଭ କରିବ ।

Image

୧.

ପ୍ରଥମେ ଠିକ୍ ମଝି ପତ୍ରଟି ଉପରକୁ ଉଠାଇ ତହିଁର ଦୁଇ ପାଖର ପତ୍ରଗୁଡ଼ିକୁ ଯଥାକ୍ରମେ ୪ ଗୋଟି ତଳକୁ ରଖି ଓ ୪ ଗୋଟି ଉପରକୁ ଉଠାଇ ସେହି ବ୍ୟବଧାନରେ ଗୋଟିଏ ରଙ୍ଗପତ୍ର ଖଞ୍ଜି ଦେବ ।

୨.

ଦ୍ୱିତୀୟ ଥରକୁ ମଝିରୁ ୩ ଗୋଟି ପତ୍ର ଉପରକୁ ଉଠାଇ ଦୁଇ ପାଖର ପତ୍ରଗୁଡ଼ିକ ଯଥାକ୍ରମେ ୪ ଗୋଟି ତଳକୁ ରଖି ଓ ୪ ଗୋଟି ଉପରକୁ ଉଠାଇ ଆଉ ଗୋଟିଏ ରଙ୍ଗପତ୍ର ଖଞ୍ଜିବ ।

୩.

ତୃତୀୟ ଥରକୁ ମଝିରୁ ୫ ଗୋଟି ପତ୍ର ଉପରକୁ ଉଠାଇ ସେମାନଙ୍କର ଦୁଇ ପାଖର ପତ୍ରଗୁଡ଼ିକ ଯଥାକ୍ରମେ ୪ ଗୋଟି ତଳକୁ ରଖି ଓ ୪ ଗୋଟି ଉପରକୁ ଉଠାଇ ସେହି ବ୍ୟବଧାନରେ ଆଉ ଗୋଟିଏ ରଙ୍ଗପତ୍ର ଖଞ୍ଜିଦେବ ।

୪.

ଚତୁର୍ଥ ଥରକୁ ମଝିରୁ ୭ ଗୋଟି ପତ୍ର ଉପରକୁ ଉଠାଇ ସେମାନଙ୍କର ଦୁଇ ପାଖର ପତ୍ରଗୁଡ଼ିକ ଯଥାକ୍ରମେ ୪ ଗୋଟି ତଳକୁ ରଖି ଓ ୪ ଗୋଟି ଉପରକୁ ଉଠାଇ ଏହି ବ୍ୟବଧାନରେ ପୁଣି ଗୋଟିଏ ରଙ୍ଗପତ୍ର ଖଞ୍ଜିବ ।

 

Image

 

ଏ ପର୍ଯ୍ୟନ୍ତ ଯେଉଁ ୪ ଗୋଟି ପତ୍ର ବୁଣା ହେଲା ତହିଁରେ ଯଥାକ୍ରମେ ମଝିରୁ ୧, ୩, ୫ ଓ ୭ ଗୋଟି ପତ୍ର ଉପରକୁ ଉଠାଇ ଏବଂ ଦୁଇ ପାଖର ପତ୍ରଗୁଡ଼ିକ ଯଥାକ୍ରମେ ୪ ଗୋଟି ତଳକୁ ରଖି ଓ ୪ ଗୋଟି ଉପରକୁ ଉଠାଇ ବୁଣା ହେଲା । ଏହିଠାରୁ ମଝିରୁ ଯଥାକ୍ରମେ ୧, ୩, ୫ ଓ ୭ ଗୋଟି ପତ୍ର ତଳକୁ ରଖି ଏବଂ ସେମାନଙ୍କର ଦୁଇ ପାଖର ପତ୍ର ଯଥାକ୍ରମେ ୪ ଗୋଟି ଉପରକୁ ଉଠାଇ ଓ ୪ ଗୋଟି ତଳକୁ ରଖି ଆଉ ୪ ଗୋଟି ରଙ୍ଗପତ୍ର ବୁଣିବ ।

 

ଏହା ପରେ ପ୍ରଥମ ୪ ଗୋଟି ପତ୍ରପରି ୪ ଗୋଟି ପତ୍ର ଏବଂ ଦ୍ୱିତୀୟ ୪ ଗୋଟି ପତ୍ର ପରି ୪ ଗୋଟି ପତ୍ର ଏରୂପ ୮ ଗୋଟି ପତ୍ର ବୁଣିବ ।

 

ଯେଉଁ ପଦାର୍ଥଟି ବୁଣିବାକୁ ଥିବ ତହିଁର ମଝି ପର୍ଯ୍ୟନ୍ତ ବୁଣିବା ପାଇଁ ଏହିପରି ଯେତେଥର ଆବଶ୍ୟକ ହେବ ତେତେଥର ୮ଗୋଟି କରି ପତ୍ର ବୁଣି ଅର୍ଥାତ୍ ପୁନରାବୃତ୍ତିରେ ବୁଣି ବୁଣି ସେହି ପଦାର୍ଥର ଠିକ୍ ମଝି ପର୍ଯ୍ୟନ୍ତ ଆସିବ । ତାହାହେଲେ ବରଫି ଆକାରର ଚତୁଷ୍କୋଣ ଚିତ୍ରର ଠିକ୍ ଅଧେ ଦେଖାଯିବ । ଏଥର ଚତୁଷ୍କୋଣ ଚିତ୍ରଟିର ଠିକ୍ ମଝିଟି ଦେଖାଇ ବାକି ଅଧିକ ଦେଖାଇବା ପାଇଁ ଠିକ୍ ବିପରୀତ ଭାବରେ ବୁଣିବାକୁ ହେବ । ସେଥି ନିମନ୍ତେ-

 

ପ୍ରଥମେ ମଝି ଦେଖାଇବା ପାଇଁ ଠିକ୍ ମଝିର ପତ୍ରଗୋଟିକ ତଳକୁ ରଖି ତହିଁର ଦୁଇପାଖର ପତ୍ରକୁ ଯଥାକ୍ରମେ ୪ଗୋଟି ଉପରକୁ ଉଠାଇ ଓ ୪ ଗୋଟି ତଳକୁ ରଖି ଗୋଟିଏ ରଙ୍ଗ ପତ୍ର ବୁଣିବ । ଏହି ପତ୍ରଟି ଚତୁଷ୍କୋଣ କ୍ଷେତ୍ରର ଠିକ୍ ମଝି ହେବ । ଏହା ପରେ ୪ ଗୋଟି ପତ୍ର ବୁଣା ହେଲେ ଠିକ୍ ମଝିର ଚତୁଷ୍କୋଣ କ୍ଷେତ୍ରଟି ପୂର୍ଣ୍ଣ ହେବ । ଶେଷ ପର୍ଯ୍ୟନ୍ତ ବିପରୀତ ଭାଗରେ ବୁଣିଗଲେ ଉଭୟ ପାଖରେ ଆଉ ଯେତେଗୁଡ଼ିଏ କ୍ଷେତ୍ର ଅପୂର୍ଣ୍ଣ ରହିଥିବ ସେହି ସବୁଗୁଡ଼ିକ ପୂର୍ଣ୍ଣ ହୋଇଯିବ । ତେଣୁ ଏହାପରେ–

 

୧.

ମଝିରୁ ୭ ଗୋଟି ପତ୍ର ଉପରକୁ ଉଠାଇ ଦୁଇ ପାଖର ପତ୍ରଗୁଡ଼ିକ ଯଥାକ୍ରମେ ୪ ଗୋଟି ତଳକୁ ରଖି ଓ ୪ଗୋଟି ଉପରକୁ ଉଠାଇ ଗୋଟିଏ ରଙ୍ଗପତ୍ର ଖଞ୍ଜିବ ।

୨.

ମଝିରୁ ୫ ଗୋଟି ପତ୍ର ଉପରକୁ ଉଠାଇ ଦୁଇ ପାଖରୁ ଯଥାକ୍ରମେ ୪ଗୋଟି ପତ୍ର ତଳକୁ ରଖି ଓ ୪ ଗୋଟି ପତ୍ର ଉପରକୁ ଉଠାଇ ଗୋଟିଏ ରଙ୍ଗ ପତ୍ର ଖଞ୍ଜିବ ।

୩.

ମଝିରୁ ୩ ଗୋଟି ପତ୍ର ଉପରକୁ ଉଠାଇ ଦୁଇପାଖର ପତ୍ରରୁ ଯଥାକ୍ରମେ ୪ ଗୋଟି ତଳକୁ ରଖି ଓ ୪ ଗୋଟି ଉପରକୁ ଉଠାଇ ଗୋଟିଏ ରଙ୍ଗ ପତ୍ର ଖଞ୍ଜିବ ।

୪.

ମଝିରୁ ୧ ଗୋଟି ପତ୍ର ଉପରକୁ ଉଠାଇ ଦୁଇପାଖର ପତ୍ରଗୁଡ଼ିକରୁ ଯଥାକ୍ରମେ ୪ ଗୋଟି ତଳକୁ ରଖି ଓ ୪ ଗୋଟି ଉପରକୁ ଉଠାଇ ଗୋଟିଏ ରଙ୍ଗ ପତ୍ର ଖଞ୍ଜିବ ।

 

ତା ପରେ ମଝିରୁ ଯଥାକ୍ରମେ ଥରେ ୭ ଗୋଟି, ଥରେ ୫ ଗୋଟି, ଥରେ ୩ ଗୋଟି ଏବଂ ଶେଷଥର ୧ ଗୋଟି ପତ୍ର ତଳକୁ ରଖି ପ୍ରତିଥର ଦୁଇପାଖର ପତ୍ର ଯଥାକ୍ରମେ ୪ ଗୋଟି ଉପରକୁ ଉଠାଇ ଓ ୪ ଗୋଟି ତଳକୁ ରଖି ଆଉ ୪ ଗୋଟି ରଙ୍ଗ ପତ୍ର ଖଞ୍ଜିବ ।

 

ଏହି ୪ ଗୋଟି ପତ୍ର ବୁଣା ହୋଇଗଲା ପରେ ମଝିର ଚତୁଷ୍କୋଣ କ୍ଷେତ୍ରଟି ପୂର୍ଣ୍ଣ ହୋଇଯିବ ।

 

ତା ପରେ ପୂର୍ବ ଅନୁକରଣରେ ପଦାର୍ଥର ଅବଶିଷ୍ଟ ଅଂଶ ଏହିପରି ବିପରୀତ ଭାବରେ ବୁଣି ଶେଷ କରିବ ।

 

ପରିଶେଷରେ ପୂର୍ବ ବର୍ଣ୍ଣିତ ପ୍ରଣାଳୀରେ ଧଡ଼ି ବାନ୍ଧିଦେବ ।

•••

 

ତାଳପତ୍ର ବ୍ୟାଗ୍

 

ସରଳ ବୁଣା–

Image

(୧ ନମ୍ବର ଚିତ୍ର)

(୨ ନମ୍ବର ଚିତ୍ର)

 

ପ୍ରଥମେ କେତେଗୁଡ଼ିଏ କଅଁଳିଆ ତାଳପତ୍ର ସମାନ ଚୌଡ଼ାରେ ଚିରିବ । ଚଟେଇ ବୁଣିବାର ସରଳ ବୁଣା ପ୍ରଣାଳୀରେ ଗୋଟିଏ ପତ୍ର ଉପରକୁ ଉଠାଇ ଓ ଗୋଟିଏ ପତ୍ର ତଳକୁ ରଖି ଖଣ୍ଡିଏ ଚାରିକୋଣିଆ ଚଟେଇ ବୁଣିବ । ୧ ନମ୍ବର ଚିତ୍ର ଦେଖ । ଚଟେଇ ଚାରିପାଖ ସମାନ ରହିବ । ୨ ନମ୍ବର ଚିତ୍ର ପରି ଚଟେଇ ଖଣ୍ଡିକ ମୋଡ଼ିଦେଇ ତହିଁର ଦୁଇଟି ବିପରୀତ କୋଣ ଏକାଠି ମିଶାଇକରି ଧରିବ । ମଝିର ଭାଙ୍ଗଟି ଅବଶିଷ୍ଟ କୋଣ ଦୁଇଟିର ଠିକ୍ ମଝିରେ ପଡ଼ିବ । ଯେଉଁଠାରେ ଭାଙ୍ଗ ପଡ଼ିବ ସେହିଠାରେ ଖଣ୍ଡିଏ ସୂତା ବାନ୍ଧିଦେଲେ ଦୁଇମୁଣ୍ଡର ପତ୍ରଗୁଡ଼ିକ ଖସି ଯିବାର ଆଶଙ୍କା ରହିବ ନାହିଁ ।

 

Image

(୩ ନମ୍ବର ଚିତ୍ର)

(୪ ନମ୍ବର ଚିତ୍ର)

 

ବର୍ତ୍ତମାନ ଯେଉଁ ଦୁଇ ଗୋଟି କୋଣ ଉପରେ ଭାଙ୍ଗ ପଡ଼ିଲା, ସେହି ଦୁଇ ଗୋଟି କୋଣରେ ବାହାରିଥିବା ପତ୍ରଗୁଡ଼ିକ ମଧ୍ୟରୁ ଦୁଇଆଡ଼ୁ ଆସିଥିବା ପ୍ରଥମ ଦୁଇଗୋଟି ପତ୍ରକୁ ପରସ୍ପର ଛନ୍ଦାଛନ୍ଦି କରି ଦେଇ ଯେ ଯେଉଁଆଡ଼ୁ ଆସିଥିବ ତାକୁ ସେହି ଆଡ଼କୁ ଫେରାଇ ନେବ । ତା ପରେ ଆଉ ପତ୍ରଗୁଡ଼ିକ ଯେ ଯେଉଁ ପାଖରୁ ବାହାରିଥିବ ତାହାକୁ ତାହାର ବିପରୀତ ପାଖରେ ବୁଣିବ । ବୁଣିବା ସମୟରେ ବୁଣିବାର ଭାଗକୁ ନଜର ରଖି ପ୍ରତି ପାଖରୁ ଥରେ ଲେଖାଁଏ ବୁଣିଯିବ-। ଏହିପରି ବୁଣି ବ୍ୟାଗ୍‌ଟି ଯେତେ ବଡ଼ କରିବାକୁ ଇଚ୍ଛା କରିବ, ସେହି ପର୍ଯ୍ୟନ୍ତ ତହିଁର ଉପରି ଭାଗକୁ ସବୁଆଡ଼େ ସେହି ପରିମାଣରେ ସମାନ କରିବ । ବୁଣା ବାଦ୍ ବାହାରିଥିବା ପତ୍ରାଂଶଗୁଡ଼ିକ ମୋଡ଼ି ଓଲଟାଇ ବୁଣା ହୋଇଥିବା ଅଂଶରେ ଗୁଞ୍ଜିଦେଲେ ମୁଣ୍ଡ ସମାନ ହୋଇଯିବ-

 

ଏଥିରେ ଟାଣିରେ ସାଧା ପତ୍ର ଦେଇ ଭରଣିରେ କୌଣସି ଗୋଟିଏ ରଙ୍ଗପତ୍ର ବୁଣିବ କିମ୍ବା ଗୋଟିଯାକ ଏକରଙ୍ଗର କରି ଭିତରେ ଗୋଟିଏ ବା ଦୁଇଟି ଛକ ପକାଇବା ଭଳି ଟାଣିରେ ରଙ୍ଗପତ୍ର ଖଞ୍ଜି ସେହି ଅନୁସାରେ ଭରଣି ପତ୍ର ବୁଣିପାର । କିମ୍ବା ଯେଉଁପରି ଚିତ୍ରିତ କରିବାକୁ ଇଚ୍ଛାକର ସେହିପରି ପତ୍ର ସଜାଇ ବୁଣିବ । ତାହାହେଲେ ପଦାର୍ଥଟି ଦେଖିବାକୁ ଭିନ୍ନଭିନ୍ନ ରଙ୍ଗରେ ଚିତ୍ରିତ ଦେଖାଯିବ ।

 

ଠିକ୍ ଏହି ପ୍ରଣାଳୀରେ ଆଉ ଗୋଟିଏ ଅଳ୍ପ ଉଚ୍ଚର, ମାତ୍ର ସମାନ ଚଉଡ଼ାର ବୁଣିଦେଲେ ତାହା ବ୍ୟାଗ୍‌ର ଢାଙ୍କୁଣି ହେବ ।

 

ଏହାକୁ ଖାଲି ରଖିପାର; ଅଥବା ହତା ଲଗାଇବାକୁ ଇଚ୍ଛାକଲେ ହତା ନିମନ୍ତେ ଫାଳେ ବେତ ବା ତାଳ ପତ୍ରର ଶିରା ବା କୋରଟ ଖଣ୍ଡିଏ ତାଞ୍ଚ୍ଥି ତହିଁରେ ଏକପରସ୍ତ ରଙ୍ଗପତ୍ର ଗୁଡ଼ାଇ ଦେବ । ତାହାକୁ ମୋଡ଼ି ବ୍ୟାଗ୍‌ର ଦୁଇପାଖରେ ସମାନ କରି ବସାଇ ତହିଁର ତଳରୁ ଖଞ୍ଜି ସ୍ଥାନେ ସ୍ଥାନେ କୋରଟ ପାତିଆଦ୍ୱାରା ବାନ୍ଧିଦେବ ।

•••

 

ଟୁଇଲ୍ ବୁଣା ବ୍ୟାଗ୍

 

Image

(୧ ନମ୍ବର ଚିତ୍ର)

(୨ ନମ୍ବର ଚିତ୍ର)

(୩ ନମ୍ବର ଚିତ୍ର)

 

ଯେପରି ସରଳବୁଣା ପ୍ରଣାଳୀରେ ଚଟେଇ ଖଣ୍ଡିଏ ବୁଣି ତାହାକୁ ମଝିରୁ କୋଣକୁ କୋଣ ଭାଙ୍ଗି ବ୍ୟାଗ୍ ବୁଣିବାର ପ୍ରଣାଳୀ ଉପରେ ବର୍ଣ୍ଣିତ ହେଲା; ଠିକ୍ ସେହିପରି ଟୁଇଲ୍ ବୁଣିବା ପ୍ରଣାଳୀରେ ଚଟେଇ ଖଣ୍ଡିଏ ବୁଣି ତାହାକୁ ଠିକ୍ ସେହିପରି କୋଣକୁ କୋଣ ଭାଙ୍ଗିଦେଇ ଟୁଇଲ୍ ବୁଣା ପ୍ରଣାଳୀରେ ଅବଶିଷ୍ଟ ଅଂଶ ବୁଣି ବ୍ୟାଗ୍ ତିଆରି କରିପାରିବ । ସ୍ମରଣ ରଖିବ ଯେ, କୋଣ ବୁଣିବା ବେଳେ ଦୁଇପାଖରୁ ଆସିଥିବା ପ୍ରଥମ ପତ୍ର ଦୁଇଟିକୁ ପରସ୍ପର ଛନ୍ଦା ଛନ୍ଦି କରି ଲେଉଟାଇ ଆଣିବ ଓ ତତ୍ପରେ ପତ୍ରଗୁଡ଼ିକ ଟୁଇଲ୍ ବୁଣା ପ୍ରଣାଳୀରେ ଯେ ଯେଉଁ ପାଖରୁ ବାହାରିଥିବ ତାହାକୁ ତାହାର ବିପରୀତ ପାଖରେ ବୁଣିବାକୁ ହେବ । ଉପରର ୧, ୨ ଓ ୩ ନମ୍ବର ଚିତ୍ରମାନଙ୍କରୁ ଭିନ୍ନ ଭିନ୍ନ ଅବସ୍ଥା ବୁଝି ପାରିବ ।

•••

 

Unknown

୩ ଶାଖାର ବୁଣା ବ୍ୟାଗ

 

୨୬ ପୃଷ୍ଠାରେ ବର୍ଣ୍ଣିତ ପ୍ରଣାଳୀରେ ଖଣ୍ଡିଏ ଚଟେଇ ବୁଣି ତାହାକୁ କୋଣକୁ କୋଣ ଭାଙ୍ଗିଦେବ । ଉପରେ ଦୁଇଟି ଲେଖାଏଁ ପତ୍ର ଯେଉଁ ପ୍ରଣାଳୀରେ ବୁଣା ହୋଇଅଛି, ଠିକ୍ ସେହି ପ୍ରଣାଳୀରେ ୩ ଗୋଟି ପତ୍ର ତଳକୁ ରଖି ଓ ୩ ଗୋଟି ପତ୍ର ଉପରକୁ ଉଠାଇ ବୁଣିବାକୁ ହେବ । ଅନ୍ୟ ସମସ୍ତ ଅଂଶ ପୂର୍ବ ବର୍ଣ୍ଣିତ ମତେ କରିବ । ଏଥିରେ ମଧ୍ୟ କୋଣର ଦୁଇ ପାଖରୁ ଆସିଥିବା ପ୍ରଥମ ଦୁଇଗୋଟି ପତ୍ରକୁ ଛନ୍ଦାଛନ୍ଦି କରି ଲେଉଟାଇ ନେଇ ତା ପରେ ଯେଉଁ ପତ୍ର ଯେଉଁଆଡ଼କୁ ଆସିଥିବ ତାହାକୁ ତାହାର ବିପରୀତ ପାର୍ଶ୍ୱରେ ବୁଣିବ ।

Image

(୧ ନମ୍ବର ଚିତ୍ର)

ଏହି ପ୍ରକାର ବ୍ୟାଗ୍‌ଗୁଡ଼ିକ ବୁଣିବାବେଳେ ଯେବେ ପାର୍ଶ୍ୱର ଚିତ୍ରପରି ଖଣ୍ଡିଏ କାଠର ଫରମାରେ ଚଢ଼ାଇ କରି ବୁଣିବ, ତେବେ କୌଣସିଠାରେ ବଙ୍କା ନ ହୋଇ ବ୍ୟାଗ୍‌ଟି ସିଧା ଏବଂ ସୁନ୍ଦର ହେବ ।

•••

 

ତାଳପତ୍ରର ଗଣ୍ଠି ବ୍ୟାଗ୍

 

ପ୍ରଥମେ ଗୁଡ଼ିଏ ତାଳପତ୍ର ସମାନ ସମାନ କରି ଚିରିବ । ତାଳପତ୍ରମାନଙ୍କ ଶିରା ବା ଖଡ଼ିକା ଗୁଡ଼ିକ ସଜାଡ଼ି ରଖିଥିବ । ଦୁଇଗୋଟି ଖଡ଼ିକା ୧ ନମ୍ବର ଚିତ୍ର ପରି ଗୋଟିକ ଉପରେ ଗୋଟିକୁ ସମକୋଣରେ ଛକ କରି ଧରିବ । ତହିଁ ଉପରେ ଦୁଇଖଣ୍ଡି ପତ୍ର ପରସ୍ପର ମଧ୍ୟରେ ସମକୋଣରେ ରଖିବ । ପତ୍ର ଦୁଇଖଣ୍ଡିରେ ‘‘୧’’ ଓ ‘‘୨’’ ଚିହ୍ନ ଦେବ । ‘୧’ ଚିହ୍ନିତ ପତ୍ରକୁ ତଳକୁ ଓ ‘୨’ ଚିହ୍ନିତ ପତ୍ରକୁ ଉପରକୁ ରଖିବ । ୧ ନମ୍ବର ଚିତ୍ର ଦେଖ ।

 

Image

(୧ ନମ୍ବର ଚିତ୍ର)

(୨ ନମ୍ବର ଚିତ୍ର)

(୩ ନମ୍ବର ଚିତ୍ର)

 

‘୧’ ଚିହ୍ନିତ ପତ୍ରର ତଳକୁ ଥିବା ଅଂଶକୁ ଖଡ଼ିକାର ଛକତଳେ ମୋଡ଼ି ଉପରକୁ ଉଠାଇ ନେବ ଏବଂ ତାହାକୁ ସେଠାରେ ସେହି ‘୧’ ଚିହ୍ନିତ ପତ୍ରର ଯେଉଁ ଅଂଶ ଉପରେ ଥିବ ତହିଁର ବାମକୁ ରଖିବ ।

 

‘୨’ ଚିହ୍ନିତ ପତ୍ରର ଯେଉଁ ଅଂଶ ଉପରକୁ ଥିବ ତାହାକୁ ଛକତଳେ ତଳକୁ ମୋଡ଼ି ନେଇ ସେହି ‘୨’ ଚିହ୍ନିତ ପତ୍ରର ଯେଉଁ ଅଂଶ ତଳକୁ ଅଛି ତହିଁର ଆହୁରି ତଳକୁ କରି ରଖିବ । ୨ ନମ୍ବର ଚିତ୍ର ଦେଖ ।

 

ତଳୁ ‘୧’ ଚିହ୍ନିତ ପତ୍ରର ଯେଉଁ ଅଂଶ ଉପରକୁ ମୋଡ଼ି ନେଇଥିବ ତାହାକୁ ‘୨’ ଚିହ୍ନିତ ପତ୍ର ଉପରେ ମୋଡ଼ି ତଳକୁ ଆଣିବ ଏବଂ ତଳେ ତାହାକୁ ସେହି ‘୧’ ଚିହ୍ନିତ ପତ୍ରର ଯେଉଁ ଅଂଶ ତଳେ ଅଛି ତାହା ସଙ୍ଗେ ଲଗାଇ ତହିଁର ବାମକୁ ରଖିବ ।

 

‘୨’ ଚିହ୍ନିତ ପତ୍ରର ଯେଉଁ ଅଂଶକୁ ଆଗେ ମୋଡ଼ି ଆଣିଥିବ ସେହି ଅଂଶକୁ ପୁଣି ଓଲଟାଇ ‘୧’ ଚିହ୍ନିତ ପତ୍ରର ଉପରେ ତହିଁରେ ସଲଗ୍ନ ଥିବା ସେହି ‘୧’ ଚିହ୍ନିତ ପତ୍ରର ଭାଙ୍ଗ ମଧ୍ୟରେ ପୁରାଇ ଟାଣି ନେବ । ତାହାହେଲେ ଗୋଟିଏ ପୂର୍ଣ୍ଣ ଚଉକବନ୍ଧାଗଣ୍ଠି ହୋଇଯିବ ଓ ଏହାର ଚାରିପାଖରେ ୪ ଖଣ୍ଡ ପତ୍ର ଓ ୪ ଖଣ୍ଡ ଖଡ଼ିକା ବାହାରି ପଡ଼ି ରହିବ । ୩ନମ୍ବର ଚିତ୍ର ଦେଖ ।

 

Image

(୪ ନମ୍ବର ଚିତ୍ର)

 

ଏହି ପୂର୍ଣ୍ଣ ଚଉକବନ୍ଧାଗଣ୍ଠିର ଏକ କୋଣରେ ଡାହାଣକୁ ବାହାରିଥିବା ଖଡ଼ିକା ଉପରେ ଓ ପତ୍ରତଳେ ଆଉ ଗୋଟିଏ ଖଡ଼ିକା ପୂର୍ବ ଖଡ଼ିକାଟି ସଙ୍ଗେ ସମକୋଣ କରି ଖଞ୍ଜି ଧରିବ । ବାହାରିଥିବା ପତ୍ରଖଣ୍ଡିକର ତଳେ ଏହି ନୂତନ ଛକର ଉପରେ ୪ ନମ୍ବର ଚିତ୍ର ପରି ଆଉ ଖଣ୍ଡିଏ ପତ୍ର ଯୋଡ଼ିବ । ଠିକ୍ ପୂର୍ବଥର ପରି ବୁଣିଲେ ଆଉ ଗୋଟିଏ ଚଉକ ଗଣ୍ଠି ହେବ । ଏହିପରି ଗୋଟିଏ ଗୋଟିଏ ଖଡ଼ିକା ଓ ଖଣ୍ଡିଏ ଖଣ୍ଡିଏ ପତ୍ର କ୍ରମାଗତ ଯୋଡ଼ି ଥରକୁଥର ବୁଣି ଯେତେ ଲମ୍ବା କରିବାକୁ ଇଚ୍ଛା କରିବ, ତେତେ ଲମ୍ବା ଚଉକ ଗଣ୍ଠିମାନଙ୍କର ଗୋଟିଏ ଧାଡ଼ି ବୁଣା ହୋଇଯିବ । ୫ ନମ୍ବର ଚିତ୍ର ଦେଖ ।

 

Image

(୫ ନମ୍ବର ଚିତ୍ର)

 

ଏଥର ଆଉ ଗୋଟିଏ ପାଖରେ ବଢ଼ାଇବା ଆବଶ୍ୟକ ହେବ । ସେଥିପାଇଁ ଯେଉଁ ଶିରା ବା ଖଡ଼ିକାର ଉପରେ ପ୍ରଥମ ଧାଡ଼ିରେ ଅନ୍ୟ ଖଡ଼ିକାଗୁଡ଼ିକ ସମକୋଣରେ ଯୋଡ଼ା ହୋଇ ଯାଇଅଛି, ସେହି ଶିରା ବା ଖଡ଼ିକାର ତଳକୁ ବାହାରିଥିବା ପତ୍ରଗୁଡ଼ିକର ତଳେ ଓ ଖଡ଼ିକାଗୁଡ଼ିକର ଉପରେ ଉପର ଧାଡ଼ିର ଖଡ଼ିକାଟି ସଙ୍ଗେ ସମାନ୍ତରାଳ କରି ଆଉ ଗୋଟିଏ ଖଡ଼ିକା ଯୋଡ଼ିବା । ବାମରୁ ଖଣ୍ଡିଏ ପତ୍ର ଲଗାଇ ବାହାରିଥିବା ପତ୍ରାଂଶଗୁଡ଼ିକ ସଙ୍ଗେ ପୂର୍ବ ପରି ବୁଣିଗଲେ ଆଉ ଗୋଟିଏ ଧାଡ଼ି ହେବ । ଏହିପରି ଚାରି ପାଞ୍ଚଗୋଟି ଧାଡ଼ି ହୋଇଗଲେ ତାହା ୯ ନମ୍ବର ଚିତ୍ରର ବ୍ୟାଗ୍‌ ପରି ଗୋଟିଏ ବ୍ୟାଗ୍‌ର ତଳା ନିମନ୍ତେ ଯଥେଷ୍ଟ ହେବ । ଯେବେ ଅଧିକ ଚୌଡ଼ାର ପେଡ଼ି ବା ଅନ୍ୟ କିଛି କରିବାକୁ ଇଚ୍ଛା କରିବ, ତେବେ ଯେତେ ଧାଡ଼ି ଅଧିକ ବୁଣିବ ତେତେ ଅଧିକ ଚୌଡ଼ା ହେବ ।

Image

(୬ ନମ୍ବର ଚିତ୍ର)

ଯେଉଁ ପଦାର୍ଥ କରିବ ତହିଁର ତଳା ବୁଣା ହୋଇ ଗଲେ ତାହାକୁ ଓଲଟାଇ ଧରି ତହିଁର ଚାରିଆଡ଼େ ବାହାରିଥିବା ଖଡ଼ିକାଗୁଡ଼ିକ ଉପରକୁ ମୋଡ଼ି ଆଣିବ । ଖଡ଼ିକାଗୁଡ଼ିକ ଉପରକୁ ମୋଡ଼ି ଦେଲେ ସେଗୁଡ଼ିକ ସ୍ୱଭାବତଃ ପୁଣି ସିଧା ହୋଇଯିବେ । ତେଣୁ, କାଠର ପଟାରେ ୬ ନମ୍ବର ଚିତ୍ର ପରି ଗୋଟିଏ ଫରମା ପ୍ରସ୍ତୁତ କରି ତହିଁ ଉପରେ ବୁଣା ହୋଇଥିବା ତଳାକୁ ବସାଇ ଖଡ଼ିକାଗୁଡ଼ିକୁ ମୋଡ଼ି ଖଣ୍ଡିଏ ଡୋର ଦ୍ୱାରା ସେହି ଫରମା ଦେହରେ ବାନ୍ଧି ଦେଲେ ସୁବିଧା ହେବ । ତା ପରେ ତାକୁ ଓଲଟାଇ ରଖି ବୁଣିବ । ୭ ନମ୍ବର ଚିତ୍ର ଦେଖ । ଡୋର ବଦଳରେ ସାଇକଲ୍ ଟିଉବ୍‌ର ଖଣ୍ଡେ ଛିଣ୍ଡା ରବର ବାନ୍ଧି ଦେଲେ ତାହା ଖଡ଼ିକାଗୁଡ଼ିକୁ ଫରମା ସଙ୍ଗେ ସହଜରେ ଭିଡ଼ି କରି ଧରି ରଖିବ ।
 

ଏଥର ଏହି ଖଡ଼ିକାଗୁଡ଼ିକ ଉପରେ ଆଉ ଗୋଟିଏ ଖଡ଼ିକା ବସାଇ ଖଣ୍ଡିଏ ପତ୍ର ଯେ କୌଣସି ସ୍ଥାନରେ ଲଗାଇ ବାହାରିଥିବା ପତ୍ରଗୁଡ଼ିକ ସଙ୍ଗେ ଗୋଟି ଗୋଟି କରି ପୂର୍ବ ପରି ଚାରିପାଖ ବୁଣି ଆଣିବ । ଧାଡ଼ିଟି ଶେଷ ହେଲା ବେଳକୁ ଖଡ଼ିକାକୁ ବୁଣାହୋଇଥିବା ଗଣ୍ଠି ଗୁଡ଼ିକର ସନ୍ଧିରେ ପୂରାଇ ଖଡ଼ିକାର ଆରମ୍ଭ ସଙ୍ଗେ ମିଶାଇ ଦେବ ଏବଂ ପତ୍ରର ଶେଷ ଭାଗକୁ ସେହି ଧାଡ଼ିର ଆରମ୍ଭରେ ଗଣ୍ଠିକୁ ମିଶାଇ ବୁଣି ଦେବ ।

 

Image

(୭ ନମ୍ବର ଚିତ୍ର)

ଏହି ଧାଡ଼ିଟି ଗୋଟିଏ ସ୍ୱତନ୍ତ୍ର ଧାଡ଼ି ହେବ । ତାହା ପରେ ଆଉ ଗୋଟିଏ ଗୋଟିଏ ଖଡ଼ିକା ପୂର୍ବ ପରି ବସାଇ ଓ ଖଣ୍ଡିଏ ଖଣ୍ଡିଏ ପତ୍ର ଲଗାଇ ଗୋଟିଏ ଗୋଟିଏ ଧାଡ଼ି ବୁଣି ଯେତେ ଉଚ୍ଚ କରିବା ଆବଶ୍ୟକ ତେତେ ଉଚ୍ଚ ପର୍ଯ୍ୟନ୍ତ ବୁଣି ଶେଷ କରିବ ।

 

Image

(୮ ନମ୍ବର ଚିତ୍ର)

ଶେଷକୁ ଯେଉଁ ଖଡ଼ିକାଗୁଡ଼ିକ ବଳକା ରହିଯିବ ସେଗୁଡ଼ିକ ସମାନ କରି କାଟି ଦେବ ଏବଂ ଗୋଟିଏ ମୋଟ ଖଡ଼ିକା ଶେଷ ପ୍ରାନ୍ତରେ ବସାଇ ପତ୍ରଗୁଡ଼ିକୁ ଓଲଟାଇ ବୁଣା ହୋଇଥିବା ଅଂଶରେ ବୁଣି ଦେବ । ୮ ନମ୍ବର ଚିତ୍ର ଦେଖ ।

 

ଠିକ୍ ସେହିପରି ଆଉ ଗୋଟିଏ ଅଳ୍ପ ଉଚ୍ଚତାର ପାତ୍ର ବୁଣି ତା ଢାଙ୍କୁଣି ପ୍ରସ୍ତୁତ କରିବ ।

Image

(୯ ନମ୍ବର ଚିତ୍ର)

ହତା ନିମନ୍ତେ ଦୁଇଖଣ୍ଡି କୋରଟ ଉପରେ ଖଣ୍ଡିଏ ରଙ୍ଗ ପତ୍ର ଗୁଡ଼ାଇ ତାହାକୁ ୯ ନମ୍ବର ଚିତ୍ର ପରି ହତା କରି ବ୍ୟାଗ୍‌ର ଦୁଇ ପାଖରେ ତଳାରୁ ଆରମ୍ଭ କରି ଲଗାଇ ଦେଲେ ବ୍ୟାଗ୍‌ଟି ସଂପୂର୍ଣ୍ଣ ହେବ ।

Image

(୧୦ ନମ୍ବର ଚିତ୍ର)

ପେଡ଼ି– ପୂର୍ବ ପରି ବୁଣି ୧୦ନମ୍ବର ଚିତ୍ର ପରି ଗୋଟିଏ ଚାରିକୋଣିଆ ପେଡ଼ି ସହଜରେ କରାଯାଇ ପାରିବ ।

Image

(୧୧ ନମ୍ବର ଚିତ୍ର)

ଝୁଡ଼ି– ତଳେ ଓ ଉପରେ ଦୁଇ ଗୋଟି ମୁଣ୍ଡଳି ଲଗାଇ ଏହି ପ୍ରକାର ବୁଣାରେ ଗୋଲ ପାଛିଆ କରାଯାଇ ପାରିବ । ତହିଁର ତଳା ପାଇଁ ଖଣ୍ଡିଏ ସାଧା ଚଟେଇ ବୁଣି ଗୋଲ କରି କାଟି ତଳାରେ ପକାଇ ଦେବ । ବେତର ବା ବାଉଁଶ ବତାର ଗୋଟିଏ ହତା ଲଗାଇ ଦେଲେ ଧରିବା ପାଇଁ ସୁବିଧା ହେବ । ୧୧ ନମ୍ବର ଚିତ୍ର ଦେଖ ।

 

ଅଳିଆ କାଗଜ ଟୋକେଇ– ତଳ ମୁଣ୍ଡଳିଟି ଛୋଟ ଏବଂ ଉପର ମୁଣ୍ଡଳିଟି ଅଳପ ବଡ଼ ରଖି ଚାରିପାଖ ଏହିପରି ବୁଣି ଖଣ୍ଡିଏ ତଳା ଲଗାଇ ଦେଲେ ଅଳିଆ କାଗଜ ରଖିବା ପାଇଁ ଗୋଟିଏ ସୁନ୍ଦର ଟୋକେଇ ହେବ । ତଳାରେ ଖଣ୍ଡିଏ ଗୋଲ ଚଟେଇ ବୁଣି ଲଗାଇ ଦେବ । କିମ୍ବା ସରୁ ସରୁ କାଠିଗୁଡ଼ିଏ ଖଞ୍ଜି ତଳା ପ୍ରସ୍ତୁତ କରି ପାରିବ । ୧୨ ନମ୍ବର ଚିତ୍ର ଦେଖ ।

Image

(୧୨ ନମ୍ବର ଚିତ୍ର)

ପତ୍ରଗୁଡ଼ିକ ଭିନ୍ନ ଭିନ୍ନ ରଙ୍ଗ କରି ସାଧା ପତ୍ର ସଙ୍ଗେ ଯେଉଁ ଯେଉଁଠାରେ ଯେପରି ଆବଶ୍ୟକ ବିବେଚନା କରିବ ସେହିପରି ଖଞ୍ଜି ବୁଣି ଦେଲେ ପଦାର୍ଥଗୁଡ଼ିକ ଆହୁରି ସୁନ୍ଦର ଦେଖାଯିବ ।

•••

 

କଲୀଭଙ୍ଗା ପଟିର ବ୍ୟାଗ୍

Image

(୧ ନମ୍ବର ଚିତ୍ର)

(୨ ନମ୍ବର ଚିତ୍ର)

ତାଳପତ୍ରର ଚାରିଗୋଟି ଶାଖାରେ ଯେଉଁ କଲିଭଙ୍ଗା ପଟି ବୁଣିବା ପ୍ରଣାଳୀ ୧୭ ପୃଷ୍ଠାରେ ବର୍ଣ୍ଣିତ ହୋଇଅଛି, ସେହିପରି ଗୋଟିଏ ଲମ୍ବା ପଟି ବୁଣିବ । ଖଣ୍ଡିଏ କାଠର ପଟା ନେଇ ତହିଁର ଚାରିପାଖରେ ପଟିଟିକୁ ବୁଲାଇ ବୁଲାଇ ଛୁଞ୍ଚି ଓ ସୂତାଦ୍ୱାରା ଗୁନ୍ଥିଯିବ । ୧ ନମ୍ବର ଚିତ୍ର ଦେଖ ।

 

ଗୁନ୍ଥିବା ସମୟରେ ସୂତାଟି ପତ୍ରର ଦାଢ଼େ ଦାଢ଼େ ରଖି ଗୁନ୍ଥିଗଲେ ବାହାରକୁ ସୂତା ଆଦୌ ଜଣା ପଡ଼ିବ ନାହିଁ । ତଳ ସିଲାଇ କରି ବନ୍ଦ କରିଦେବ । ଦୁଇଖଣ୍ଡି କୋରଟ ନେଇ ତହିଁରେ ଖଣ୍ଡିଏ ଖଣ୍ଡିଏ ପତ୍ର ଗୁଡ଼ାଇ ଦୁଇପାଖରେ ଖଞ୍ଜିଦେଲେ ତାହା ହତାର କାର୍ଯ୍ୟ କରିବ । ୨ ନମ୍ବର ଚିତ୍ର ଦେଖ ।

•••

 

କଲୀଭଙ୍ଗା ପଟିର ହ୍ୟାଟ୍ (Hat)

 

Image

(୧ ନମ୍ବର ଚିତ୍ର)

(୨ ନମ୍ବର ଚିତ୍ର)

(୩ ନମ୍ବର ଚିତ୍ର)

 

ଏହି ଚାରି ଶାଖାର କଲୀଭଙ୍ଗା ପଟିଦ୍ୱାରା ସୁନ୍ଦର ହ୍ୟାଟ୍ (hat) କରାଯାଇ ପାରେ । ପ୍ରଥମେ ଚୌଡ଼ା ତାଳପତ୍ରରେ ସାଧା ଚଟେଇ ବୁଣା ପ୍ରଣାଳୀରେ ଗୋଟିଏ ହ୍ୟାଟ୍ (hat) ଆକାରରେ ବୁଣିବାକୁ ପଡ଼ିବ । ଏଥିପାଇଁ କାଠର ବା ମାଟିର ଗୋଟିଏ ଫରମା କରି ତହିଁ ଉପରେ ତାଳପତ୍ରକୁ ପକାଇ ବୁଣିଲେ ସହଜ ହେବ । ୧ ନମ୍ବର ଚିତ୍ର ଦେଖ । ପ୍ରଥମେ ୨ ନମ୍ବର ଚିତ୍ରପରି ହେବ । ବାହାରି ଥିବା ଅଂଶରେ ବୁଣି ଚାରିପାଖ କାଟି ୩ ନମ୍ବର ଚିତ୍ରପରି କରିବ ।

Image

(୪ ନମ୍ବର ଚିତ୍ର)

ତହିଁ ଉପରେ ଏହି ପଟିକୁ ବୁଲାଇ ବୁଲାଇ ଛୁଞ୍ଚି ଓ ସୂତାଦ୍ୱାରା ଗୁନ୍ଥିବାକୁ ପଡ଼ିବ । ହ୍ୟାଟ୍ (hat) ର ପଦାକୁ ବାହାରିଥିବା ଅଂଶରେ, ତଳେ ଗୋଟିଏ ଓ ଉପରେ ଗୋଟିଏ, ଏରୂପେ ଏକ ସମୟରେ ଦୁଇଗୋଟି ପଟି ଖଞ୍ଜି ସିଲାଇ କରିବ । ଅବଶିଷ୍ଟ ଅଂଶରେ କେବଳ ଉପର ପାଖରେ ଗୋଟିଏ ପଟି ଲଗାଇ ସିଲାଇ କରିବ । ଶେଷକୁ ଯେଉଁଠାରେ ଯେଉଁ ପତ୍ର ଇତ୍ୟାଦି ବଳକା ହୋଇ ବାହାରିଥିବ, ସେ ସବୁକୁ କାଟି ସଫା କରି ଦେବ । ଭିତରେ ଏକପରସ୍ତ କନା ଏବଂ ହ୍ୟାଟ୍‌ ବେକରେ ଖଣ୍ଡିଏ ଫିତା ବାନ୍ଧି ଦେଲେ ସୁନ୍ଦର ହ୍ୟାଟ୍‌ (hat) ଗୋଟିଏ ହେବ । (୪ ନମ୍ୱର ଚିତ୍ର ଦେଖ) ।

•••

 

କଲୀଭଙ୍ଗା ପଟିର ହାତପଙ୍ଖା

Image

(୧ ନମ୍ବର ଚିତ୍ର)

(୨ ନମ୍ବର ଚିତ୍ର)

ଚାରି ଶାଖାର କଲୀଭଙ୍ଗା ପଟିଦ୍ୱାରା ସୁନ୍ଦର ହାତପଙ୍ଖା ହୋଇ ପାରିବ । ନିମ୍ନ ୧ ନମ୍ୱର ଚିତ୍ର ପରି ତାଳପତ୍ରଗୁଡ଼ିଏ ନ କରି କାଟି ଏକାଠି ଗୋଛା କରି ଧରିବ । ତହିଁର ମଝିକୁ ଗୋଟିଏ ଡାମ୍ଫଣ ବସାଇ ଫୁଟାଇ ଦେବ । ପତ୍ରଗୁଡ଼ିକ ଏପରି ଭାବରେ ଚଳାଇବ, ଯେପରି ତାହା ଚାରିଆଡ଼େ ଛତାପରି ବୁଲି ବିସ୍ତୃତ ହୋଇ ୨ ନମ୍ୱର ଚିତ୍ର ପରି ହୋଇଯିବ । ମଝି ଫୋଡ଼ରେ ଖଣ୍ଡିଏ ସୂତା ପୂରାଇ ଶକ୍ତ କରି ବାନ୍ଧିଦେବ ।

 

ତାହାର ଦାଢ଼ ଉତ୍ତରରୂପେ ଗୋଲ କରି କାଟି ସୂତାରେ ଛନ୍ଦି ସେହି ଆକାରରେ ରଖି ବାନ୍ଧିଦେବ । ମଝିରୁ ଦୁଇ ତିନି ଇଞ୍ଚ ଛାଡ଼ିଦେଇ ଦୁଇ ପାଖରେ ଦୁଇଗୋଟି ପଟି ଲଗାଇ ୩ ନମ୍ୱର ଚିତ୍ର ପରି ସିଲାଇ କରି ଶେଷ ପର୍ଯ୍ୟନ୍ତ ପଟିଦ୍ୱାରା ଆବୃତ କରିଦେବ । ୪ ନମ୍ୱର ଚିତ୍ର ପରି ଖଣ୍ଡିଏ ବେଣ୍ଟ ପ୍ରସ୍ତୁତ କରି ତହିଁର ଅଗ୍ରଭାଗ ଦୁଇଫାଳ କରି ଚିରିବ । ପଙ୍ଖାଟି ତହିଁରେ ଏପରି ଭାବରେ ଖଞ୍ଜିଦେବ ଯେପରି ବେଣ୍ଟ ଦୁଇଫାଳର ଅଗ୍ରଭାଗ ପଙ୍ଖାଟିର ଦୁଇ ପାଖରେ ତାହାର ମଧ୍ୟଭାଗ ପର୍ଯ୍ୟନ୍ତ ଆସିବ । ଦୁଇ ତିନି ସ୍ଥାନରେ ତାଳପତ୍ରକୁ ଫୋଡ଼ି ବେଣ୍ଟ ସଙ୍ଗେ ମିଶାଇ ଦୁଇ ତିନଗୋଟି ଗଣ୍ଠି ବାନ୍ଧିଦେବ । ୫ ନମ୍ୱର ଚିତ୍ର ଦେଖ ।

Image

(୪ ନମ୍ବର ଚିତ୍ର)

(୫ ନମ୍ବର ଚିତ୍ର)

(୫ ନମ୍ବର ଚିତ୍ର)

 

କଲୀ ପଟି ଦ୍ୱାରା ଯେ କୌଣସି ପଦାର୍ଥ ପ୍ରସ୍ତୁତ କରିବ । ସମୟରେ ସ୍ମରଣ ରଖିବ ଯେ, ସିଲାଇ କଲାବେଳେ ସୂତାଟି ଯେପରି ପତ୍ରର ଦାଢ଼େ ଦାଢ଼େ ଚାଲୁଥିବ । ତାହାହେଲେ ସୂତା ଆଦୌ ଉପରକୁ ଜଣା ପଡ଼ିବ ନାହିଁ ।

•••

 

ତାଳପତ୍ରର ଚରାବୁଣା

 

ତାଳପତ୍ରରେ ବୁଣିବାର ଏପର୍ଯ୍ୟନ୍ତ ଯେତେ ପ୍ରଣାଳୀ ବର୍ଣ୍ଣିତ ହୋଇଅଛି, ତାହା ଛଡ଼ା ଆଉ ଗୋଟିଏ ପ୍ରଣାଳୀ ଅଛି, ତାହାକୁ କହନ୍ତି ‘‘ଚରାବୁଣା’’ । ‘ଚରା’କୁ କେହି କେହି କହନ୍ତି ‘ପୁର’ । ‘ଚରା’ ବା ‘ପୁର’ ଦେଇ ବୁଣିବା ପ୍ରଣାଳୀରେ ପ୍ରଥମେ କେତେକଗୁଡ଼ିଏ ଅନ୍ୟ ପଦାର୍ଥ ଧରି ତହିଁ ଉପରେ ବୁଣିବା ପଦାର୍ଥଟି ଗୁଡ଼ାଇ ଗୁଡ଼ାଇ ସେହି ଅନ୍ୟ ପଦାର୍ଥକୁ ଲୁଚାଇ ଦେବାକୁ ପଡ଼େ । ସେହି ଅନ୍ୟ ପଦାର୍ଥଟି (ଯାହା ଉପରେ ବୁଣାଯିବା ପଦାର୍ଥକୁ ଗୁଡ଼ାଇବାକୁ ହୁଏ ତାହାକୁ) କହନ୍ତି ‘ଚରା’ ବା ‘ପୁର’ । ତାଳପତ୍ରର ଡାଲା, ଚାଙ୍ଗୁଡ଼ି ଓ ପେଡ଼ି ପ୍ରଭୃତି ଅନେକ ଏହି ପ୍ରଣାଳୀରେ ବୁଣନ୍ତି । ଅପେକ୍ଷାକୃତ ଏହା ଅଧିକ ଶକ୍ତ ଓ ଅଧିକ କାଳ ସ୍ଥାୟୀ ହୁଏ ।

 

ଏହି ପ୍ରକାର ବୁଣିବାର ପ୍ରଣାଳୀ କେବଳ ଏହିଠାରେ ନୁହେଁ, ପୃଥିବୀର ଅନ୍ୟାନ୍ୟ ଅନେକ ଦେଶରେ ବହୁକାଳରୁ ପ୍ରଚଳିତ ଥିବାର ପ୍ରମାଣ ମିଳେ । ଆଫ୍ରିକା, ଆମେରିକା ପ୍ରଭୃତି ଦେଶମାନଙ୍କରେ ମଧ୍ୟ ଏହି ପ୍ରଣାଳୀରେ ବୁଣିବା ବହୁକାଳ ହେଲା ଚଳି ଆସୁଅଛି । ଭିନ୍ନ ଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପଦାର୍ଥ ବ୍ୟବହାର କରାଯାଏ । ଆମ ଦେଶରେ ତାଳପତ୍ର, କାଇଁଚ, କିଆପଟ କୁଟା ପ୍ରଭୃତି ଏଥି ନିମନ୍ତେ ଉପଯୁକ୍ତ ପଦାର୍ଥ । ଏଠାରେ ତାଳପତ୍ରରେ କେତେକ କାର୍ଯ୍ୟ ଉଲ୍ଲେଖ କରାଗଲା । ଅନ୍ୟ ପଦାର୍ଥମାନଙ୍କ ବିଷୟ ପରେ ବର୍ଣ୍ଣିତ ହେବ ।

 

ନଡ଼ିଆ ବାହୁଙ୍ଗାର ଅନ୍ତି ଓ ତାଳବାହୁଙ୍ଗାର ଅନ୍ତିର ତନ୍ତୁ, ଗୁଗୁଚିଆ ଘାସ, ଜୁଣ ବା ତଦ୍ରୂପ ଅନ୍ୟ ଅନ୍ୟ ପଦାର୍ଥମାନ ସାଧାରଣତଃ ‘ଚରା’ ନିମନ୍ତେ ବ୍ୟବହୃତ ହୁଏ ।

 

ବୁଣିବା ପ୍ରଣାଳୀ– ୫।୬ ଗୋଟି ଚରା ଏକାଠି ଧରିବ । ତହିଁ ଉପରେ ସରୁ ଓ ସରଳ ଭାବରେ ଚିରା ହୋଇ ଥିବା ଖଣ୍ଡିଏ ତାଳପତ୍ର ୨।୩ ଇଞ୍ଚ ପର୍ଯ୍ୟନ୍ତ ଲମ୍ୱରେ ଗୁଡ଼ାଇ ଦେବ ।

Image

 

ଯେବେ ଗୋଲ ଆକାରରେ ଡାଲା ବା ପେଡ଼ି ବୁଣିବାକୁ ଇଚ୍ଛା କରିବ, ତେବେ ସେହି ଗୁଡ଼ା ହୋଇଥିବା ଅଂଶଟିକୁ ଗୋଲ କରି ମୋଡ଼ି ଦେବ । ତା ପରେ ଚରା ଓ ଗୁଡ଼ା ହୋଇଥିବା ଅଂଶ ଦୁହିଙ୍କୁ ମିଶାଇ ଧରିବ । ତହିଁ ଉପରେ ତାଳପତ୍ର ଖଣ୍ଡିଏ ଥରେ ଗୁଡ଼ାଇବ । ତା ପରେ ଖାଲି ଚରା ଉପରେ ଥରେ ସେହି ତାଳପତ୍ରକୁ ଗୁଡ଼ାଇବ । ପୁଣି ଚରା ଓ ଯାହା ଉପରେ ତାଳପତ୍ର ଗୁଡ଼ା ହୋଇଅଛି ସେ ଦୁହିଙ୍କୁ ମିଶାଇ ତହିଁ ଉପରେ ଥରେ ପତ୍ର ଗୁଡ଼ାଇବ । ଏହିପରି ଥରେ ଖାଲି ‘ଚରା’ ଉପରେ ଓ ଥରେ ‘ଚରା’ ସଙ୍ଗେ ଯେଉଁ ଅଂଶ ଉପରେ ପତ୍ର ଗୁଡ଼ା ହୋଇଥିବ ତାହାକୁ ମିଶାଇ ଦୁହିଙ୍କ ଉପରେ ପତ୍ରଟି ଗୁଡ଼ାଇ ଗୁଡ଼ାଇ ବରାବର ବୁଣିଯିବ । କେତେକ ଅଂଶ ବୁଣା ହୋଇଗଲେ ଗୁଡ଼ା ହୋଇଥିବା ଅଂଶରେ ପତ୍ର ପୂରାଇବାକୁ କଠିନ ହେବ । ସେଥି ନିମନ୍ତେ ଖଣ୍ଡିଏ ସରୁ ବାଉଁଶ ପାତିଆର ଅଗକୁ ତାଞ୍ଛି ଗୋଜିଆ କରି ରଖିଥିବ । ବୁଣା ଅଂଶରେ ପ୍ରଥମେ ସେହି ପାତିଆ ଖଣ୍ଡିକଦ୍ୱାରା ଫୁଟାଇ ଦେଲେ ବୁଣିବାକୁ ସହଜ ହେବ । ଏହି ପ୍ରଣାଳୀରେ ବୁଣି ଯେ କୌଣସି ଆକାରର ଡାଲା, ପାଛିଆ, ପେଡ଼ି ଇତ୍ୟାଦି ସହଜରେ କରି ପାରିବ । ବୁଣିବା ପତ୍ରକୁ ଭିନ୍ନ ଭିନ୍ନ ରଙ୍ଗରେ ରଙ୍ଗ କରି ବୁଣିଲେ ପଦାର୍ଥଗୁଡ଼ିକ ନାନାପ୍ରକାର ଚିତ୍ର ବିଚିତ୍ର ହୋଇ ସୁନ୍ଦର ଦେଖାଯିବ ।

Image

 

ଏହି ପ୍ରଣାଳୀରେ ଅଧିକାଂଶ ଗୋଲ ବା ଅଣ୍ଡାକୃତି ପଦାର୍ଥ ବୁଣାଯାଏ ।

•••

 

ତାଳଝିମିଟି

Image

(୧ ନମ୍ବର ଚିତ୍ର)

(୨ ନମ୍ବର ଚିତ୍ର)

ପାକଳ ତାଳବାହୁଙ୍ଗାର ମୂଳ ଅଂଶଟି, ଯାହାକି ଗଛକୁ କୁଣ୍ଢାଇ ଧରିଥାଏ (୧ ନମ୍ୱର ଚିତ୍ର ଦେଖ) ସେହି ଅଂଶଟି ଛେଚି ଦେଲେ ତହିଁ ମଧ୍ୟରୁ ବେଶ ସୁନ୍ଦର ଓ ଶକ୍ତ ତନ୍ତୁଗୁଡ଼ିଏ ବାହାରେ-। (୨ ନମ୍ୱର ଚିତ୍ର ଦେଖ) ସେହି ତନ୍ତୁକୁ ତାଳଝିମିଟି କହନ୍ତି । ଏହାକୁ କେହି କେହି କହନ୍ତି ମାଉଳ-

 

ତାଳଝିମିଟିରେ ଡୋର ବଳାଯାଏ । ଏହି ଡୋର ଖୁବ୍‌ ଶକ୍ତ ହୁଏ ।

 

ବୁରୁଶ (Brush)– ସହରମାନଙ୍କରେ ବଡ଼ ବଡ଼ ନଳା ଓ ଘର ସଫା କରିବା କାରଣ ତାଳ ଝିମଟିର ନାନା ପ୍ରକାର ବୁରୁଶ (Brush) ବ୍ୟବହୃତ ହୁଏ । ଏହି ବୁରୁଶ (Brush)ରେ ବଡ଼ ବଡ଼ ବେଣ୍ଟ ଲାଗିଥାଏ । ଏହି ବୁରୁଶ (Brush) ତିଆରି କରିବା ପାଇଁ ଖଣ୍ଡିଏ ୧ ଇଞ୍ଚ ମୋଟା ୧ ଫୁଟ ବା ୧.୫୦ ଫୁଟ ଲମ୍ୱା ଓ ୩ ଇଞ୍ଚ ଚଉଡ଼ାର ପଟା ନେବ । ପଟା ଖଣ୍ଡିକର ଚାରିକୋଣ କାଟି ଗୋଲ କରିଦେବ । ଏକ ପାଖରେ ତହିଁର ଧାରରୁ ଅଳ୍ପ ଅଂଶ ବାଦ ଦେଇ ମଧ୍ୟଭାଗ ଟିକିଏ ଖୋଳି ଖାଲ କରିଦେବ । ସେହି ଖାଲୁଆ ଅଂଶଟି ସବୁଆଡ଼େ ସମାନ ରହିବ । ତହିଁରେ ଭଅଁରଦ୍ୱାରା ଧାଡ଼ି ଧାଡ଼ି କରି ଫୋଡ଼ି ଗୁଡ଼ିଏ ଫୋଡ଼ କରିଦେବ । ୩ ନମ୍ୱର ଚିତ୍ର ଦେଖ ।

Image

(୩ ନମ୍ବର ଚିତ୍ର)

(୪ ନମ୍ବର ଚିତ୍ର)

ତାଳଝିମିଟିର ତନ୍ତୁ ୮।୧୦ ଗୋଟି ଲେଖାଏଁ ଏକାଠି ସମାନ କରି ଧରି ତାହାକୁ ମଝିରୁ ମୋଡ଼ି ଦୁଇ ଭାଙ୍ଗ କରିବ । ସେହି ମୋଡ଼ା ଅଂଶକୁ ଅନ୍ୟ ପାଖରୁ ଗୋଟି ଗୋଟି କରି ପ୍ରତି ଫୋଡ଼ରେ ଏପରି ଭାବେ ପୁରାଇ ଦେବ, ଯେପରି ତାହାର ମୋଡ଼ା ମୁଣ୍ଡଗୁଡ଼ିକ ପଟା ଖଣ୍ଡିକର ଏପାଖରେ ଖାଲୁଆ ଅଂଶରେ ଅଳ୍ପ ବାହାରି ରହିବ ।

Image

(୫ ନମ୍ବର ଚିତ୍ର)

(୬ ନମ୍ବର ଚିତ୍ର)

ଗୋଟିଏ ପିତଳ ବା ଲୁହାର ତାର ନେଇ ସେହି ମୋଡ଼ା ମୁଣ୍ଡଗୁଡ଼ିକର ମଧ୍ୟଭାଗରେ ଫୋଡ଼ି ସେଗୁଡ଼ିକୁ ଗୁନ୍ଥିଦେଲେ ଆଉ ବାହାରି ଯିବାର ଭୟ ରହିବ ନାହିଁ । ସବୁଗୁଡ଼ିକ ମୁଣ୍ଡ ଗୁନ୍ଥିସାରି ତାର ଖଣ୍ଡିକୁ ଆଣି ତାହାର ଶେଷମୁଣ୍ଡ ଆରମ୍ଭର ତାର ସଙ୍ଗେ ମିଶାଇ ଉତ୍ତମରୂପେ ମୋଡ଼ି ଅଟକାଇ ଦେବ । ଖଣ୍ଡିଏ ପଟାରେ ତାଳଝିମିଟିର ମୁଣ୍ଡଗୁଡ଼ିକ ପିଟି ଦେଲେ ସବୁ ଗୁଡ଼ିକର ମୁଣ୍ଡ ଖାଲୁଆ ଅଂଶ ମଧ୍ୟରେ ସମାନ ଉଚ୍ଚରେ ଓ ପଟାଖଣ୍ଡିକ ଦାଢ଼ରେ ରହିଥିବା ଉଚ୍ଚ ଅଂଶ ସାଙ୍ଗରେ ସମାନ ହୋଇ ରହିବ ।

Image

(୭ ନମ୍ବର ଚିତ୍ର)

ଏଥର ଆଉ ଖଣ୍ଡିଏ ପଟା ଠିକ୍‌ ବୁରୁଶ ଖଣ୍ଡିକର ଉପର ସଙ୍ଗେ ସମାନ କରି କାଟି ତାହାକୁ ଚିକ୍କଣ କରି ତହିଁ ଉପରେ କଣ୍ଟା ମାରି ବସାଇଦେବ ଏବଂ ଚାରି ପାଖରେ ରନ୍ଦା ମାରି ମିଶାଇ ଦେବ । ତାଳଝିମିଟିର ମୋଡ଼ା ମୁଣ୍ଡଗୁଡ଼ିକ ସବୁ ଏହି ଖାଲୁଆ ଅଂଶ ଓ ଉପରର ପଟା ଖଣ୍ଡିକ ମଧ୍ୟରେ ଲୁଚି ରହିବ । ତାରରେ ଗୁନ୍ଥିବା ପୂର୍ବରୁ ଯେବେ ଗୋଟିଏ ସରୁ ଘାଇ କାଟି ଦିଅ ତାହାହେଲେ ତାର ଖଣ୍ଡିକ ସେହି ଘାଇ ମଧ୍ୟରେ ବସିଯାଇ ଅଧିକ ଶକ୍ତ ଓ ସମାନ ହୋଇଯିବ ।

Image

(୮ ନମ୍ବର ଚିତ୍ର)

ଉପରର ପଟାଖଣ୍ଡି ଦୁଇ ଇଞ୍ଚ ବା ତହିଁରୁ କିଛି ଅଧିକ ମୋଟା ରଖି ପାର । କାରଣ ଏହି ପଟାଖଣ୍ଡିକରେ ବେଣ୍ଟ ଲଗାଇବାକୁ ପଡ଼ିବ ।

Image

(୯ ନମ୍ବର ଚିତ୍ର)

(୧୦ ନମ୍ବର ଚିତ୍ର)

(୧୧ ନମ୍ବର ଚିତ୍ର)

ବୁରୁଶର (Brush) ବ୍ୟବହାର ଅନୁସାରେ ତହିଁରେ ଭିନ୍ନ ଭିନ୍ନ ପ୍ରକାରର ବେଣ୍ଟ ଲଗାଇବାକୁ ହୁଏ । ଅଥବା କୌଣସି ବୁରୁଶରେ ଆଦୌ ବେଣ୍ଟ ଲଗାଇବା ଆବଶ୍ୟକ ହୁଏ ନାହିଁ । ଉପରର ପଟାଖଣ୍ଡିକର ଉପର ପାଖରେ କେତେକ ବୁରୁଶରେ ବେଣ୍ଟ ଲାଗିଥାଏ । ୮ ଓ ୯ ନମ୍ୱର ଚିତ୍ର ଦେଖ । କାହାରି କାହାରି ଏକ ପାଖରେ ବେଣ୍ଟ ଲଗାଇବାକୁ ପଡ଼େ । ୧୦ ଓ ୧୧ ନମ୍ୱର ଚିତ୍ର ଦେଖ ।

•••

 

ତାଳକୋରଟ

 

ତାଳବାହୁଙ୍ଗାର ଉପରର ଛାଲକୁ କୋରଟ କହନ୍ତି । ତାଳବାହୁଙ୍ଗାର ଯେଉଁପାଖ କିଞ୍ଚିତ୍‌ ଗୋଲ ହୋଇ ଉପରକୁ ଉଠିଥାଏ, ତାହାକୁ କହନ୍ତି ପିଠିପାଖ ଓ ଯେଉଁପାଖ ଟିକିଏ ଚେପ୍‌ଟା ବା ଖାଲୁଆ ହୋଇ ତଳକୁ ପଶି ଯାଇଥାଏ, ତାହାକୁ କହନ୍ତି ପେଟପାଖ । ପେଟ ପାଖର କୋରଟ ପିଠି ପାଖର କୋରଟ ଅପେକ୍ଷା ଅଧିକ ନରମ ଓ ଚିକ୍‌ଣ । ପେଟ କୋରଟରେ ଯେ କୌଣସି କାମ କରିବ ତାହା କରିବାକୁ ସୁବିଧା ହେବ ଏବଂ ପେଟ କୋରଟରେ ଯେ କୌଣସି ପଦାର୍ଥ ନିର୍ମାଣ କରିବ ତାହା ପିଠି କୋରଟର ପଦାର୍ଥ ଅପେକ୍ଷା ଦେଖିବାକୁ ଅଧିକ ସୁନ୍ଦର ହେବ ।

 

କୋରଟ ଏ ଦେଶରେ ନାନା କାର୍ଯ୍ୟରେ ବ୍ୟବହୃତ ହୁଏ । ଚାଳର ଗଣ୍ଠି, ବାଡ଼ର ଗଣ୍ଠି, ତାଟିର ଗଣ୍ଠି, ଛାଞ୍ଚୁଣି ବନ୍ଧା, ପହଁରା ବନ୍ଧା, କୁଲା ପାଛିଆ ଆଦିର ମୁହଁ ବନ୍ଧା, ଏବଂ କୁଲା, ପାଛିଆ ଓ ଟୋକେଇ ପ୍ରଭୃତି ଭାଙ୍ଗିଗଲେ ତହିଁର ମରାମତି ପ୍ରଭୃତି ନାନା କାର୍ଯ୍ୟରେ କୋରଟ ବ୍ୟବହୃତ ହୁଏ ।

 

କୌଣସି କୌଣସି ସ୍ଥାନରେ କେବଳ କୋରଟଦ୍ୱାରା ପାଛିଆ ଏବଂ ଟୋକେଇ ବୁଣାଯାଏ । କୋରଟକୁ ସମାନ ସମାନ ଓ ସରୁ ସରୁ କରି ଚିରି ପାରିଲେ ତଦ୍ଦ୍ୱାରା ବେତ ଅଭାବରେ ମୋଡ଼ା, ବାଉଁଶର ଚେୟାର୍‌ ପ୍ରଭୃତି ମଧ୍ୟ ବୁଣାଯାଇ ପାରିବ । ଏହା ଦ୍ୱାରା ବୁଣିବାର ପ୍ରଣାଳୀ ଠିକ୍‌ ବେତଦ୍ୱାରା ବୁଣିବା ସଙ୍ଗେ ସମାନ ।

 

ବାଉଁଶର କାଠିଦ୍ୱାରା ଗୋଟିଏ ଗୋଟିଏ ଛାଞ୍ଛ ବା ଫ୍ରେମ୍‌ ପ୍ରସ୍ତୁତ କରି ତହିଁ ଉପରେ କୋରଟ ପାତିଆଦ୍ୱାରା ବୁଣି ସୁନ୍ଦର ସୁଟ୍‌କେସ୍‌, ବାକ୍‌ସ, ଅଫିସ୍‌ ଡାଲା ପ୍ରଭୃତି କରାଯାଇ ପାରିବ ।

 

ବ୍ୟବହାରର ପ୍ରଣାଳୀ– କୋରଟକୁ ପ୍ରଥମେ ପାଣିରେ ତିନ୍ତାଇ ଦେବ; ୨ ବା ୩ ଘଣ୍ଟା ତିନ୍ତିଗଲେ ଯଥେଷ୍ଟ ହେବ । ଅଧିକ ସମୟ ପାଣିରେ ପକାଇ ରଖିଲେ ଏହାର ସ୍ୱାଭାବିକ ରଙ୍ଗର ବିକୃତି ଘଟିପାରେ ।

Image

(୧ ନମ୍ବର ଚିତ୍ର)

କୋରଟ ତିନ୍ତିଗଲେ ତାହାକୁ ଗୋଟିଏ ସମତଳ ସ୍ଥାନରେ ବା ଖଣ୍ଡିଏ ପଟା ଉପରେ ସମାନ କରି ପାରି ଦେବ । ତହିଁ ଉପରେ ଆଉ ଖଣ୍ଡିଏ ପଟାର ରୁଲ୍‌ ପକାଇ ଗୋଟିଏ ଛୁରୀର ଅଗଦ୍ୱାରା ସମାନ ଭାଗ କରି ଗାର ପକାଇଯିବ । ତାହାହେଲେ ସେଗୁଡ଼ିକ ସମାନ ହୋଇ ଚିରି ହୋଇ ଯିବ । ୧ ନମ୍ୱର ଚିତ୍ର ଦେଖ । ତା ପରେ ଅନ୍ତିଗୁଡ଼ିକ ଛୁରୀଦ୍ୱାରା ତାଞ୍ଛି ବାହାର କରିଦେବ ।

 

ବେତ ପାତିଆ ବା ବାଉଁଶ ପାତିଆ ତାଞ୍ଛିବା ନିମନ୍ତେ ଡମମାନେ ବାଉଁଶର ଖଣ୍ଡିଏ କ୍ଷୁଦ୍ର ଯନ୍ତ୍ର ବ୍ୟବହାର କରନ୍ତି । ତାହାକୁ ଘୋଡ଼ା କହନ୍ତି । ୨ ନମ୍ୱର ଚିତ୍ର ଦେଖ । ସେହି ଘୋଡ଼ା ବ୍ୟବହାର କଲେ ଏହା ସହଜରେ ଓ ଶୀଘ୍ର ଶୀଘ୍ର ଯଥେଷ୍ଟ ପରିମାଣରେ ତଞ୍ଛାଯାଇ ପାରିବ । ୩ ନମ୍ବର ଚିତ୍ର ଦେଖ । ସେହି ଘୋଡ଼ା ବାଉଁଶ ଖଣ୍ଡିକ ଉପରେ କରତଦ୍ୱାରା ଗୋଟିକେତେ ଘାଇ କାଟି ଦେଲେ ଯେଉଁ ଚଉଡ଼ାର ପାତିଆ କରିବାକୁ ହେବ, ସେହି ମାପର ଗୋଟିଏ ଘାଇରେ ସବୁ ଗୁଡ଼ିକ ପାତିଆ ପକାଇ ତାଞ୍ଛିନେଲେ ପାତିଆଗୁଡ଼ିକ ଏକ ସମାନ ହୋଇ ବାହାରିବ । ପାତିଆଗୁଡ଼ିକ ଯେତେ ସମାନ ହେବ ଓ ଉତ୍ତମରୂପେ ତଞ୍ଛା ହୋଇଥିବ, ତଦ୍ଦ୍ୱାରା ଯେଉଁ ପଦାର୍ଥ ପ୍ରସ୍ତୁତ କରିବ, ତାହା ସେତେ ସୁନ୍ଦର ହେବ ।

Image

(୨ ନମ୍ବର ଚିତ୍ର)

(୩ ନମ୍ବର ଚିତ୍ର)

ରଙ୍ଗ କରିବା ପ୍ରଣାଳୀ– ତାଳପତ୍ର ଯେଉଁ ପ୍ରଣାଳୀରେ ଏବଂ ଯେଉଁ ଯେଉଁ ରଙ୍ଗଦ୍ୱାରା ରଙ୍ଗ କରିବାକୁ ହୁଏ, କୋରଟ ମଧ୍ୟ ଠିକ୍‌ ସେହି ପ୍ରଣାଳୀରେ ଓ ସେହି ସେହି ରଙ୍ଗଦ୍ୱାରା ରଙ୍ଗ ହୋଇ ପାରିବ ।

•••

 

କୋରଟର ସୁଟ୍‌କେସ୍‌

 

Image

(୧ ନମ୍ବର ଚିତ୍ର)

ସୁଟ୍‌କେସ୍‌ଟି ଯେତେ ଲମ୍ୱା, ଯେତେ ଚଉଡ଼ା ଓ ଯେତେ ଉଚ୍ଚ କରିବ, ସେହି ଅନୁସାରେ ପ୍ରଥମେ ବାଉଁଶର କେତେଖଣ୍ଡିବତା ତାଞ୍ଛି କେବଳ ସେହି ବତାଦ୍ୱାରା ଗୋଟିଏ ଫରମା ବାନ୍ଧିନେବ-। ୧ ନମ୍ୱର ଚିତ୍ର ଦେଖ । ଚିତ୍ରରେ ଲମ୍ୱା ବାଗରେ ୪ ଖଣ୍ଡ, ଚଉଡ଼ା ବାଗରେ ୪ ଖଣ୍ଡ, ଉଚ୍ଚବାଗରେ ଚାରି କୋଣରେ ୮ଖଣ୍ଡ, ପେଟରେ ୨ ଖଣ୍ଡ ଲେଖାଏଁ ୪ ଖଣ୍ଡ ଏବଂ ଦୁଇ ମୁଣ୍ଡରେ ୨ ଖଣ୍ଡ ଏରୂପ ମୋଟ ୨୨ ଖଣ୍ଡ ବତା ଲାଗିଅଛି । କୋଣରେ ୨ଖଣ୍ଡି ଲେଖାଏଁ ବତା ଏକାଠି ଲଗାଲଗି କରି ଖଞ୍ଜା ଯାଇଅଛି ।

 

ଆଉ କେତେଗୁଡ଼ିଏ ସରୁ ସରୁ ବାଉଁଶକାଠି ଅଳ୍ପ ଚେପ୍‌ଟା କରି ତାଞ୍ଛି ସେଗୁଡ଼ିକ ସେହି ଫରମାର ତଳପାଖ ବାହିରେ ଖଣ୍ଡିଏ ସୂତାଦ୍ୱାରା ଛନ୍ଦି ଦେବାକୁ ହେବ । ୨ ନମ୍ୱର ଚିତ୍ର ଦେଖ । ଏଥିପାଇଁ ଖଣ୍ଡିଏ ସୂତା ନେଇ ସେହି ଫରମାଟିର ତଳବାହି ବତାରେ ଯେ କୌଣସି ସ୍ଥଳରେ ବାନ୍ଧି ଦେବ । ଖଣ୍ଡିଏ ଲେଖାଏଁ କାଠି ଖଞ୍ଜି କେବଳ ଥରେ ଲେଖାଏଁ ସୂତାଟି ଗୁଡ଼ାଇଦେଲେ ଚଳିବ । ଏହିପରି ଚାରି ପାଖରେ କାଠି ଛନ୍ଦି ଦେବ । ତା ପରେ ସେହି କାଠିଗୁଡ଼ିକ ଗୋଟିକ ଛଡ଼ା ଗୋଟିଏ ଉଠାଇ ତହିଁରେ କୋରଟ ପାତିଆ ଗୋଟିଏ ଖଞ୍ଜି ଦେବ ।

 

Image

(୨ ନମ୍ବର ଚିତ୍ର)

ପ୍ରଥମ ଥର ଯେଉଁ କାଠିଗୁଡ଼ିକ ଉପରକୁ ଉଠାଇବ, ଦ୍ୱିତୀୟ ଥରକୁ ସେଗୁଡ଼ିକୁ ତଳକୁ ରଖି ଅନ୍ୟଗୁଡ଼ିକ ଉପରକୁ ଉଠାଇ ଦ୍ୱିତୀୟ ଧାଡ଼ି ପାତିଆ ବୁଣିବ । ତୃତୀୟ ଥରକୁ ପ୍ରଥମ ଥରର କାଠିଗୁଡ଼ିକ ଉପରକୁ ଉଠାଇବାକୁ ହେବ । ଏହି ପ୍ରଣାଳୀରେ ସମସ୍ତ ବୁଣି ଶେଷ କରିବ । ବୁଣିବା ସମୟରେ କୋରଟର ଚିକ୍କଣ ପାଖଟି ବରାବର ଉପରକୁ ରଖି ବୁଣିବ ।

 

ଉପରେ ସରଳ ବୁଣା ପ୍ରଣାଳୀ ଉଲ୍ଲେଖ କରାଗଲା । ତାଳପତ୍ରର ଚଟେଇ ବୁଣିବାରେ ଯେତେ ପ୍ରକାରର ବୁଣିବାର ପ୍ରଣାଳୀ ବର୍ଣ୍ଣିତ ହୋଇଅଛି, ଅର୍ଥାତ୍‌ ସରଳ ବୁଣା ଛଡ଼ା ଟୁଇଲ, କଲୀ ଟୁଇଲ୍‌, ଡାଇମଣ୍ଡ୍‌ ପ୍ରଭୃତି ସବୁପ୍ରକାର ପ୍ରଣାଳୀରେ ଏଥିରେ କୋରଟ ପାତିଆ ବୁଣାଯାଇ ପାରିବ । ଚାରିପାଖ ଏହିପରି ବୁଣା ହୋଇଗଲେ ତହିଁର ତଳ ଓ ଉପରର ଡାଲା ନିମନ୍ତେ ଠିକ୍‌ ମାପ ନେଇ ବତାର ଦୁଇଖଣ୍ଡି ଫରମା ବନ୍ଧି ନେବ । ତହିଁ ଉପରେ ଲମ୍ୱଭାବରେ କେତେଗୁଡ଼ିଏ ସରୁ ସରୁ ଅଳ୍ପ ଚେପ୍‌ଟା ବାଉଁଶକାଠି ଫରମାର ଏକ ମୁଣ୍ଡରେ ସୂତାଦ୍ୱାରା ଛନ୍ଦି ତହିଁରେ କୋରଟ ପାତିଆ ବୁଣିଦେବ । ୩ ନମ୍ୱର ଚିତ୍ର ଦେଖ ।

Image

(୩ ନମ୍ବର ଚିତ୍ର)

(୪ ନମ୍ବର ଚିତ୍ର)

ତଳାକୁ ତଳ ପାଖରେ ସ୍ଥାୟୀ ଭାବରେ ବାନ୍ଧିଦେବ । ଉପରର ଡାଲାଟି ଉପରେ ଏକ ପାଖରେ ୨ ଗୋଟି ବା ୩ ଗୋଟି ସ୍ଥାନରେ ଏପରି ଭାବରେ ବାନ୍ଧି ଖଞ୍ଜିବ, ଯେପରି ତାହା ସହଜରେ ଇଚ୍ଛାନୁସାରେ ଖୋଲି ହେବ ଏବଂ ବନ୍ଦ କରି ହେବ । ଡାଲାଟି ଖଞ୍ଜି ସେହି କୋରଟଦ୍ୱାରା ଦୁଇ ତିନିଗୋଟି ସିକୁଳି କରି ତହିଁ ଉପରେ ବୁଣିଦେଇ ପାର । ୪ ନମ୍ୱର ଚିତ୍ର ଦେଖ-

Image

(୫ ନମ୍ବର ଚିତ୍ର)

ଡାଲା ଲଗାଇବା ପାଇଁ ଡାଲାଟିର ଅନ୍ୟ ପାଖରେ ଲୁହାର ବା ପିତଳର ବା ଅନ୍ୟ କୌଣସି ଧାତୁର କବ୍ଜା ବସାଇ ପେଞ୍ଚ ଆଣ୍ଟି ଦେଇ ପାରିବ, ଅଥବା ସେହି କୋରଟରେ ଦୁଇଗୋଟି ସିକୁଳି ବୁଣିଦେବ । ବନ୍ଦ କରି ଚାବି ପକାଇବା ନିମନ୍ତେ ଆଗ ପାଖରେ ଦୁଇଗୋଟି ଛିଟ୍‌କିଣି ଲଗାଇଦେବ । ଖଣ୍ଡିଏ କାଠି ଉପରେ କୋରଟ ବୁଣି ୫ ନମ୍ୱର ଚିତ୍ର ପରି ତାହା ପ୍ରସ୍ତୁତ କରିବ । କାଠିଖଣ୍ଡିକର ଦୁଇ ମୁଣ୍ଡରେ ଦୁଇଗୋଟି ଘର ରଖିବ; ଗୋଟିଏ ଘର ଛୋଟ ଓ ଗୋଟିଏ ଘର ବଡ଼-। ସୁଟ୍‌କେସରେ ଦୁଇଟି କୁହୁଣ୍ଡା ଲଗାଇବ, ଶିକୁଳି ଦୁଇଟିକୁ ସେହି ଦୁଇ କୁହୁଣ୍ଡାରେ ଲଗାଇ କାଠିଖଣ୍ଡିକର ସରୁପାଖ ଗୋଟିଏ କୁହୁଣ୍ଡାରେ ପୂରାଇ ଦେବ । ମୋଟ ପାଖକୁ ଅନ୍ୟ କୁହୁଣ୍ଡା ଉପରେ ଚଢ଼ାଇ ଦେବ । ଯେପରି କୁହୁଣ୍ଡାଟି କାଠିର ଘରେ ପଶି ଉପରକୁ ବାହାରିବ । ସେହି କୁହୁଣ୍ଡାରେ ଚାବି ପକାଇ ପାରିବ ।

 

ଧରିବା ଲାଗି ଖଣ୍ଡିଏ ହତା ବୁଣି ଲଗାଇ ଦେବ । ହତା ବୁଣିବାର ପ୍ରଣାଳୀ ନିମ୍ନରେ ପ୍ରଦତ୍ତ ହେଲା ।

 

ହତା– ସୁଟ୍‌କେସ୍‌ ବା ବ୍ୟାଗ୍‌ (Bag) ପ୍ରଭୃତିରେ ହତା ଗୋଟିଏ ପ୍ରଧାନ ଅଙ୍ଗ । ଧରିବା ଏବଂ ନେବା ଆଣିବା କରିବାର ସମସ୍ତ ସୁବିଧା ଏହି ହତା ଉପରେ ନିର୍ଭର କରେ ।

 

ହତାକୁ ଯେତେ ଲମ୍ୱା କରିବାର ଆବଶ୍ୟକ ହେବ, ତହିଁର ମାପ ଅନୁସାରେ ନିକୃଷ୍ଟ କୋରଟ ବା ଅନ୍ୟ କୌଣସି ଶକ୍ତି ପଦାର୍ଥରେ ଦଉଡ଼ି ବଳି ଗୋଲ କରିବ କିମ୍ୱା ଚେପ୍‌ଟା କରିବାର ଇଚ୍ଛା ହେଲେ ତହିଁରେ ଗୋଟିଏ ବେଣୀ କରି ନେବ । ତା ପରେ ତହିଁର ଏକ ପାଖରେ ଏକ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତ ପର୍ଯ୍ୟନ୍ତ ଏକ ପରସ୍ତ ତଞ୍ଛା କୋରଟ ପାତିଆ ଖଞ୍ଜି ଦେବ । ଏଗୁଡ଼ିକ କୌଣସି ରଙ୍ଗରେ ରଙ୍ଗାଇ ନେଲେ ଆହୁରି ସୁନ୍ଦର ହେବ । ଆଉ ଖଣ୍ଡିଏ ସାଧା କୋରଟ ପାତିଆଦ୍ୱାରା ଏହାକୁ ବୁଣିଦେବ ।

Image

(୬ ନମ୍ବର ଚିତ୍ର)

ତାଳପତ୍ରରେ ଚଟେଇ ବୁଣିବାର ପ୍ରଣାଳୀରେ ଗୋଟିଏ ପାତିଆ ତଳକୁ ରଖି ଓ ଗୋଟିଏ ପାତିଆ ଉପରକୁ ଉଠାଇ ସରଳ ପ୍ରଣାଳୀରେ ବା ଦୁଇଟି ପାତିଆ ତଳକୁ ରଖି ଓ ଦୁଇଟି ପାତିଆ ଉପରକୁ ଉଠାଇ ଟୁଇଲ୍‌ ପ୍ରଣାଳୀରେ ବା ଅନ୍ୟ ଯେ କୌଣସି ଚିତ୍ର ଉଠାଇବାକୁ ଇଚ୍ଛା କରିବ ସେହି ଅନୁସାରେ ଯେତେ ଗୋଟି ପାତିଆ ଉପରକୁ ଉଠାଇବାର, କି ତଳକୁ ପକାଇବାର ଆବଶ୍ୟକ, ସେହି ଅନୁସାରେ ପାତିଆ ଖଞ୍ଜି ବୁଣିବାକୁ ହେବ । ଏପ୍ରକାରର ବୁଣା କେବଳ ଉପର ପାଖରେ ବୁଣିବ । ଅନ୍ୟ ପାଖରେ ବୁଣା ପାତିଆଟି ଖାଲି ଗୁଡ଼ାଇ ନେଉଥିବ । ୬ ନମ୍ୱର ଚିତ୍ର ଦେଖ ।

 

ତଳପାଖ ଖାଲି ଗୁଡ଼ା ହେବାରୁ ଧରିବାପାଇଁ ହାତକୁ ସରଳ ଲାଗିବ । ହତାଟି ବୁଣା ହୋଇଗଲେ ତାହାକୁ ବଙ୍କା କରି ତହିଁର ଦୁଇ ମୁଣ୍ଡ ସୁଟ୍‌କେସ୍‌ ବା ବ୍ୟାଗ୍‌ (Bag) ଦେହରେ ଉତ୍ତମରୂପେ ଗୁନ୍ଥି ଦେବ ।

Image

(୭ ନମ୍ବର ଚିତ୍ର)

ଯଦି ଦୁଇଟି କଡ଼ା ଖଞ୍ଜି ତହିଁରେ ହତା ଲଗାଇବାକୁ ଇଚ୍ଛା କରିବ, ତେବେ ଆଗେ କଡ଼ା ଦୁଇଟି ଆଣିବ । ହତା ପାଇଁ ଯେଉଁ ଦଉଡ଼ି ବା ବେଣୀ କରିଥିବ, ତହିଁର ଦୁଇ ମୁଣ୍ଡ କଡ଼ା ଭିତରେ ପୂରାଇ ତାହାକୁ ମୋଡ଼ିଆଣି ଅନ୍ୟ ଅଂଶ ସଙ୍ଗେ ଉତ୍ତମରୂପେ ବାନ୍ଧି ମିଶାଇ ଦେବ । ତା ପରେ ହତା ଉପରେ କୋରଟ ପାତିଆ ବସାଇ ବୁଣିବ ତା ପରେ ହତା ଲଗାଇବ ।

•••

 

ଅଫିସ ଟ୍ରେ (Tray) ବା ଡାଲା

Image

(୧ ନମ୍ବର ଚିତ୍ର)

ବାଉଁଶ ବତାରେ ୧ ନମ୍ୱର ଚିତ୍ର ପରି ଗୋଟିଏ ଫର୍ମା ବାନ୍ଧିବ । ସୁଟ୍‌କେସ୍‌ରେ ଯେଉଁପରି କାଠିଗୁଡ଼ିକ ବାନ୍ଧିବାକୁ ହୁଏ, ସେହିପରି କାଠି ଗୁଡ଼ିଏ ବାନ୍ଧିବ । ତା ପରେ ବୁଣିବାକୁ ଆରମ୍ଭ କରିବ । ପ୍ରଥମେ ତଳଆଡ଼ୁ ଦେଢ଼ ଇଞ୍ଚ ପର୍ଯ୍ୟନ୍ତ କୋରଟ ପାତିଆ ବୁଣି ଆଉ ଦେଢ଼ ଇଞ୍ଚ ଖାଲି ଛାଡ଼ିଦେବ । ତା ପରେ ପୁଣି ଦେଢ଼ ଇଞ୍ଚ ବୁଣି ଆଉ କିଛି ଅଂଶ ଖାଲି ଛାଡ଼ି ତହିଁର ମୁହଁ ବାନ୍ଧିଦେବ ।

Image

(୨ ନମ୍ବର ଚିତ୍ର)

ମୁହଁରେ ଅଳ୍ପ ମୋଟା ବତା ଦୁଇଖଣ୍ଡ ଲେଖାଏଁ ଦୁଇ ପାଖରୁ ଖଞ୍ଜି ପ୍ରଥମେ ଭିଡ଼ି ବାନ୍ଧି ଦେବ । ତହିଁ ଉପରେ ସରୁ ସରୁ ପତଳା ବାଉଁଶ ବା କୋରଟର ଉଞ୍ଛା ବା କୁଟା ଆଦିକୁ ସମାନ ମୋଟରେ ଚାରିଆଡ଼େ ଖଞ୍ଜି ଉତ୍ତମରୂପେ ବାନ୍ଧି ଦେବ । ତା ଉପରେ କୌଣସି ରଙ୍ଗର କୋରଟ ପାତିଆ ପାରିଦେବ । ହତା ବୁଣିବା ପ୍ରଣାଳୀରେ ଆଉ ଖଣ୍ଡେ ସାଧା କୋରଟ ପାତିଆଦ୍ୱାରା ତାହାକୁ ବୁଣିବ । ୨ ନମ୍ୱର ଚିତ୍ର ଦେଖ ।

 

ଟ୍ରେ (Tray) ବା ଡାଲାଟି ସମ୍ପୂର୍ଣ୍ଣ ବୁଣା ହୋଇ ତହିଁର ଉପରର ମୁହଁ ବନ୍ଧା ହୋଇଗଲେ ସୁଟ୍‌କେସ୍‌ର ତଳା ପରି ଗୋଟିଏ ତଳା ବୁଣି ଉପର ଆଡ଼ୁ ତାହାକୁ ଭିତରେ ଖଞ୍ଜି ଦେଇ ତଳାକୁ ମିଶାଇ ତହିଁର ତଳମୁହଁକୁ ଉପର ମୁହଁ ପରି ବାନ୍ଧି ଦେବ । ଦୁଇ ମୁଣ୍ଡରେ ଦୁଇଗୋଟି ହତା ଲଗାଇ ଦେବ । ୩ ନମ୍ୱର ଚିତ୍ର ଦେଖ ।

•••

 

କୁଟାର ବ୍ୟବହାର

 

ଧାନ କାଟି ନେବା ପରେ ଧାନଗଛର ମୂଳଗଡ଼ଟିକୁ ନଡ଼ା କହନ୍ତି । ଏହି ନଡ଼ାରେ ସାଧାରଣତଃ ଘର ଛାଉଣି ହୁଏ ଏବଂ ଏହା ଗୋରୁଙ୍କୁ ଖାଇବାକୁ ଦିଆଯାଏ । ଧାନକେଣ୍ଡାମାନଙ୍କୁ ବେଙ୍ଗଳା ପକାଇ ବା ଗୋଡ଼ରେ ମଳି ଧାନଗୁଡ଼ିକ ଝାଡ଼ି ନେଲା ପରେ ଯାହା ରହିଯାଏ, ତାହାକୁ କୁଟା କହନ୍ତି । ଏହି କୁଟା ନାନା କାର୍ଯ୍ୟରେ ବ୍ୟବହୃତ ହୁଏ । ଏହାକୁ ଗୋରୁ ଖାଆନ୍ତି । ଏଥିରେ ଓଳିଆ ବନ୍ଧା ହୁଏ । ଖଣି ଓ ମରେଇ ଭିତରେ ଧାନ ରଖିବାପାଇଁ କୁଟାରେ ବର ପ୍ରସ୍ତୁତ କରି ଖଣିର କାନ୍ଥିରେ ଦିଅନ୍ତି । ଏଥିରେ ଦଉଡ଼ି ବଳାଯାଇ ଓଳିଆ ବନ୍ଧା ହୁଏ । କୁଟା ଏହିପରି ଅନେକ ପ୍ରକାର କ୍ଷୁଦ୍ର କ୍ଷୁଦ୍ର ବ୍ୟବହାରରେ ଲାଗେ ।

 

ବାଲେଶ୍ୱର ଜିଲ୍ଲାରେ ଓ ଅନ୍ୟାନ୍ୟ କେତେକ ସ୍ଥଳରେ ଧାନ ଗଛକୁ ମୂଳରୁ କାଟନ୍ତି; ତେଣୁ ବେଙ୍ଗଳା ପକାଇ ଧାନ ଝାଡ଼ିନେଲା ପରେ ସମସ୍ତ ଅଂଶ କୁଟାରେ ପରିଣତ ହୁଏ । ସେ ସବୁ ଅଞ୍ଚଳରେ କୁଟାରେ ଘର ଛାଉଣି କରନ୍ତି । କୁଟାର ଛାଉଣି ଦେଖିବାକୁ ସୁନ୍ଦର ଏବଂ ଅଧିକ କାଳ ସ୍ଥାୟୀ ହୁଏ ।

 

କୁଟା ସହଜରେ ସବୁଠାରେ ମିଳେ ଓ ତାହାର ମୂଲ୍ୟ କମ୍‌ । ଯେବେ କେହି କେବଳ କିଛି ପରିଶ୍ରମ କରି ଅଧିକ ମୂଲ୍ୟର ପଦାର୍ଥ କରିବାକୁ ଇଚ୍ଛା କରିବ, ତେବେ ସେ ସହଜରେ କିଛି ଲାଭ କରି ପାରିବ ।

 

କୁଟାର ପାଁପୋଛ୍‌, ଟୋପି, ଡାଲା ପ୍ରଭୃତି ନାନା ପଦାର୍ଥ କରାଯାଇ ପାରେ ।

 

କୁଟାର ପାଁପୋଛ୍‌ :– ପାଁପୋଛ କରିବା ନିମନ୍ତେ ପ୍ରଥମେ କେତେଗୁଡ଼ିଏ କୁଟା ନେଇ ତାହାକୁ ଉତ୍ତମରୂପେ ଝାଡ଼ି ଦେଇ ତଦ୍ଦ୍ୱାରା ଗୋଟିଏ ସରଳ ଓ ସମାନ ମୋଟର ବେଣୀ ବଳିବ । ୧ ନମ୍ୱର ଚିତ୍ର ଦେଖ ।

Image

(୧ ନମ୍ବର ଚିତ୍ର)

ଗୋଟିଏ ସମତଳ ସ୍ଥାନରେ ଦୁଇ ପାଖରେ ଦୁଇଖଣ୍ଡି ପଟା ରଖି ତହିଁ ମଧ୍ୟରେ ବେଣୀଟିକୁ ୧ ନମ୍ୱର ଚିତ୍ର ପରି ମୋଡ଼ି ମୋଡ଼ି କରି ବସାଇ ଦେଇ ତାହାକୁ ପାଦରେ ମାଡ଼ି ଧରିବ-। ତାହା ହେଲେ ଭାଙ୍ଗଗୁଡ଼ିକ ସବୁ ସମାନ ହୋଇ ରହିବ । ସେହି ଭାଙ୍ଗଗୁଡ଼ିକ ଉପରେ ଠିକ୍‌ ମଝିରେ ଖଣ୍ଡିଏ ଖଡ଼ି, ଅଙ୍ଗାର ବା ଗେରୁଦ୍ୱାରା ଗୋଟିଏ ଗାର କାଟି ଦାଗ କରି ଦେବ । ତା ପରେ ତାକୁ କାଢ଼ି ଆଣି ବା ତାହା ସେହିଠାରେ ଥାଉଁ ଥାଉଁ ସେହି ଦାଗକୁ ଚାହିଁ ଗୋଟିଏ ଡାମ୍ଫଣ ବା ମୋଟ ଛୁଞ୍ଚିରେ ଫୋଡ଼ି ଗୋଟିଏ ବାଣି ଦଉଡ଼ିଦ୍ୱାରା ତାହାକୁ ଗୁନ୍ଥି ଦେବ । ୨ ନମ୍ୱର ଚିତ୍ର ଦେଖ ।

Image

(୨ ନମ୍ବର ଚିତ୍ର)

ଗୋଟିଏ ପାଁପୋଛ୍‌ ନିମନ୍ତେ କେତେଗୁଡ଼ିଏ ବେଣୀ ଏହିପରି ମୋଡ଼ା ହେବା ଆବଶ୍ୟକ-। ଏବଂ ଆଉ ବେଣୀର କେତେକ ଅଂଶ ସେହିପରି ଖାଲି ରହିବା ଆବଶ୍ୟକ, ଯାହା କି, ଚାରି ପାଖରେ ଓ ମଝିରେ ମଝିରେ ସରଳଭାବରେ ବସାଇବାକୁ ହେବ । ଯେତେ ଲମ୍ୱା ଓ ଚୌଡ଼ାର ପାଁପୋଛ୍‌ଟି କରିବ, ସେହି ଅନୁସାରେ ଗୋଟିଏ ସମତଳ ସ୍ଥାନରେ ଚାରିଗୋଟି ଖିଲ ପୋତି ଦେବ-। ସେହିଠାରୁ ମାପିଲେ ଜାଣି ପାରିବ ଯେ, କେତେ ଲମ୍ୱାର ବେଣୀକୁ ମୋଡ଼ି କରି ଭାଙ୍ଗ ବସାଇ ଗୁନ୍ଥିବାକୁ ହେବ ଏବଂ କେତେ ଲମ୍ୱାର ବେଣୀ ଖାଲି ରହିବ, ସେହି ହିସାବରେ ପ୍ରଥମେ ବେଣୀକୁ ଭାଙ୍ଗ ବସାଇ ଗୁନ୍ଥି ନେବ । ତା ପରେ ଖିଲରେ ଚଢ଼ାଇ ପାଁପୋଛକୁ ବାନ୍ଧିବ । ପ୍ରଥମେ ସେହି ୪ ଗୋଟି ଖିଲ ମଧ୍ୟରୁ ଲମ୍ୱଭାବରେ ଦୁଇ ଗୋଟି ଖିଲରେ ଏକ ଧାଡ଼ି ସରଳ ବେଣୀ ଖଞ୍ଜି ତହିଁରେ ମୋଡ଼ା ହୋଇ ଗୁନ୍ଥା ହୋଇଥିବା ବେଣୀର ଭାଙ୍ଗ ସେହି ଲମ୍ୱା ପର୍ଯ୍ୟନ୍ତ ଏକ ଧାଡ଼ି ଖଞ୍ଜିବ । ତହିଁର ପ୍ରତି ଭାଙ୍ଗକୁ ସରଳ ବେଣୀ ସଙ୍ଗେ ବାଣିଦ୍ୱାରା ଡାମ୍ଫଣ ସାହାଯ୍ୟରେ ଗୁନ୍ଥି ଦେବ । ତା ପରେ ଏକ ଧାଡ଼ି ବା ଦୁଇ ଧାଡ଼ି ସରଳ ବେଣୀ ଖଞ୍ଜିବ । ତାହାକୁ ମଧ୍ୟ ପ୍ରତି ଭାଙ୍ଗ ସହିତ ବାଣିଦ୍ୱାରା ଗୁନ୍ଥି ଦେବ ।

Image

(୩ ନମ୍ବର ଚିତ୍ର)

ଅନ୍ୟ ଖିଲ ଦୁଇଗୋଟି ପର୍ଯ୍ୟନ୍ତ ଚୌଡ଼ା କରିବା କାରଣ ଏହିପରି ଯେତେ ଧାଡ଼ି ଗୁନ୍ଥିବା ଆବଶ୍ୟକ ହେବ, ତାହା ଖଞ୍ଜି ଶେଷରେ ଅପର ଦୁଇଗୋଟି ଖିଲକୁ, ମିଶାଇ ସରଳ ବେଣୀ ଏକ ପରସ୍ତ ବା ଦୁଇ ପରସ୍ତ ପାଁପୋଛ୍‌ଟିର ଚାରି ପାଖରେ ଖଞ୍ଜି ଉତ୍ତମରୂପେ ବାଣିଦ୍ୱାରା ଗୁନ୍ଥି ଦେବ । ୩ ନମ୍ୱର ଚିତ୍ର ଦେଖ ।

•••

 

କୁଟାର ଟୋପି

 

Image

(୧ ନମ୍ବର ଚିତ୍ର)

କୁଟାଦ୍ୱାରା ସୁନ୍ଦର ଟୋପି କରାଯାଇ ପାରେ । ଟୋପି କରିବା ପାଇଁ କେତେଗୁଡ଼ିଏ କୁଟାର ମଝି ଶୀଁଷା ବାଛି ନେବ । ପତର ଓ ଖୋଳପା ଛଡ଼ାଇ ଦେଲେ ଶେଷ ଗଣ୍ଠିଠାରୁ ଅଗ ମଞ୍ଜଟି ଏଥିପାଇ ଉପଯୁକ୍ତ ହେବ । ତହିଁ ମଧ୍ୟରୁ ସମାନ ମୋଟ କେତେଗୁଡ଼ିଏ ଶୀଁଷା ବାଛି ନେଇ ତହିଁରେ ୫ ଶାଖା, ୬ ଶାଖା ବା ୭ ଶାଖାର ଗୋଟିଏ ପଟି ବୁଣିବ । ୧ ନମ୍ୱର ଚିତ୍ର ଦେଖ । ତାଳପତ୍ରରେ ପଟି ବୁଣିବାର ଯେଉଁ ପ୍ରଣାଳୀ ସବୁ ୧୯ ପୃଷ୍ଠାଠାରୁ ୨୩ ପୃଷ୍ଠାରେ ବର୍ଣ୍ଣିତ ହୋଇଅଛି, ଠିକ୍‌ ସେହି ପ୍ରଣାଳୀରେ ପଟି ବୁଣିବ । କୁଟା କୋଟା ଥିଲେ ୫ ଶାଖାରେ ଏବଂ ସରୁଥିଲେ ୬ ବା ୭ ଶାଖାରେ ପଟି ବୁଣିବ । ପଟିକୁ ସବୁ ଆଡ଼େ ସମାନ କରିବ । ସମାନ ନ ହେଲେ ଟୋପି ସୁନ୍ଦର ହେବ ନାହିଁ ।

Image

(୨ ନମ୍ବର ଚିତ୍ର)

ଟୋପିଟି ଯେତେ ବଡ଼ କରିବାକୁ ଇଚ୍ଛା କରିବ, ସେହି ମାପରେ ଗୋଟିଏ ମୋଟା କାଗଜର ବା ତାଳପତ୍ରର ମେଲା ଫରମା ପ୍ରସ୍ତୁତ କରିବ । ତହିଁ ଉପରେ ଏହି କୁଟାପଟିକୁ ବସାଇ ଏବଂ ପଟିକୁ ଫର୍ମାର ଚାରିଆଡ଼େ ବୁଲାଇ ଛୁଞ୍ଚି ଓ ସୂତାଦ୍ୱାରା ସିଲାଇ କରିବ । ୨ ନମ୍ୱର ଚିତ୍ର ଦେଖ ।

 

ସୂତାକୁ ବରାବର ଜଗି କୁଟାର ଦାଢ଼େ ଦାଢ଼େ ବସାଇ ସିଲାଇ କଲେ ଉପରକୁ ସୂତା ଦେଖାଯିବ ନାହିଁ ।

 

ଫରମା ଉପରେ ମାପ ଅନୁସାରେ ଟୋପିଟିର ପାର୍ଶ୍ୱ ହୋଇଗଲେ ତାହାକୁ କିଞ୍ଚିତ୍‌ ଫରମାର ଦାଢ଼ଉପରକୁ ଉଠାଇ ଟୋପିର ଉପର ଦାଢ଼କୁ ଫରମାର ଉପର ସଙ୍ଗେ ମିଶାଇ ଦେଇ ରଖିବ । ତା ପରେ ଏହି ପଟିରୁ ଖଣ୍ଡିଏ ଖଣ୍ଡିଏ କାଟି ନେଇ ଟୋପି ଉପରେ ୩ ନମ୍ୱର ଚିତ୍ର ପରି ଖଞ୍ଜି ତହିଁର ଦୁଇ ଦାଢ଼ରେ ଛୁଞ୍ଚି ସୂତାଦ୍ୱାରା ଗୁନ୍ଥି ଦେବ । ଉପରେ ଯେତେ ଖଣ୍ଡ ପଟି କାଟି ନେଇ ବସାଇବ ଏବଂ ସେ ପଟି ସବୁକୁ କାହାକୁ ଗୋଲ କରି ବା କାହାକୁ ଛକ ପକାଇ ଖଞ୍ଜିବ, ସେ ସବୁର ପ୍ରତି ଛକମାନଙ୍କରେ ଛୁଞ୍ଚି ସୂତାରେ ଗୋଟିଏ ଗୋଟିଏ ଟାଙ୍କା ବସାଇ ଗୁନ୍ଥିଦେବ ।

Image

(୩ ନମ୍ବର ଚିତ୍ର)

(୪ ନମ୍ବର ଚିତ୍ର)

 

ଶେଷରେ ଟୋପିର ଭିତରେ ଏକପରସ୍ତ କନା ଏବଂ ମୁହଁରେ ୧ ଇଞ୍ଚ ବା ୧.୫ ଇଞ୍ଚ ଚୌଡ଼ାର ଖଣ୍ଡିଏ ଚମଡ଼ା ବା ମହମ ଜାମା କନା ବୁଲାଇକରି ଲଗାଇ ସିଲାଇ କରିଦେଲେ ଟୋପିଟି ସମ୍ପୂର୍ଣ୍ଣ ବ୍ୟବହାରର ଉପଯୋଗୀ ହେବ । ୪ ନମ୍ୱର ଚିତ୍ର ଦେଖ ।

•••

 

କୁଟାର ହାଟ୍‌ (Hat)

 

Image

(୧ ନମ୍ବର ଚିତ୍ର)

(୨ ନମ୍ବର ଚିତ୍ର)

କୁଟାରେ ହାଟ୍‌ କରିବାପାଇଁ ପ୍ରଥମେ ତାଳପତ୍ରଦ୍ୱାରା ହାଟ୍‌ର ଗୋଟିଏ ଫରମା ସିଲାଇ କରି ନେବ ବା ବୁଣି ନେବ । ୧ ନମ୍ୱର ଚିତ୍ର ଦେଖ ।

ମାଟର ବା କାଠର ଗୋଟିଏ ଫରମା ଉପରେ ତାଳପତ୍ର ପକାଇ ସିଲାଇ କଲେ କିମ୍ୱା ବୁଣି ଦେଲେ ସହଜରେ ଫରମାଟି ହୋଇ ପାରିବ ।

ଟୋପି ନିମନ୍ତେ ଯେପରି କୁଟାର ପଟି ଆବଶ୍ୟକ, ଠିକ୍‌ ସେହିପରି ଗୋଟିଏ ଲମ୍ୱା ପଟି ବୁଣିବ; ତାଳପତ୍ରର ଫରମାଟିରେ ପଦାକୁ ବାହାରିଥିବା ଅଂଶର ତଳପାଖରେ ଏକ ପରସ୍ତ ଓ ଉପର ପାଖରେ ଏକ ପରସ୍ତ, ଏରୂପ ଦୁଇ ପାଖରେ ଦୁଇ ପରସ୍ତ ପଟି ଲଗାଇ ସିଲାଇ କରିବାକୁ ହେବ । ଅବଶିଷ୍ଟ ଅଂଶରେ କେବଳ ଏକ ପରସ୍ତ ପଟି ବାହାର ପାଖରେ ଖଞ୍ଜି ସିଲାଇ କରିବ । ଉପରେ ମଧ୍ୟ ବୁଲାଇ ବୁଲାଇ ଏକ ପରସ୍ତ ପଟି ସିଲାଇ କରିବ । ପ୍ରଥମେ ଉପରଆଡ଼ୁ ପଟିକୁ ବୁଲାଇ ବୁଲାଇ ବସାଇ ଆଣିବ । ୨ ନମ୍ୱର ଚିତ୍ର ଦେଖ ।

Image

(୩ ନମ୍ବର ଚିତ୍ର)

ଶେଷକୁ ବାହାରିଥିବା ଅଂଶରେ ତଳୁ ଏବଂ ଉପରୁ ଦୁଇ ପରସ୍ତ ପଟି ଯୋଡ଼ି ସିଲାଇ କରି ଶେଷ କରିବ । ଭିତରେ ଏକ ପରସ୍ତ କନା ଓ ମୁହଁରେ ୧ ଇଞ୍ଚ ବା ୧.୫ ଇଞ୍ଚ ଚୌଡ଼ାର ଖଣ୍ଡିଏ ଚମଡ଼ା ବା ମହମ ଜାମା କନା ଏବଂ ହାଟ୍‌ର ବେକରେ ଖଣ୍ଡିଏ ଫିତା ଗୁଡ଼ାଇ ବାନ୍ଧି ଦେଲେ ହାଟ୍‌ (Hat) ଖଣ୍ଡି ବ୍ୟବହାର କରିବାକୁ ସୁବିଧା ହେବ ଏବଂ ଦେଖିବାକୁ ମଧ୍ୟ ସୁନ୍ଦର ହେବ । ୩ ନମ୍ୱର ଚିତ୍ର ଦେଖ ।

•••

 

କୁଟାର ବାଗ୍‌ (Bag)

 

ଟୋପି ଏବଂ ହ୍ୟାଟ୍‌ (Hat) ପାଇଁ ଯେଉଁପରି କୁଟାର ପଟି ଆବଶ୍ୟକ, ବ୍ୟାଗ୍‌ (Bag) ପାଇଁ ମଧ୍ୟ ଠିକ୍‌ ସେହିପରି ପଟି ଆବଶ୍ୟକ ହେବ । ପ୍ରଥମେ ବ୍ୟାଗ୍‌ (Bag)ଟି ଯେତେ ବଡ଼ କରିବାକୁ ଇଚ୍ଛା କରିବ, ତାହା ଅନୁମାନ କରି ବ୍ୟାଗ୍‌ ପାଇଁ ଯେତେ ପଟି ଆବଶ୍ୟକ ହେବ, ତାହା ବୁଣି ନେବ । ପଟିଗୁଡ଼ିକୁ ଦୁଇଭାଗ କରି ଏକଭାଗ ରଙ୍ଗାଇ ଦେବ । ଆଉ ଏକଭାଗ ସାଧା ରଖିବ ।

 

ତାଳପତ୍ର ରଙ୍ଗାଇବାର ପ୍ରଣାଳୀ ପୂର୍ବେ ୧୨ ଠାରୁ ୧୪ ପୃଷ୍ଠାମାନଙ୍କରେ ବର୍ଣ୍ଣିତ ହୋଇ ଅଛି । ଏହାକୁ ମଧ୍ୟ ଠିକ ସେହି ପ୍ରଣାଳୀରେ ରଙ୍ଗ କରିବ । ବ୍ୟାଗ୍‌ ପାଇଁ ଶାଗୁଆ ରଙ୍ଗ ସୁନ୍ଦର ହେବ । Royal green L.C. ବା Mel Kait Green ମାର୍କା ଗ୍ରୀନ୍‌ ରଙ୍ଗରେ ଏହାକୁ ରଙ୍ଗ କରିବ ।

 

ବ୍ୟାଗ୍‌ (Bag) ଟି ଯେତେ ଚୌଡ଼ାର କରିବ, ସେହି ଚୌଡ଼ା ଏବଂ ଯେତେ ଲମ୍ୱା କରିବାକୁ ଇଚ୍ଛା କର ତାହାଠାରୁ କିଛି ଅଧିକ ଲମ୍ୱା ଖଣ୍ଡିଏ ପଟା ନେବ, କିମ୍ୱା ଖଣ୍ଡିଏ ଫରମା ତିଆରି କରାଇବ । ବ୍ୟାଗ୍‌ଟି ଯେଉଁ ମାପରେ କରିବ, ପଟା ବା ଫରମାରେ ସେହି ମାପର ଦାଗ ଦେଇ ତହିଁର ଦୁଇ ପାଖରେ ଗୋଟିକେତେ କଣ୍ଟା ବସାଇ ଦେବ । ସେହି କଣ୍ଟାଗୁଡ଼ିକ ଉପରେ ଖଣ୍ଡିଏ ଡୋର ବାନ୍ଧି ଦେବ ।

Image

(୧ ନମ୍ବର ଚିତ୍ର)

ପଟା ବା ଫରମାର ଏକପାଖରେ ଏବଂ ବନ୍ଧା ହୋଇଥିବା ଡୋରଟିର ଗୋଟିଏ ମୁଣ୍ଡରେ ଶାଗୁଆ ରଙ୍ଗର ପଟିର ଏକ ପ୍ରାନ୍ତକୁ ବାନ୍ଧିଦେବ ଏବଂ ତାହାକୁ ପଟା ବା ଫରମାଟିର ତଳେ ବୁଲାଇ ଅନ୍ୟ ପାଖର ଡୋର ପର୍ଯ୍ୟନ୍ତ ନେବ । ସେଠାରେ ଡୋର ଉପରେ ପଟିଟିକୁ ଥରେ ଗୁଡ଼ାଇ ଦେଇ ପୁଣି ଫେରାଇ ଆଣିବ । ଏ ପାଖରେ ଆଣି ଆଉ ଥରେ ସେହି ଡୋରରେ ଗୁଡ଼ାଇ ପୁଣି ଆର ପାଖକୁ ଫେରାଇ ନେବ ଏବଂ ଆର ପାଖରେ ପୁଣି ଡୋରରେ ଗୁଡ଼ାଇ ଏପାଖକୁ ଆଣିବ । ୧ ନମ୍ୱର ଚିତ୍ର ଦେଖ ।

 

ଏହିପରି ବୁଲାଇ ବୁଲାଇ ପଟାଟି ବା ଫରମାଖଣ୍ଡିକରେ ପଟି ଗୁଡ଼ା ହୋଇଥିବା ଅଂଶ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇଯିବା ପର୍ଯ୍ୟନ୍ତ ଯେତେ ଥର ସେହି ପଟିକୁ ପୂର୍ବ ପରି ବୁଲାଇବାର ଆବଶ୍ୟକ ହେବ, ସେତେ ଥର ବୁଲାଇ ବୁଲାଇ ତାହାକୁ ସମ୍ପୂର୍ଣ୍ଣ ଘୋଡ଼ାଇ ଦେବ । ଏହା ବୁଣିବା ବେଳେ ଟାଣିର କାର୍ଯ୍ୟ କରିବ । ଏହିପରି କରିବାରେ ପଟାର ବା ଫରମାର ବଡ଼ ବଡ଼ ଦୁଇଗୋଟି ପାଖ ପୂର୍ଣ୍ଣ ହୋଇଯିବ, ମାତ୍ର ଛୋଟ ଛୋଟ ଦୁଇଗୋଟି ପାଖ ବାକି ରହିବ । ସେହି ଦୁଇପାଖ ପୂର୍ଣ୍ଣ କରିବାପାଇଁ ପୁଣି ସେହି ଶାଗୁଆ ପଟିକୁ ସେହି ଛୋଟ ଦୁଇପାଖ ମଧ୍ୟରୁ ଗୋଟିଏ ପାଖର ଡୋରରେ ବାନ୍ଧି ଆର ପାଖକୁ ଏବଂ ସେ ପାଖରୁ ଫେରାଇ ଆଣି ପୂର୍ବ ପରି ଏ ଦୁଇ ପାଖକୁ ମଧ୍ୟ ଘୋଡ଼ାଇବାକୁ ପଡ଼ିବ ।

 

ଏହି ଦୁଇ ପାଖକୁ ଘୋଡ଼ାଇବା ପାଇଁ ପଟିଟିକୁ ଏ ପାଖରୁ ଅନ୍ୟ ପାଖକୁ ଏବଂ ଅନ୍ୟ ପାଖରୁ ଏ ପାଖକୁ ନେବା ଆଣିବା ସମୟରେ ପଟାର ବା ଫରମାର ତଳେ ଆଗରୁ ବସାଯାଇଥିବା ପଟିଗୁଡ଼ିକରେ ତାହାକୁ ସରଳ ବୁଣା ପ୍ରଣାଳୀରେ ବୁଣି ବୁଣି ନେଉଥିବ । ସେହି ବାକି ଦୁଇ ପାଖ ପୂର୍ଣ୍ଣ ହେବା ବେଳକୁ ପଟା ବା ଫରମା ତଳେ ତଳ ଅଂଶଟି ସରଳ ବୁଣା ପ୍ରଣାଳୀରେ ବୁଣା ହୋଇ ଯାଇଥିବ ।

Image

(୨ ନମ୍ବର ଚିତ୍ର)

ଏଥର ବ୍ୟାଗ୍‌ଟିର ତଳା ବାଦ୍‌ ଅବଶିଷ୍ଟ ଅଂଶ ବୁଣିବା ଆବଶ୍ୟକ । ତାହା କେବଳ ଶାଗୁଆ ରଙ୍ଗର ପଟି ଅଟେ । ତହିଁରେ ସାଧା ପଟି ବୁଣିଦେଲେ ସୁନ୍ଦର ହେବ ।

 

ସାଧା ପଟିକୁ ଫରମାର ବାମ ପାଖ କୋଣରେ ଲଗାଇ ବୁଣିବାକୁ ଆରମ୍ଭ କରିବ । ୨ ନମ୍ୱର ଚିତ୍ର ଦେଖ ।

Image

(୩ ନମ୍ବର ଚିତ୍ର)

ତାଳପତ୍ରର ଚଟେଇ ବୁଣିବାରେ ଯେତେ ପ୍ରକାର ପ୍ରଣାଳୀ ୨୪ ଠାରୁ ୩୦ ପୃଷ୍ଠାରେ ବର୍ଣ୍ଣିତ ହୋଇଅଛି, ତହିଁ ମଧ୍ୟରୁ ଯେ କୌଣସି ପ୍ରଣାଳୀରେ ଏହାକୁ ବୁଣି ପାରିବ । ପାର୍ଶ୍ୱର ଚିତ୍ରରେ ବ୍ୟାଗ୍‌ (Bag)ଟି ଡାଇମଣ୍ଡ୍‌ ବୁଣା ପ୍ରଣାଳୀରେ ବୁଣା ଯାଇଅଛି । ୩ ନମ୍ୱର ଚିତ୍ର ଦେଖ ।

 

ବୁଣା ଶେଷ ହେଲେ ବ୍ୟାଗ୍‌ଟି ଫରମାରୁ ଖସାଇ ନେଇ ତହିଁର ମୁହଁରେ ୩ ନମ୍ୱର ଚିତ୍ର ପରି ଦୁଇ ପାଖରେ ଦୁଇଟି ହତା ଲଗାଇ ଦେବ । ହତାରେ ଏବଂ ବ୍ୟାଗ୍‌ର ମୁହଁରେ ଖଣ୍ଡିଏ ପଟି ଉତ୍ତମରୂପେ ଗୁଡ଼ାଇ ଦେଲେ ତାହା ଦେଖିବାକୁ ସୁନ୍ଦର ହେବ ।

•••

 

କୁଟାର ଡାଲା ଓ ପେଡ଼ି

 

କୁଟାରେ ଡାଲା, ପେଡ଼ି, ଚାଙ୍ଗୁଡ଼ି ଓ ବାକ୍ସ ପ୍ରଭୃତି ମଧ୍ୟ ବୁଣାଯାଇ ପାରେ ।

 

ଏହି ସବୁ ବୁଣିବା ପାଇଁ ପୂର୍ବେ ତାଳପତ୍ରର ଚରାରେ ବୁଣିବାର ଯେଉଁ ପ୍ରଣାଳୀ ବର୍ଣ୍ଣିତ ହୋଇଅଛି, ବହୁ ପରିମାଣରେ ସେହି ପ୍ରଣାଳୀରେ ବୁଣିବାକୁ ହେବ । ସେହିପରି ଚରା ନେଇ ଚରା ଉପରେ ମଞ୍ଜକୁଟା ଗୁଡ଼ାଇ ଗୁଡ଼ାଇ ବୁଣିଯିବ । ମାତ୍ର ଏଥିପାଇଁ ଚରାଗୁଡ଼ିକ ମୋଟା କରିବାକୁ ହେବ ଏବଂ ପ୍ରତିଥର କୁଟାକୁ ଚରାଉପରେ ଗୁଡ଼ାଇ ବୁଣିବାରେ ମଧ୍ୟ ତାହାଠାରୁ କିଛି ପ୍ରଭେଦ ହେବ ।

 

କୁଟାର ଡାଲା ଓ ପାଛିଆ ଆଦି କରିବା ପାଇଁ ଜୂଣ, ପନାସି ବା ବୋବେଇ, ନଡ଼ିଆ ବାହୁଙ୍ଗାର ବା ତାଳ ବାହୁଙ୍ଗାର ଅନ୍ତି ଆଣି ଚରା ତିଆରି କରିବ । ତାହାହେଲେ ଏଥିରେ ଯେଉଁ ପଦାର୍ଥ ବୁଣିବ, ତାହା ଶକ୍ତ ଓ ସୁନ୍ଦର ହେବ ।

 

କୁଟାଗୁଡ଼ିଏ ଆଣି ତହିଁରୁ ପତ୍ର ଓ ଖୋଳପା ଆଦି ଛଡ଼ାଇ ଦେଇ କେବଳ ମଞ୍ଜଗୁଡ଼ିକ ସଫା କରି ରଖିବ । ଏହି ସଫା ମଞ୍ଜଦ୍ୱାରା ବୁଣିବାକୁ ହେବ ।

 

କେତେଗୁଡ଼ିଏ ଚରା ନେଇ ତହିଁ ଉପରେ ମଞ୍ଜ ଶୀଷା କୁଟା ଗୁଡ଼ାଇବ । କୁଟା ଗୁଡ଼ାଇବା ବେଳେ ତାହାକୁ ବରାବର ପାଣିରେ ଓଦା କରି ନେଉଥିବ । ତାହା ନ କଲେ କୁଟା ଭାଙ୍ଗିଯିବ । ଗୁଡ଼ାଇବା ବେଳେ କୁଟାଟି ସମାନ ଭାବରେ ଚରା ଉପରେ ଗୁଡ଼ାଇ ହୋଇ ବସି ଯାଉଅଛି, ଏଥିପ୍ରତି ଦୃଷ୍ଟି ରଖିଥିବ । କୌଣସିଠାରେ ମୋଡ଼ି ହେବ ନାହିଁ କିମ୍ୱା ତହିଁରେ ଭାଙ୍ଗ ପଡ଼ିବ ନାହିଁ । ବୁଣିବା ସମୟରେ ନିକଟରେ ଗୋଟିଏ ପାତ୍ରରେ ପାଣି ରଖିଥିବ । ବରାବର ପାଣିହାତ କରୁଥିବ । ବୁଣିବା କୁଟାଟିକୁ ପାଣିରେ ବୁଡ଼ାଇ ନେଉଥିବ । ଆବଶ୍ୟକ ହେଲେ ଚରାରେ ମଧ୍ୟ ସମୟ ସମୟରେ କିଛି ପାଣି ଛିଞ୍ଚି ଦେଇ ତାହାକୁ ତିନ୍ତାଇ ନରମ କରି ଦେଉଥିବ ।

Image

(୧ ନମ୍ବର ଚିତ୍ର)

ଚରା ଉପରେ ୨ ଇଞ୍ଚ ବା ୩ ଇଞ୍ଚ ଅଥବା ବୁଣିବା ପଦାର୍ଥ ପାଇଁ ଯେତିକି ଦରକାର, ସେହି ବିବେଚନାରେ ତହିଁରୁ କିଛି ବେଶି ଲମ୍ୱା ପର୍ଯ୍ୟନ୍ତ କୁଟା ଗୁଡ଼ାଇ ସାରିଲେ ଗୁଡ଼ା ହୋଇଥିବା ଅଂଶକୁ ମୋଡ଼ିଦେବ । ପଦାର୍ଥଟି ଗୋଲ କରିବାର ଥିଲେ ତାହାକୁ ଗୋଲ କରି ମୋଡ଼ିବ । ୧ ନମ୍ୱର ଚିତ୍ର ଦେଖ । ଲମ୍ୱଡ଼ା ବା ଚାରିକୋଣିଆ କରିବାର ଥିଲେ ତାହାକୁ କେବଳ ଲମ୍ୱରେ ୨ ଭାଙ୍ଗ କରି ମୋଡ଼ିବ । ତାହା ପରେ ଥରେ ବା ଦୁଇଥର ଖାଲି ଚରା ଉପରେ କୁଟା ଗୁଡ଼ାଇ ଦେଇ ସେହି ଅଂଶକୁ ପୂର୍ବରୁ କୁଟା ଗୁଡ଼ା ହୋଇଥିବା ଅଂଶ ଉପରେ ଏକାଠି ମିଶାଇ ଧରିବ । ଗୁଡ଼ାଉଥିବା କୁଟାଟିକୁ ବୁଲାଇ ଆଣି ତାହାକୁ ଗୋଟିଏ ବଡ଼ ଛୁଞ୍ଚି ବା ଡାମ୍ଫଣରେ ଲଗାଇ ଦେବ ଏବଂ ଗୁଡ଼ା ହୋଇଥିବା ଅଂଶ ଉପରେ ତାହାକୁ ରଖି ଗୁଡ଼ାହୋଇଥିବା ଅଂଶରୁ ଅତି ଅଳ୍ପ ଅଂଶରେ ଛୁଞ୍ଚି ଦ୍ୱାରା ଫୋଡ଼ି ତହିଁରେ କୁଟାଟି ପୂରାଇ କୁଟାଟିକୁ ଟାଣି ନେବ । କୁଟାଟି ଭିଡ଼ି ହୋଇଗଲେ ତାହାକୁ କେବଳ ଚରା ଉପରେ ପୁଣି ଦୁଇଥର ଗୁଡ଼ାଇବ । ତାହା ପରେ ପୁଣି ଗୁଡ଼ା ହୋଇଥିବା ଅଂଶର ଉପରୁ କିଛି ଅଂଶରେ ଛୁଞ୍ଚି ଦ୍ୱାରା ଫୁଟାଇ କୁଟାକୁ ଟାଣିନେଇ ଭିଡ଼ି ଦେବ । ତାହା ପରେ ପୁଣି ଚରା ଉପରେ ଦୁଇଥର ଗୁଡ଼ାଇବ । ପୁଣି ଗୁଡ଼ା ହୋଇଥିବା ଅଂଶରେ ଫୁଟାଇବ । ଏହିପରି କ୍ରମାଗତ ଚରା ଉପରେ କୁଟାଟିକୁ ଗୁଡ଼ାଇ ଗୁଡ଼ାଇ ଓ ପ୍ରତି ଦୁଇଥର ପରେ ଥରେ ଲେଖାଏଁ ଗୁଡ଼ା ହୋଇଥିବା ଅଂଶର ଉପରେ ଛୁଞ୍ଚି ବା ଡାମ୍ଫଣ ଫୁଟାଇ ବୁଣିଯିବ ।

Image

(୨ ନମ୍ବର ଚିତ୍ର)

(୩ ନମ୍ବର ଚିତ୍ର)

ଏହିପରି କ୍ରମାଗତ ବୁଣି ଯେଉଁ ଆକାରର ପଦାର୍ଥ କରିବାକୁ ଇଚ୍ଛା କରିବ, ସେହି ଆକାରର ପଦାର୍ଥ କରି ପାରିବ । ପାର୍ଶ୍ୱର ୨ ନମ୍ୱର ଓ ୩ ନମ୍ୱର ଚିତ୍ରରେ ଲମ୍ୱଡ଼ା ଏବଂ ଚାରିକୋଣିଆ ପଦାର୍ଥ ବୁଣିବା କାମର ଆରମ୍ଭ ପ୍ରଣାଳୀ ଦେଖାଇ ଦିଆ ଯାଇଅଛି ।

Image

(୪ ନମ୍ବର ଚିତ୍ର)

(୫ ନମ୍ବର ଚିତ୍ର)

ଏଣିକି ଯେଉଁ ଆକାରରେ କରିବ, ବୁଣିବା ସମୟରେ ସେହି ଆକାରକୁ ଦୃଷ୍ଟି ରଖି ବୁଣିଯିବ । ୪ ନମ୍ୱର ଏବଂ ୫ ନମ୍ୱର ଚିତ୍ରରେ ଗୋଲ ଆକାରର ପଦାର୍ଥ ଦେଖାଇ ଦିଆ ଯାଇଅଛି-। ତାଳପତ୍ରରେ ଚରା ବୁଣା ପ୍ରଣାଳୀ ଓ କୁଟାରେ ଚରା ବୁଣା ପ୍ରଣାଳୀ ମଧ୍ୟରେ ପ୍ରଭେଦ ଏତିକି ଯେ, ତାଳପତ୍ର ଖଣ୍ଡି ଥରେ ଖାଲି ଚରାରେ ଗୁଡ଼ାଇ, ଥରେ ସମ୍ପୂର୍ଣ୍ଣ ବୁଣା ଅଂଶ ଓ ଚରା, ଦୁହିଁଙ୍କୁ ମିଶାଇ ତହିଁ ଉପରେ ଗୁଡ଼ାଇବାକୁ ହୁଏ । ଏଥିରେ ବୁଣା ଅଂଶର ଅତି ଅଳ୍ପ ଅଂଶରେ ଥରେ ଡାମ୍ଫଣ ଫୁଟାଇ କୁଟାଟି ପୁରାଇ ଭିଡ଼ି ଦେବାକୁ ପଡ଼େ ଏବଂ ଚରା ଉପରେ ଦୁଇଥର କରି ଗୁଡ଼ାଇବାକୁ ପଡ଼େ ।

•••

 

ବୋବେଇ

 

ବୋବେଇ ଏକପ୍ରକାର ଘାସ । ଏହା ଜଙ୍ଗଲମାନଙ୍କରେ ଯଥେଷ୍ଟ ପରିମାଣରେ ଜନ୍ମେ । ଏହାକୁ କେହି କେହି ପନାସି କହନ୍ତି ଏବଂ କେହି କେହି ବୋବେଇ କହନ୍ତି । ସହରମାନଙ୍କରେ ଏହା ସେବାଇ ଘାସ ନାମରେ ପରିଚିତ । ଏହି ଘାସ କାଗଜ ତିଆରି ନିମନ୍ତେ ବହୁତ ବ୍ୟବହୃତ ହୁଏ; ତେଣୁ ବହୁପରିମାଣରେ ଏହି ଘାସ ଓଡ଼ିଶାରୁ କାଗଜକଳମାନଙ୍କୁ ରପ୍ତାନି ହୋଇ ଯାଏ । ପୁରୀ ଜିଲ୍ଲାର ଖୋର୍ଦ୍ଧା ଅଞ୍ଚଳରେ, କଟକ ଜିଲ୍ଲାର ଟାଙ୍ଗି, ଦର୍ପଣ ଆଦି ଅଞ୍ଚଳରେ, ବାଲେଶ୍ୱର ଜିଲ୍ଲାର କେତେକ ସ୍ଥାନରେ, ଅନୁଗୋଳରେ ଏବଂ ଓଡ଼ିଶାର ଗଡ଼ଜାତମାନଙ୍କରେ ଏହି ଘାସ ବହୁ ପରିମାଣରେ ଜନ୍ମେ ।

 

ଯେଉଁ ଅଞ୍ଚଳରେ ଏହି ଘାସ ଅଧିକ ପରିମାଣରେ ଜନ୍ମେ, ସେ ଅଞ୍ଚଳର ଲୋକେ ଏହି ଘାସରେ ଦଉଡ଼ି ବଳି ତହିଁରେ ଘରର ଚାଳ ଓ ବାଡ଼ିତିଆଡ଼ି କାନ୍ଥବନ୍ଧା, ବାଡ଼ବୁଜା ଏବଂ ଅନ୍ୟାନ୍ୟ କାର୍ଯ୍ୟରେ ଏହି ଦଉଡ଼ିକୁ ବ୍ୟବହାର କରନ୍ତି । ବୋବେଇ ଦଉଡ଼ିରେ ଶୋଇବାର ଖଟିଆ ମଧ୍ୟ ବୁଣାଯାଏ । ସମ୍ୱଲପୁରରେ ବର୍ତ୍ତମାନ ଗୋଟିଏ କାଗଜକଳ ବସିଲାଣି । ସେ ଅଞ୍ଚଳର ଅନେକ ବୋବେଇ ଘାସ ଏଣିକି ଏହି କାରଖାନାରେ ଖରଚ ହୋଇ ପାରିବ ।

•••

 

ବୋବେଇ ପାଁପୋଛ୍‌

Image

(୧ ନମ୍ବର ଚିତ୍ର)

ଏହି ଘାସଦ୍ୱାରା ପାଁପୋଛ ହୋଇ ପାରିବ । ସେଥିପାଇଁ ପ୍ରଥମେ କୁଟାଦ୍ୱାରା ବେଣୀ କଲା ପରି ଏହି ଘାସଦ୍ୱାରା ଗୋଟିଏ ଖୁବ ଲମ୍ୱ ବେଣୀ ବଳିବ । ବେଣୀଟି ଯେପରି ସବୁ ସ୍ଥାନରେ ସମାନ ହେବ, ତତ୍‌ପ୍ରତି ଦୃଷ୍ଟି ରଖିବ । କୁଟାର ବେଣୀଦ୍ୱାରା ପାଁପୋଛ୍‌ ତିଆରି କରିବାର ଯେଉଁ ପ୍ରଣାଳୀ ପୂର୍ବେ ବର୍ଣ୍ଣିତ ହୋଇଅଛି, ଠିକ୍‌ ସେହି ପ୍ରଣାଳୀରେ ବୋବେଇ ବେଣୀରେ ପାଁପୋଛ୍‌ ପ୍ରସ୍ତୁତ କରିବ । ବୋବେଇ ପାଁପୋଛ୍‌ କୁଟାର ପାଁପୋଛ୍‌ ଅପେକ୍ଷା ଅଧିକ ଶକ୍ତ, ସୁନ୍ଦର ଏବଂ ଅଧିକ ଦିନ ସ୍ଥାୟୀ ହେବ । ୧ ନମ୍ୱର ଚିତ୍ର ଦେଖ ।

 

ବୋବେଇ ଦଉଡ଼ିଦ୍ୱାରା ଆହୁରି ମଧ୍ୟ ଗୋଲ, ଚାରିକୋଣିଆ, ଆଠକୋଣିଆ, ଲମ୍ୱଡ଼ା, ତିକୋଣିଆ ଏହିପରି ନାନା ଆକୃତିର ପାଁପୋଛ୍‌ ଓ ଆହୁରି ଅନେକ ପ୍ରକାରର ପଦାର୍ଥ କରାଯାଇ ପାରେ । ସାଧାରଣତଃ ବୋବେଇ ଦଉଡ଼ିରେ କେତେଗୁଡ଼ିଏ ଖୁଣ୍ଟି ଉଠିଥାଏ । ସେହି ଖୁଣ୍ଟିଗୁଡ଼ିକ ସଫା କରିଦେଲେ ଦଉଡ଼ିଟି ଅତି ସୁନ୍ଦର ହୁଏ ଓ ସେହି ଦଉଡ଼ିଦ୍ୱାରା ଯେଉଁ ପଦାର୍ଥ ନିର୍ମାଣ କରିବ ତାହା ମଧ୍ୟ ସୁନ୍ଦର ଦେଖାଯିବ ।

Image

(୨ ନମ୍ବର ଚିତ୍ର)

ଖୁଣ୍ଟିଗୁଡ଼ିକ ସଫା କରିବା ନିମନ୍ତେ ବୋବେଇ ଦଉଡ଼ି ବଳିସାରି ତାହାକୁ ପାକଳ କରି ଦଉଡ଼ିର ଦୁଇ ମୁଣ୍ଡକୁ ଦୁଇ ଗୋଟି ଖୁଣ୍ଟ ବା ଚାଳରେ ବାନ୍ଧି ଦେବ; ଯେପରି ତାହା ଟାଣି ହୋଇ ରହିବ ଏବଂ ସମ୍ପୂର୍ଣ୍ଣ ଖରା ଖାଇ ପାରିବ । ଉତ୍ତମରୂପେ ଖରାରେ ଶୁଖିଗଲେ ରେକାଏ କୁଟା ବା ବୋବେଇ ଘାସ କିମ୍ବା ନଡ଼ିଆକତାକୁ ସେ ଦଉଡ଼ି ଉପରେ ବୁଲାଇ ମୋଡ଼ି କରି ଧରି ୨ନମ୍ବର ଚିତ୍ର ପରି ତହିଁରେ ଦଉଡ଼ିକୁ ବେଶ ଜୋର୍‌ କରି ବାରଂବାର ଘଷି ଘଷି ମାଜି ଦେବ । ତାହାହେଲେ ଖୁଣ୍ଟିଗୁଡ଼ିକ ସବୁ ଭାଙ୍ଗିଯାଇ ଝଡ଼ି ପଡ଼ିବ ଏବଂ ଦଉଡ଼ିଟି ସଫା ଓ ଚିକ୍କଣ ହୋଇଯିବ ।

•••

 

ବୋବେଇ ଦଉଡ଼ିର ବାକ୍ସ

 

କୌଣସି ପ୍ରକାର ବାଜେ କାଠ ବା କିରାସିନି ବାକସର ପଟାକୁ ମାପ ମୁତାବକ କାଟି ପଟା ମାନଙ୍କରେ କଣ୍ଟା ମାରି ଗୋଟିଏ ସାଧାରଣ ବାକ୍ସ ବା ସୁଟକେଶ୍‌ ତିଆରି କରିବ । ତହିଁ ଉପରେ କୌଣସି ପ୍ରକାର ଅଠା ଦେଇ ବୋବେଇ ଦଉଡ଼ିକୁ ବାକ୍ସର ଚାରି ପାଖେ ପରସ୍ପରକୁ ଲଗାଇ କରି ବସାଇ ଦେବ । ଚାରି ପାଖରେ ଦଉଡ଼ି ବସାଇବା ବେଳେ ଖୁବ୍‌ ଭିଡ଼ି କରି ବସାଉଥିବ-। ବାକ୍ସ ଉପରର ଡାଲାରେ କୌଣସି ପ୍ରକାର ଚିତ୍ର କରିବାକୁ ଇଚ୍ଛା କଲେ ସେହି ଚିତ୍ର ଅନୁସାରେ ଦଉଡ଼ିକୁ ଅଠାରେ ବସାଇବ । ତାହା ପରେ ତାହାକୁ ଖରାରେ ଶୁଖାଇ ଦେବ । ୩ ନମ୍ବର ଚିତ୍ର ଦେଖ ।

Image

(୩ ନମ୍ବର ଚିତ୍ର)

ଶୁଖିଗଲେ ତହିଁଉପରେ ଶିରିଷ କାଗଜ ଘସି ଚିକ୍କଣ କରିଦେବ । ଶେଷକୁ ତିଶି ତେଲ ସହିତ ଚକୋଲେଟ୍‌ ରଙ୍ଗ ବା ଅନ୍ୟ ଯେ କୌଣସି ରଙ୍ଗ ମିଶାଇ ଏହାକୁ ରଙ୍ଗାଇ ଦେଲେ ତହିଁ ଉପରେ ପାଣି ପଡ଼ିଲେ ମଧ୍ୟ କୌଣସି କ୍ଷତି ହେବ ନାହିଁ ।

 

ଏପରି ପଦାର୍ଥ ଅନ୍ୟ ଯେ କୌଣସି ତେଲ-ରଙ୍ଗରେ ମଧ୍ୟ ଇଚ୍ଛାନୁସାରେ ନାନାପ୍ରକାର ରଙ୍ଗାଯାଇ ପାରିବ ।

 

ବାଉଁଶରେ ବା ବାଜେ କାଠରେ ୪ଟି ଲେଖାଏଁ ଗୋଡ଼ କରି ଏବଂ ତହିଁ ଉପରେ କିରାସିନ୍‌ପଟାର ତକ୍ତା ଖଣ୍ଡିଏ ଲେଖାଏଁ ବସାଇ ଛୋଟ ଛୋଟ ଟେବୁଲ୍‌ ତିଆରି କରି ପାରିବ । ଗୋଡ଼ ଗୁଡ଼ିକରେ ଅଠା ବୋଳି ବୋବେଇ ଦଉଡ଼ି ଗୁଡ଼ାଇ ଦେବ ଏବଂ ତକ୍ତା ଉପରେ ଅଠା ବୋଳି ଦଉଡ଼ିକୁ ଲଗାଲଗି କରି ତକ୍ତା ଉପରେ ପାରି ଦେବ । ତା ପରେ ଉକ୍ତ ଟେବୁଲ୍‌କୁ ଖରାରେ ଶୁଖାଇ ଶିରିଷକାଗଜ ଘସି ପାଲିସ୍‌ କରିବ; ତହିଁରେ ତେଲରଙ୍ଗ (ଅଏଲ୍‌କଲର୍‌) ଦେଇ ତାହାକୁ ରଙ୍ଗାଇ ଦେବ । ତାହାହେଲେ ସୁନ୍ଦର ଟେବୁଲ୍‌ ହୋଇ ପାରିବ ।

Image

 

ବାଉଁଶରେ ବା ବାଜେ କାଠର ଚଉକି, ସୋଫା, କାଉଚ୍‌ ପ୍ରଭୃତିର କେବଳ ଫରମା ଗୋଟିଏ ଲେଖାଏଁ ପ୍ରସ୍ତୁତ କରାଇ ନେବ । ତହିଁର ଗୋଡ଼, ଦଣ୍ଡା ଓ ଅନ୍ୟ ଯେଉଁ ଅଂଶ ସବୁ ସରଳ ଥିବ, ସେହି ଅଂଶମାନଙ୍କରେ ବୋବେଇ ଦଉଡ଼ିକୁ ଚିକ୍କଣ କରି ଗୁଡ଼ାଇ ଦେବ; ଦେଖିବ ଦଉଡ଼ି ମଝିରେ ଫାଙ୍କ ନ ରହେ । ସ୍ଥାନେ ସ୍ଥାନେ ଗଣ୍ଠି ରହିଲା ପରି ଗୁଡ଼ିଆ ହୋଇଥିବା ଦଉଡ଼ିକୁ ଉଚ୍ଚ କରି ତହିଁ ଉପରେ ଭିନ୍ନ ଭିନ୍ନ ପ୍ରକାରର ମୁଠିଆ ବସାଇଲେ ଆହୁରି ସୁନ୍ଦର ହେବ ।

 

ଦଉଡ଼ି ଗୁଡ଼ିଆ ହୋଇଥିବା ଅଂଶମାନଙ୍କ ଛଡ଼ା ଅନ୍ୟ ଅଂଶମାନଙ୍କରେ ବେତର ଅନ୍ତି କିମ୍ବା ବାଉଁଶ ପାତିଆ ଖଞ୍ଜି ତହିଁ ଉପରେ ବୋବେଇ ଦଉଡ଼ି ବୁଣିଲେ ଅତି ସୁନ୍ଦର ହେବ । ପାର୍ଶ୍ଵରେ ଗୋଟିଏ କାଉଚ୍‌ର ଚିତ୍ର ଦିଆଗଲା । ଏହାର ଫରମାଟି କେବଳ ବାଉଁଶରେ ତିଆରି କରା ଯାଇଅଛି ଏବଂ ତହିଁର ଗୋଟାକଯାକରେ ବାଉଁଶପାତିଆ ଖଞ୍ଜା ହୋଇ ତହିଁରେ ବୋବେଇ ଦଉଡ଼ି ବୁଣା ଯାଇଅଛି ।

•••

 

ଖଟିଆ ବୁଣା

 

ଶୋଇବା ପାଇଁ ସାଧାରଣ ଖଟ ବୋବେଇ ଦଉଡ଼ିରେ ବୁଣା ହୁଏ । ଦଉଡ଼ିରେ ଯେଉଁ ଖଟ ବୁଣାଯାଏ ତାହାକୁ ସାଧାରଣତଃ ଦଉଡ଼ିବୁଣା ଖଟ ବା ଖଟିଆ କହନ୍ତି । ଏପରି ଖଟିଆ ଅଳ୍ପ ବ୍ୟୟରେ ତିଆରି କରାଯାଇ ପାରେ । ଏହା ବିଶେଷ ବ୍ୟବହାର ଉପଯାଗୀ । ଅନୁଗୁଳ, କନ୍ଧମାଳ ଏବଂ ଗଡ଼ଜାତମାନଙ୍କରେ ଏରୂପ ଖଟିଆର ବହୁଳ ବ୍ୟବହାର ଅଛି ।

 

ଆମ ଦେଶରେ ଅନେକ ସନ୍ତସନ୍ତିଆ ସ୍ଥାନ ଅଛି । ସେଠାରେ ଲୋକଙ୍କର ଭୂଁଇରେ ଶୋଇବା ଯୋଗୁ ଅନେକଙ୍କର ସ୍ୱାସ୍ଥ୍ୟ ନଷ୍ଟ ହୁଏ । ବିଶେଷତଃ ବର୍ଷାକାଳରେ ସନ୍ତସନ୍ତିଆ ଜାଗାରେ ଶୋଇ ଅନେକେ ମାଲେରିଆ ପ୍ରଭୃତି ନାନା ପ୍ରକାର ରୋଗରେ ଆକ୍ରାନ୍ତ ହୁଅନ୍ତି । ଏହି ପ୍ରକାର ଅଳ୍ପ ବ୍ୟୟରେ ତିଆରି ଖଟିଆ ବ୍ୟବହାର କଲେ ସେହିସବୁ ଅଞ୍ଚଳ ଲୋକଙ୍କର ବିଶେଷ ଉପକାର ହୁଅନ୍ତା । ଯେଉଁଠାରେ ବୋବେଇ ଦଉଡ଼ି ମିଳେନାହିଁ, ସେଠାରେ ଝୋଟର ବାଣି ବଳି ସେହି ବାଣିରେ ଏପରି ଖଟିଆ ସହଜରେ ବୁଣା ହୋଇ ପାରିବ । ଯେ କୌଣସି ବାଜେ କାଠର ଗୋଡ଼ ଓ ଦଣ୍ଡାରେ ଖଣ୍ଡେ ଖଣ୍ଡେ ଖଟିଆ ଭିଡ଼ି ନେବା କଠିନ ନୁହେଁ । ଖଟିଆ ବୁଣିବା ଅତି ସହଜ । ତାହା ସମସ୍ତେ ସହଜରେ ଆପେ ଆପେ ବୁଣି ପାରିବେ । ବୁଣିବାର ପ୍ରଣାଳୀ ନିମ୍ନରେ ଦିଆଗଲା ।

 

ଏପରି ଖଟିଆ କରିବାପାଇଁ ପ୍ରଥମେ ଯେ କୌଣସି ଟାଣ କାଠରେ ୪ ଖଣ୍ଡ ପାହିଆ ବା ଗୋଡ଼ କରି ନେବ; ତହିଁରେ ୪ ଖଣ୍ଡ ଦଣ୍ଡା ଲଗାଇ ଖଟିଆର ଫରମା ତିଆରି କରିବ ।

Image

(୧ ନମ୍ବର ଚିତ୍ର)

୧ ନମ୍ବର ଚିତ୍ରରେ ଖଟିଆର ଫରମାର ଦଣ୍ଡାମାନ ୧, ୨, ୩ ଓ ୪ ଅଙ୍କ ଦ୍ୱାରା ଚିହ୍ନିତ କରା ଯାଇଅଛି । ୪ ଚିହ୍ନିତ ଦଣ୍ଡା ଠାରୁ ୮।୧୦ ଇଞ୍ଚ ଭିତିରଆଡ଼କୁ ୧ ଓ ୨ ଚିହ୍ନିତ ଦଣ୍ଡାରେ ଖଣ୍ଡିଏ ଡୋର ଖଟର ଆଡ଼ବାଗରେ ୮।୧୦ ଥର ଗୁଡ଼ାଇ ଭିଡ଼ି ଦେବ । ଏହି ଡୋରର ଉପରର ଓ ତଳର ଦୁଇକେରା ମଧ୍ୟରେ ଖଣ୍ଡିଏ କାଠି ପୂରାଇ ସେ କାଠିକୁ ମୋଡ଼ିଲେ ଡୋରଗୁଡ଼ିକ ବଳି ହୋଇ ଗୋଟିଏ ଶକ୍ତ ଦଉଡ଼ି ହୋଇଯିବ । ୧ ନମ୍ବର ଚିତ୍ର ଦେଖ । କାଠି ଖଣ୍ଡିକ ଡାହାଣରୁ ବାମକୁ ଘୁରାଇ କରି ମୋଡ଼ିବ । ଶେଷକୁ ସେହି କାଠିର ଏକ ପ୍ରାନ୍ତକୁ ୪ ଚିହ୍ନିତ ଦଣ୍ଡାତଳେ ଅଟକାଇ ଦେଲେ କାଠି ଖଣ୍ଡିକ ସେହିଠାରେ ଅଟକି ରହିବ ଏବଂ ଦଉଡ଼ିଟି ବରାବର ବଳି ହୋଇ ରହିଥିବ । ଏହି ବଳା ହୋଇଥିବା ଆଡ଼-ଦଉଡ଼ିଟି ଖଟିଆର ଗୋଟିଏ ପ୍ରଧାନ ଅଙ୍ଗ । ଚିତ୍ରରେ ଏହି ଦଉଡ଼ି ୫ ଅଙ୍କଦ୍ୱାରା ଚିହ୍ନିତ ହେଲା ଓ ୩ ଚିହ୍ନିତ ଦଣ୍ଡାର ଦୁଇ ମୁଣ୍ଡରେ ଦୁଇଗୋଟି କୋଣ କ ଓ ଖ ଅକ୍ଷର ଦ୍ୱାରା ଏବଂ ୫ ଚିହ୍ନିତ ଦଉଡ଼ିର ଦୁଇମୁଣ୍ଡର ଦୁଇଗୋଟି କୋଣ ଗ ଓ ଘ ଅକ୍ଷର ଦ୍ୱାରା ଚିହ୍ନିତ ହେଲା ।

 

ଯେଉଁ ଡୋରରେ ଖଟିଆ ବୁଣା ହେବ ସେହି ଡୋରକୁ ପ୍ରଥମେ ମାଜି ସଫା କରି କଣ୍ଡାରେ ସୂତା ଗୁଡ଼ା ହେବାପରି ଖଣ୍ଡିଏ କାଠିରେ ଗୁଡ଼ାଇ କରି ରଖିବ ।

 

ଡୋରର ଅବନ୍ଧା ଆଗକୁ ୫ ଚିହ୍ନିତ ଦଉଡ଼ିର ୧ ଚିହ୍ନିତ ଦଣ୍ଡା ସଂଲଗ୍ନ ପ୍ରାନ୍ତରେ ବାନ୍ଧି ଅଟକାଇ ଦେବ । ୧ ନମ୍ବର ଚିତ୍ରରେ ସେହି ଡୋର ଗ ଚିହ୍ନିତ କୋଣର ନିକଟବର୍ତ୍ତୀ ୫ ଚିହ୍ନିତ ଦଉଡ଼ିର ପ୍ରାନ୍ତରେ ବନ୍ଧା ଯାଇଅଛି ।

 

ଡୋର ଗୁଡ଼ିଆ ହୋଇଥିବା ବିଡ଼ାକୁ ୫ ଚିହ୍ନିତ ଦଉଡ଼ି ଓ ୪ ଚିହ୍ନିତ ଦଣ୍ଡାର ମଧ୍ୟବର୍ତ୍ତୀ ଭୂମିରେ ରଖିଦେବ । ବୁଣିବାବେଳେ ଡୋରଟି ଆପେ ଆପେ କାଠି ଦେହରୁ ଫିଟି ଯାଉଥିବ ।

 

ଡୋରକୁ ୨ ସରି କରି ଏକାଠି ନେଇ କ ଚିହ୍ନିତ କୋଣଠାରେ ୩ ଓ ୨ ଚିହ୍ନିତ ଦଣ୍ଡା ଉପରେ ବୁଲାଇ ନେଇ ସେହି କୋଣର ପାହିଆ ତଳେ ପୂରାଇ ସେହି ପାହିଆର ଭିତର ପାଖରେ ପାହିଆ ଦେହକୁ ଲଗାଇ ଡୋରକୁ ଭିଡ଼ି ଦେଲେ ଡୋରଟି ୩ ଓ ୨ ଚିହ୍ନିତ ଦଣ୍ଡାମାନଙ୍କର ଉପରେ ଭିଡ଼ି ହୋଇ ରହିଯିବ । ଏହିପରି ଥରକୁଥର, ତିନି ଥର ଡୋରକୁ ଦେଲେ କ ଓ ଗ ଚିହ୍ନିତ କୋଣ ଦୁଇଟି ମଧ୍ୟରେ ୬ ସରିଆ ଗୋଟିଏ ଧାଡ଼ି ବସିଯିବ ।

 

ତାହାପରେ ସେହି ଡୋରକୁ ଦୁଇ ପରସ୍ତ କରି ଆଣି ତାହାକୁ ୫ ଚିହ୍ନିତ ଦଉଡ଼ିରେ ବୁଲାଇ ନେଇ ପୂର୍ବର ସେହି ୬ ସରିଆ ଧାଡ଼ି ଉପରେ ଚଢ଼ାଇ ୧ ଚିହ୍ନିତ ଦଣ୍ଡାତଳେ ବୁଲାଇ ନେବ, ତା ପରେ ଡୋର ଦୁଇ ଖିଅକୁ ସେଠାରେ ଅଲଗା କରିଦେବ ଏବଂ ତାହାକୁ ଖ ଚିହ୍ନିତ କୋଣରେ ଥିବା ପାହିଆର ତଳେ ପୂରାଇ ଉପର ଆଡ଼କୁ ଉଠାଇଦେବ । ୩ ଓ ୨ ଚିହ୍ନିତ ଦଣ୍ଡା ଦୁଇଟି ଉପରେ ୬ ସରିଆ ଧାଡ଼ିରୁ ୧.୫ ଇଞ୍ଚ ଅନ୍ତରରେ ତହିଁର ବାମ ପାଖରେ ଆଉ ଗୋଟିଏ ଧାଡ଼ି ଆରମ୍ଭ କରିବ; ଡୋରଟିକୁ ଟାଣିବ ଏବଂ ଡୋର ଗୁଡ଼ିଆ ହୋଇଥିବା ବିଡ଼ାଟିକୁ ୨ ଚିହ୍ନିତ ଦଣ୍ଡା ତଳବାଟେ ନେଇ ଦଣ୍ଡାର ଉପରେ ଫେରାଇ ଆଣି ୬ ସରିଆ ଧାଡ଼ିର ଡାହାଣ ପାଖରେ ତାହାଠାରୁ ୧.୫ ଇଞ୍ଚ ଅନ୍ତରରେ ୨ ଚିହ୍ନିତ ଦଣ୍ଡା ଓ ୫ ଚିହ୍ନିତ ଦଉଡ଼ି ଉପରେ ଗୋଟିଏ ଧାଡ଼ି ଆରମ୍ଭ କରିବ । ଠିକ୍‌ ଏହିପରି ଆଉ ଦୁଇ ଥର ସେହି ଡୋରକୁ ବୁଲାଇ ନେଇ ଭିଡ଼ିଦେଲେ ମଝିର ୬ ସରିଆ ଧାଡ଼ିର ଦୁଇ ପାଖରେ ୩ ସରିଆ ଧାଡ଼ି ୨ ଗୋଟି ହୋଇଯିବ ଏବଂ କ ଓ ଗ ଚିହ୍ନିତ କୋଣ ଦୁଇଟିର ସମ୍ମୁଖରେ ୬ ସରିଆ ଧାଡ଼ିର ଦୁଇ ମୁଣ୍ଡରେ ତହିଁ ଉପରେ ତିନିସରିଆ ଧାଡ଼ିଟି ବସି ପ୍ରଥମ ଥର ବୁଣିବାର ଫାନ୍ଦ ପଡ଼ିଯିବ ।

 

ତାପରେ ଡୋରଟିକୁ ପୁଣି ଦୁଇସରି କରି ୫ ଚିହ୍ନିତ ଦଉଡ଼ି ଉପରେ ବୁଲାଇ ଡାହାଣ ପାଖର ୩ ସରିଆ ଧାଡ଼ି ଉପରେ ମଝିର ୬ ସରିଆ ଧାଡ଼ି ତଳେ ଓ ବାମ ପାଖର ୩ ସରିଆ ଧାଡ଼ି ଉପରେ ଚଢ଼ାଇ ୧ ଚିହ୍ନିତ ଦଣ୍ଡାର ତଳେ ନେଇ ସେଠାରେ ପୂର୍ବପରି ଡୋରର ୨ ଖିଅକୁ ଅଲଗା କରିଦେବ ଏବଂ ତାହାକୁ ଖ ଚିହ୍ନିତ କୋଣର ପାହିଆ ତଳେ ପୂରାଇ ଉପରକୁ ଉଠାଇ ୩ ଓ ୧ ଚିହ୍ନିତ ଦଣ୍ଡାମାନଙ୍କ ଉପରେ ବାମ ପାଖରେ ପୂର୍ବ ତିନି ସିରିଆ ଧାଡ଼ିର ବାମକୁ ଆଉ ଗୋଟିଏ ଧାଡ଼ି ବୁଣା ଆରମ୍ଭ କରିବ । ଠିକ୍‌ ପୂର୍ବଥର ପରି ଡୋରକୁ ଟାଣି ଏବଂ ଡୋର ବିଡ଼ାକୁ ୨ ଚିହ୍ନିତ ଦଣ୍ଡା ତଳେ ନେଇ ତାହାକୁ ଦଣ୍ଡା ଉପରେ ବୁଲାଇ ଆଣି ୨ ଚିହ୍ନିତ ବାହୁ ଓ ୫ ଚିହ୍ନିତ ଦଉଡ଼ି ଉପରେ ଡାହାଣ ପାଖରେ ପୂର୍ବର ତିନିସରିଆ ଧାଡ଼ିର ଡାହାଣରେ ୧.୫ ଇଞ୍ଚ ଅନ୍ତରରେ ବସାଇ ଦେଲେ ସେଠାରେ ମଧ୍ୟ ଆଉ ଗୋଟିଏ ଧାଡ଼ି ଆରମ୍ଭ ହୋଇଯିବ । ପୁଣି ଠିକ୍‌ ପୂର୍ବପରି ଦୁଇଥର ବୁଣିଲେ ଏହି ଦୁଇ ପାଖର ନୂତନ ଧାଡ଼ି ଦୁଇ ଗୋଟି ତିନିସରିଆ ହୋଇଯିବେ । ଗ ଚିହ୍ନିତ କୋଣ ଖ ଚିହ୍ନିତ କୋଣମାନଙ୍କରେ ଆଉ ଥରେ ଥରେ ଏହି ନୂତନ ତିନିସରିଆ ଧାଡ଼ିର ବୁଣା ଫାନ୍ଦ ବସିଯିବ । ପୂର୍ବଥର ବୁଣାରେ ପୂର୍ବର ଧାଡ଼ିଟି ଯେଉଁ ଧାଡ଼ିର ଉପରେ ପଡ଼ିଥିବ ଏଥରର ଏ ଧାଡ଼ି ତାହାର ତଳେ ଏବଂ ପୂର୍ବଥରର ଧାଡ଼ି ଯେଉଁ ଧାଡ଼ିର ତଳେ ପଡ଼ିଥିବ ଏଥରର ଏ ଧାଡ଼ି ତାହାର ଉପରେ ପଡ଼ିବ ।

 

ଠିକ୍‌ ପୂର୍ବପରି ବୁଣି ବୁଣି ଖ ଓ ଘ ଚିହ୍ନିତ କୋଣ ଦୁଇଟି ମଧ୍ୟରେ ଯେତେ ସ୍ଥାନ ଥିବ, ତହିଁ ମଧ୍ୟରେ ଯେତେଗୋଟି ତିନିସରିଆ ଧାଡ଼ି ହୋଇ ପାରିବ ତେତେଗୋଟି ତିନିସରିଆ ଧାଡ଼ି ବସାଇବ । ଏହି ଧାଡ଼ିଗୁଡ଼ିକ ପରସ୍ପରଠାରୁ ୧.୫ ଇଞ୍ଚ ଅନ୍ତରରେ ରହିବ । ଧାଡ଼ିର ସଂଖ୍ୟା ବୃଦ୍ଧି ହେବା ସଙ୍ଗେ ସଙ୍ଗେ କ ଓ ଗ ଚିହ୍ନିତ କୋଣ ଦୁଇଟିଠାରୁ ଦୁଇପାଖରୁ ମଝିଆଡ଼କୁ ସମାନ ଭାବରେ ଖଟିଆଟି ବୁଣି ହୋଇ ଯାଉଥିବ ।

Image

(୨ ନମ୍ବର ଚିତ୍ର)

ଶେଷକୁ ପୁଣି ପ୍ରଥମେ କ ଓ ଗ କୋଣ ମଧ୍ୟରେ ୬ ସରିଆ ଧାଡ଼ି ବସାଇଲା ପରି ଡୋରକୁ ନେଇ ଖ କୋଣରେ ପାହିଆ ତଳେ ପୂରାଇ ବୁଣା ଫାନ୍ଦ ମଧ୍ୟରେ ଦୁଇ ପାଖର ବୁଣାକୁ ଦୃଷ୍ଟି କରି ଘ କୋଣ ପର୍ଯ୍ୟନ୍ତ ଆଣି ତିନିଥର ସେହିପରି ଡୋରକୁ ବୁଣି ଦେଲେ ଖ ଓ ଘ କୋଣ ମଧ୍ୟରେ ଆଉ ଗୋଟିଏ ୬ ସରିଆ ଧାଡ଼ି ଗଠିତ ହୋଇଯିବ ଏବଂ ଖଟିଆଟିର ବୁଣା ସମ୍ପୂର୍ଣ୍ଣ ହେବ-। ୨ ନମ୍ବର ଚିତ୍ର ଦେଖ ।

 

୪ ଚିହ୍ନିତ ଦଣ୍ଡା ଓ ୫ ଚିହ୍ନିତ ଦଉଡ଼ିକୁ ଖଣ୍ଡିଏ କସ ଦଉଡ଼ିରେ ୨ ନମ୍ବର ଚିତ୍ର ପରି ଛନ୍ଦି ଭିଡ଼ି ଦେଲେ ଖଟିଆର ସମସ୍ତ ବୁଣା ଅଂଶ ଟାଣି ହୋଇ ସମତଳ ହୋଇଯିବ । ଖଟିଆରେ ଶୁଆ ବସା କରିବା ପରେ ଡୋରଗୁଡ଼ିକ ଯେବେ ହୁଗୁଳା ହୋଇ ଝୁଲି ପଡ଼େ ତେବେ ଏହି ୪ ଚିହ୍ନିତ ଦଣ୍ଡା ଓ ୫ ଚିହ୍ନିତ ଦଉଡ଼ିରେ ଲାଗିଥିବା କସକୁ ଫିଟାଇ ପୁଣି ଟାଣିକରି ଭିଡ଼ିଦେଲେ ତାହା ପୁଣି ଟାଣି ହୋଇ ବହୁପରିମାଣରେ ସମତୁଲ ହୋଇ ପାରିବ ।

 

ଏହି ପ୍ରଣାଳୀରେ ଖଟିଆବୁଣାକୁ ଅନେକ ସ୍ଥଳରେ ବଳଦଆଖିଆ ବୁଣା ବୋଲି କହନ୍ତି-। ଡୋରକୁ ରଙ୍ଗାଇ ଆହୁରି ଅନେକ ପ୍ରକାରରେ ଚିତ୍ରିତ କରି ମଧ୍ୟ ଖଟିଆ ବୁଣା ଯାଇଥାଏ-

•••

 

ଡାଇମଣ୍ଡ୍‌ ବୁଣା ଖଟିଆ

 

ବୋବେଇ ଦଉଡ଼ିରେ ଖଟିଆ ନାନା ପ୍ରକାରରେ ବୁଣାଯାଇ ପାରେ । ଟୁଇଲ୍‌, କଲୀ ଟୁଇଲ୍‌, ଡାଇମଣ୍ଡ୍‌ ପ୍ରଭୃତି ଯେ କୌଣସି ପ୍ରଣାଳୀରେ ବୁଣିବାକୁ ଇଚ୍ଛା କଲେ ସେହିପରି ବୁଣା ହୋଇ ପାରିବ ।

 

ପ୍ରଥମେ କାଠର ଗୋଡ଼ ତିଆର କରି ତହିଁରେ ଦଣ୍ଡାଭିଡ଼ି ଖଟିଆର ଫରମା ପ୍ରସ୍ତୁତ କରିବ । ଦଣ୍ଡାଗୁଡ଼ିକ କୁନ୍ଦାଇ ନେଲେ ଆହୁରି ସୁନ୍ଦର ହେବ ।

 

୩ ନମ୍ବର ଚିତ୍ରରେ ଦଣ୍ଡାଗୁଡ଼ିକୁ ୧, ୨, ୩ ଓ ୪ (ଇଂରାଜି 1, 2, 3, 4) ଅଙ୍କଦ୍ୱାରା ଚିହ୍ନିତ କରାଯାଇ ଅଛି । ୧(1) ଓ ୨(2) ଚିହ୍ନିତ ଦଣ୍ଡାଦ୍ୱୟର ଏକ ପ୍ରାନ୍ତରୁ ୧୦ ଇଞ୍ଚ ଭିତରଆଡ଼କୁ ସେହି ଦଣ୍ଡା ଦୁଇଟିରେ ଖଣ୍ଡିଏ ଡୋର ୮।୧୦ଥର ଆଡ଼ ବାଗରେ ଗୁଡ଼ାଯାଇ ତାହାକୁ ଖଣ୍ଡିଏ କାଠି ଦ୍ୱାରା ବୁଲାଇ ବୁଲାଇ ବଳିଦିଆ ଯାଇଅଛି । କାଠି ଖଣ୍ଡକୁ ୪ (4) ନମ୍ବର ଦଣ୍ଡା ତଳେ ଲଗାଇ ଦେବାରୁ ତାହା ସେହିଠାରେ ଅଟକି ରହିଅଛି ଏବଂ ବଳିହୋଇ ଯାଇଥିବା ଡୋରଗୁଡ଼ିକ ଗୋଟିଏ ମୋଟ ଦଉଡ଼ିରେ ପରିଣତ ହୋଇଅଛି ୧ ଓ ୨ ନମ୍ବର ଚିତ୍ର ଦେଖ । ସେହି ଦଉଡ଼ିକୁ ଚିତ୍ରରେ ୫(5) ଅଙ୍କ ଦ୍ୱାରା ଚିହ୍ନିତ କରା ଯାଇଅଛି । ଏହି ୫(5) ଚିହ୍ନିତ ଦଉଡ଼ି ଓ ୪(4) ଚିହ୍ନିତ ଦଣ୍ଡାରେ ଖଣ୍ଡିଏ କସ ଦଉଡ଼ି ଭିଡ଼ା ଯାଇଅଛି ।

 

ଏହି ୫(5) ଚିହ୍ନିତ ଦଉଡ଼ିରେ ଓ ୩(3) ଚିହ୍ନିତ ଦଣ୍ଡାରେ ବୁଣିବା ଡୋରକୁ ଲଗାଇ ଖଟିଆର ଟାଣି ଡୋର ବାନ୍ଧିବାକୁ ହେବ ।

 

(ଟାଣି ଡୋରର ଅର୍ଥ ଯେଉଁ ଡୋରମାନ ଲମ୍ବାରେ ବନ୍ଧାଯିବ ଏବଂ ଯହିଁରେ ଭରଣି ଡୋର ଆଡ଼ବାଗେ ବୁଣାଯିବ । ଯେଉଁ ଡୋରମାନ ଟାଣି ଡୋରମାନଙ୍କରେ ଆଡ଼ବାଗେ ବୁଣାଯାଏ ତାହାକୁ ଭରଣି ଡୋର କହନ୍ତି) ।

Image

(୩ ନମ୍ବର ଚିତ୍ର)

ଟାଣି ଡୋର ବାନ୍ଧିବା ନିମନ୍ତେ ଦୁଇଖଣ୍ଡି କାଠି ପ୍ରସ୍ତୁତ କରିବ । କାଠି ଦୁଇଖଣ୍ଡି କାଠରେ ବା ବାଉଁଶରେ ଅଥବା ଲୁହାରେ ହୋଇପାରେ । କାଠ ବା ବାଉଁଶର ହେଲେ ତାହା ୧ଇଞ୍ଚରୁ ୧.୫ଇଞ୍ଚ ପର୍ଯ୍ୟନ୍ତ ମୋଟା ହେବା ଆବଶ୍ୟକ । ଲୁହାର ହେଲେ କିଛି କମ ମୋଟା ହେଲେ ଚଳିବ-। କାଠିର ଏକ ମୁଣ୍ଡକୁ କ୍ରମେ କ୍ରମେ ସରୁଆ ଓ ଗୋଜିଆ କରିବ । ଅଗକୁ ୧ଇଞ୍ଚ ଛାଡ଼ି ତହିଁରେ ଗୋଟିଏ ଆଙ୍କୁଶା କରିଦେବ । ୪ନମ୍ବର ଚିତ୍ର ଦେଖ ।

 

ଖଟିଆ ବୁଣିବାପାଇଁ ଭରଣି ଡୋରଗୁଡ଼ିକୁ ଉତ୍ତମରୂପେ ମାଜି ସଫା କରି ରଖିଥିବ । ତହିଁମଧ୍ୟରୁ ଏକଭାଗ ସାଧା ରଖିବ; ଆର ଭାଗଟିକୁ କୌଣସି ଗୋଟିଏ ରଙ୍ଗରେ ରଙ୍ଗାଇ ନେବ କିମ୍ବା ସବୁ ଡୋରଗୁଡ଼ିକ ସମାନ ସମାନ ୩।୪ ଭାଗକରି ତିନି ଚାରି ପ୍ରକାର ରଙ୍ଗରେ ଭିନ୍ନ ଭିନ୍ନ ଭାଗକୁ ରଙ୍ଗାଇବ । ଟାଣି ଡୋରମାନଙ୍କୁ ମଧ୍ୟ ଗୋଟିଏ ରଙ୍ଗର ନ କରି ପଟା ପଟା କରି ଭିନ୍ନ ଭିନ୍ନ ରଙ୍ଗର ଡୋର ଲଗାଇ ପାରିବ ।

 

Image

(୩ ନମ୍ବର ଚିତ୍ର)

୩ ନମ୍ବର ଚିତ୍ରର ୫ (5) ଚିହ୍ନିତ ଦଉଡ଼ିର ବାମ ମୁଣ୍ଡରେ ବୁଣିବା ଡୋରର ଏକପ୍ରାନ୍ତକୁ ବାନ୍ଧିଦେବ । ଡୋରଟିକୁ ୧ (1) ଚିହ୍ନିତ ଦଣ୍ଡା ପାଖେ ପାଖେ ସିଧାକରି ୩ (3) ଚିହ୍ନିତ ଦଣ୍ଡା ପର୍ଯ୍ୟନ୍ତ ନେବ । ସେହିଠାରେ ଡୋରଟିକୁ ଦୁଇ ପରସ୍ତ କରି ତାହାକୁ ୩ (3) ଚିହ୍ନିତ ଦଣ୍ଡାଉପରେ ବୁଲାଇ ୧ ଚିହ୍ନିତ ଦଣ୍ଡା ଓ ସେହି ଡୋରର ମଧ୍ୟରେ ଉପରକୁ ଉଠାଇବ । ଡୋରର ଦୁଇ ପରସ୍ତ ଭାଙ୍ଗର ଫେରା ମଧ୍ୟରେ ୪ ନମ୍ବର ଚିତ୍ର ପରି ଆଙ୍କୁଶା କାଠିରୁ ଗୋଟିଏ ଲଗାଇ ଦେଇ ଡୋରକୁ ୫(5) ଚିହ୍ନିତ ଦଉଡ଼ି ନିକଟକୁ ପ୍ରଥମ ଖିଅ ଟାଣି ପାଖେ ପାଖେ ଫେରାଇ ଆଣିବ । ୫ (5) ଚିହ୍ନିତ ଦଉଡ଼ି ଉପରେ ୨ଫେରା କରି ବୁଲାଇ ଉପରକୁ ଉଠାଇ ଡୋରର ଫେରା ମଧ୍ୟରେ ଅନ୍ୟ ଆଙ୍କୁଶିଆ କାଠି ଖଣ୍ଡିକ ପୂରାଇ ଅଟକାଇ ଦେବ । ଡୋରକୁ ପୁଣି ୩ (3) ଚିହ୍ନିତ ଦଣ୍ଡା ନିକଟକୁ ନେଇ ସେହି ଦଣ୍ଡାଉପରେ ଦୁଇଫେରା କରି ବୁଲାଇ ଆଣି ଉପରକୁ ଉଠାଇ ସେହି ଫେରାରେ ସେଠାରେ ଥିବା ଆଙ୍କୁଶିଆ କାଠିର ଆଙ୍କୁଶା ଲଗାଇ ଫେରାଟିକୁ ପୂର୍ବଥରର ଫେରା ମଧ୍ୟକୁ ଟାଣିନେବ । ଆଙ୍କୁଶା କାଠିଟିକୁ ଏହି ନୂତନ ଫେରା ମଧ୍ୟରେ ପୂରାଇ ତାହାକୁ ସେହିଠାରେ ସେହିପରି ଛାଡ଼ିଦେଇ ଡୋରଟିକୁ ପୁଣି ୫ (5) ଚିହ୍ନିତ ଦଉଡ଼ି ନିକଟିକୁ ଆଣିବ; ୫ (5) ଚିହ୍ନିତ ଦଉଡ଼ି ଉପରେ ଦୁଇଫେରା କରି ଠିକ ପୂର୍ବପରି ବୁଲାଇଆଣି ଏଠାରେ ମଧ୍ୟ ଆଙ୍କୁଶିଆ କାଠିଦ୍ୱାରା ନୂତନ ଫେରାଟିକୁ ପୂର୍ବଥରର ଫେରା ମଧ୍ୟକୁ ଟାଣିନେଇ ନୂତନ ଫେରାରେ ଆଙ୍କୁଶା କାଠି ଲଗାଇ ଛାଡ଼ିଦେବ । ଡୋରକୁ ପୁଣି ୩ (3) ଚିହ୍ନିତ ଦଣ୍ଡା ନିକଟକୁ ନେବ ଏବଂ ସେଠାରେ ପୂର୍ବପର ନୂତନ ଫେରାକୁ ଆଙ୍କୁଶା କାଠିଦ୍ୱାରା ପୂର୍ବ ଫେରା ମଧ୍ୟକୁ ଟାଣିନେଇ ନୂତନ ଫେରା ମଧ୍ୟରେ ଆଙ୍କୁଶ କାଠି ଲଗାଇବ ।

 

ଏହିପରି କ୍ରମାଗତ ଥରେ ୩ (3) ଚିହ୍ନିତ ଦଣ୍ଡାରେ ଓ ଥରେ ୫ (5) ଚିହ୍ନିତ ଦଉଡ଼ିରେ ଡୋରକୁ ବୁଲାଇ ବୁଲାଇ ୨ (2) ଚିହ୍ନିତ ଦଣ୍ଡା ପର୍ଯ୍ୟନ୍ତ ସମସ୍ତ ଫାଙ୍କଥିବା ଜାଗାରେ ଟାଣି ଡୋର ଲଗାଇ ଦେବ । ୩ ନମ୍ବର ଚିତ୍ର ଦେଖ । ଟାଣି ଡୋର ସଙ୍ଗେ ସଙ୍ଗେ ୩ (3) ଚିହ୍ନିତ ଦଣ୍ଡା ଓ ୫ (5) ଚିହ୍ନିତ ଦଉଡ଼ିର ପାଖେ ପାଖେ ଦୁଇ ମୁଣ୍ଡରେ ଦୁଇ ଧାଡ଼ି ବିଛାମାଳିଆ ଗଣ୍ଠି ବନ୍ଧା ହୋଇଯିବ-

 

ଏଥର ଭରଣି ଡୋର ଲଗାଇ ବୁଣିବାକୁ ହେବ ।

 

ଟାଣିର ଡୋର ଯେଉଁଠାରେ ଶେଷ ହେଲା, ସେହିଠାରେ ତାହାକୁ ତହିଁର ସଂଲଗ୍ନ ବଡ଼ ଦଣ୍ଡାରେ ବୁଲାଇ ଆଣି, ଠିକ୍ ଟାଣି ଡୋର ଯେପରି ୩ (3) ଚିହ୍ନିତ ଦଣ୍ଡାରୁ ୫ (5) ଚିହ୍ନିତ ଦଉଡ଼ି ପର୍ଯ୍ୟନ୍ତ ନିଆଯାଇଥିଲା ସେହିପରି ଭରଣି ଡୋରକୁ ଖଟିଆର ଲମ୍ବ ଦଣ୍ଡା ଦୁଇଟିରେ ଟାଣି ଡୋରମାନଙ୍କ ଆଡ଼ବାଗରେ ବୁଣିବାକୁ ହେବ । ଏହିପରି ବରାବର ଟାଣି ଡୋରଯାକ ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ଭରଣି ଡୋରକୁ ବୁଣିବା ।

 

ବୁଣିବା ସମୟରେ ଖଟକୁ ଟୁଇଲ୍‌, କଳୀ ଟୁଇଲ୍‌ ବା ଡାଇମଣ୍ଡ୍ ପ୍ରଭୃତି ଯେ କୌଣସି ପ୍ରକାରରେ ବୁଣିବାକୁ ସ୍ଥିର କରିବ, ସେହି ଅନୁସାରେ ଟାଣିର ଡୋରଗୁଡ଼ିକୁ ଗଣି ଆଗେ ଭାଗ କରି ନେବ । ଏଥି ପୂର୍ବେ ସେହି ସବୁ ପ୍ରକାରରେ ତାଳପତ୍ରର ଚଟେଇ ବୁଣିବା ବିଷୟରେ ଯେଉଁ ସବୁ ଭାଗ ଓ ଗଣନା ଦେଖାଇ ଦିଆ ଯାଇଅଛି, ଏଠାରେ ସେହି ଭାଗ ଅନୁସାରେ ଡୋରମାନଙ୍କୁ ଗଣିବ-। ତହିଁରେ ଗୋଟିଏ ଗୋଟିଏ ପତ୍ର ବଦଳରେ ଏଠାରେ ଯୋଡ଼ିଏ ଲେଖାଏଁ ଡୋରକୁ ଗୋଟିଏ ବୋଲି ବିବେଚନା କରି ବୁଣିବାକୁ ହେବ ।

 

ସେହିରୂପ ଗଣନାରେ ଯେତେ ଯୋଡ଼ା ବାଣି ହେବ ତାହା ଲୋଡ଼ା ହେବା ହିସାବ ଅନୁସାରେ ତଳକୁ ଏବଂ ଉପରକୁ ନେଇ ବୁଣିବାକୁ ପଡ଼ିବ । ଭରଣି ଡୋରକୁ ବରାବର ଦୁଇସରି କରି ଚଳାଇବାକୁ ହେବ ।

 

ଭରଣି ଡୋରକୁ ଦୁଇସରି କରି ଯେଉଁ ଚିତ୍ର କରିବାକୁ ଇଚ୍ଛା କରିବ ସେହି ଚିତ୍ରକୁ ଲକ୍ଷ୍ୟ ରଖି ତହିଁର ହିସାବ ଅନୁସାରେ ଯେତେ ଯୋଡ଼ା ଟାଣି ଡୋର ଉପରକୁ ରହିବ ଏବଂ ଯେତେ ଯୋଡ଼ା ତଳକୁ ଯିବ ସେହି ଅନୁସାରେ ଟାଣି ଡୋରଗୁଡ଼ିକ ତଳକୁ ଓ ଉପରକୁ ରଖି ତହିଁ ମଧ୍ୟରେ ଭରଣି ଡୋର ଯୋଡ଼ିକ ବୁଣି ବିପରୀତ ଦଣ୍ଡାରେ ବୁଲାଇ ଓ ପୁନଶ୍ଚ ତାହା ଫେରାଇ ଟାଣି ଡୋର ଦ୍ୱାରା ଯେପରି ୩ (3) ଚିହ୍ନିତ ଦଣ୍ଡା ଓ ୫ (5) ଚିହ୍ନିତ ଦଉଡ଼ିଠାରେ ବେଣୀ ପଡ଼ିଅଛି ସେହିପରି ବେଣୀ ପକାଇ ଶେଷ ପର୍ଯ୍ୟନ୍ତ ବୁଣିଯିବ ।

 

ଦଣ୍ଡାରେ ବୁଣାକାମ ଆରମ୍ଭ କଲାବେଳେ ଅନ୍ୟ ପାଖର ବିଛାମାଳିଆ ଗଣ୍ଠିରୁ ଗୋଟିଏ ଫାଶ ନେଇ ଏପାଖରେ ଫାଶ ବସାଇବା ଆରମ୍ଭ କରିବ ।

 

ଚରିପାଖର ବିଛାମାଳିଆ ଫାଶକୁ ଆହୁରି ଅଧିକ ବଡ଼ କଲେ ଅଧିକ ସୁନ୍ଦର ଦେଖାଯିବ-। ତେଣୁ ବଡ଼ ବଡ଼ ଖଟିଆରେ ସାଧାରଣତଃ ଉକ୍ତ ଫାଶକୁ ବଡ଼ କରି ରଖନ୍ତି । ବଡ଼ କରି ରଖିବା କାରଣ ଡୋରକୁ ୩ ଥର ବୁଲାଇ ୩ ଗୋଟି ଫେରା ହେଲେ ଗୋଟିଏ ଲେଖାଏଁ ଗଣ୍ଠି ପକାଇବାକୁ ହେବ । ଉପରେ ପ୍ରତି ଫେରା ମଧ୍ୟରେ ନୂତନ ଫେରାଟିକୁ ଆଙ୍କୁଶାକାଠିଦ୍ୱାରା ଟାଣି ନିଆଯାଇ ଡୋରଟି ଫେରାଇ ଆଣିବାର ଦେଖାଇ ଦିଆଯାଇଅଛି । ତାହା ପରିବର୍ତ୍ତେ ପ୍ରଥମ ଫେରାରେ ଦ୍ୱିତୀୟ ଫେରାକୁ ପୂରାଇ ତହିଁପରେ ତୃତୀୟ ଥରକୁ ଡୋର ଫେରାଇ ଆାଣି ତୃତୀୟ ଫେରାକୁ ଆଙ୍କୁଶାକାଠି ଦ୍ୱାରା ପୂର୍ବର ଦୁଇ ଗୋଟି ଫେରା ମଧ୍ୟକୁ ଟାଣିନେଇ ଏହି ତୃତୀୟ ଫେରାରେ ଆଙ୍କୁଶା କାଠି ଦେଇ ରଖିବ ଏବଂ ପୂର୍ବର ଫେରା ଦୁଇଟିରୁ ଦ୍ୱିତୀୟ ଫେରାଟିକୁ ମଧ୍ୟ ସେହି ଆଙ୍କୁଶାକାଠି ଉପରକୁ ଉଠାଇ ନେବ । ପ୍ରଥମ ଫେରାଟିକୁ ଛାଡ଼ି ଦେବ ।

 

ଠିକ୍ ଏହିପରି ୫ (5). ଚିହ୍ନିତ ଦଉଡ଼ି ପାଖରେ କରିବ ଓ ଅନ୍ୟ ଦୁଇଟି ଦଣ୍ଡା ପାଖରେ ମଧ୍ୟ ଏହିପରି କରିବ ।

Image